ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଶୁଳ୍କର କଡ଼ା ଜବାବ ଦେଲେ ପ୍ରଧାନମନ୍ତ୍ରୀ

Spread the love

ଋଷଠାରୁ ତେଲ କିଣିବା ଜାରି ରଖିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଉତ୍ପାଦ ଶୁଳ୍କ ଲଗାଇଛନ୍ତି । ଏହପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର କଡ଼ା ଜବାବ ଦେଇଛନ୍ତି । ଗୁରୁବାର ଏମ୍.ଏସ୍. ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ସେ ସ୍ପଷ୍ଟ କରିଛନ୍ତି ଯେ ଭାରତ ସବୁବେଳେ ନିଜର ସ୍ୱାର୍ଥକୁ ପ୍ରାଥମିକତା ଦେବ, ଯଦିଓ ଏଥିପାଇଁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ । 
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଦେଶର କୃଷକମାନଙ୍କ ସହ ଛିଡା ହେବେ ଏବଂ ଆମେରିକାର ଏହି କଠୋର ଶୁଳ୍କର ସାମ୍ନା କରିବେ । ମୋଦୀ କହିଛନ୍ତି “ଆମ ପାଇଁ ଆମର କୃଷକମାନଙ୍କର ସ୍ୱାର୍ଥ ସର୍ବୋପରି,” । ସେ ଆହୁରି ମଧ୍ୟ କହିଛନ୍ତି, “ଭାରତ ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥ ସହ କେବେବି ସାଲିସ କରିବ ନାହିଁ ।”

ମୋଦୀ ଦୃଢ଼ତାର ସହ କହିଛନ୍ତି, “ମୁଁ ଜାଣେ ଏଥିପାଇଁ ମୋତେ ବ୍ୟକ୍ତିଗତ ଭାବେ ବହୁତ ବଡ଼ ମୂଲ୍ୟ ଦେବାକୁ ପଡିବ ଏବଂ ମୁଁ ଏଥିପାଇଁ ପ୍ରସ୍ତୁତ ଅଛି । ଭାରତ ଏଥିପାଇଁ ପ୍ରସ୍ତୁତ ଅଛି ।” ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବା ପରେ ପ୍ରଧାନମନ୍ତ୍ରୀଙ୍କ ଏହି କଡ଼ା ମନ୍ତବ୍ୟ ସାମ୍ନାକୁ ଆସିଛି, ଯାହାଦ୍ୱାରା ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ଆମେରିକା ଦ୍ୱାରା କୌଣସି ଦେଶ ଉପରେ ଲଗାଯାଇଥିବା ସର୍ବାଧିକ ଶୁଳ୍କ । ଋଷଠାରୁ ତେଲ ଏବଂ ସାମରିକ ଉପକରଣ କିଣିବା ନେଇ ଆମେରିକାର ଆପତ୍ତି ସତ୍ତ୍ୱେ ଭାରତ ପଛକୁ ହଟିନଥିବାରୁ ଏହି ପଦକ୍ଷେପକୁ ଏକ ପ୍ରତ୍ୟକ୍ଷ ଦଣ୍ଡ ଭାବରେ ଦେଖାଯାଉଛି ।  

କିଛି ଦିନ ପୂର୍ବରୁ ଟ୍ରମ୍ପ ଭାରତକୁ “ବନ୍ଧୁ” କହିଥିଲେ ମଧ୍ୟ ମସ୍କୋ ସହ ସମ୍ପର୍କ ପାଇଁ “ଦଣ୍ଡ”ର ଚେତାବନୀ ଦେଇଥିଲେ । ଆମେରିକା ରାଷ୍ଟ୍ରପତି ଆଗାମୀ ଦିନରେ “ଦ୍ୱିତୀୟ ପର୍ଯ୍ୟାୟ ପ୍ରତିବନ୍ଧକ” ଲଗାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।  ଏହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କେନ୍ଦ୍ର ସରକାର ଏହି ଶୁଳ୍କକୁ “ଅନ୍ୟାୟ, ଅଯୌକ୍ତିକ ଏବଂ ଅହେତୁକ” ବୋଲି କହିଛନ୍ତି ଏବଂ “ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ” ପ୍ରତିଶ୍ରୁତି ଦେଇଛନ୍ତି । ଋଷଠାରୁ ଆମେରିକା ୟୁରାନିୟମ୍ ହେକ୍ସାଫ୍ଲୋରାଇଡ୍, ପାଲାଡିୟମ୍ ଏବଂ ସାର କିଣିବା ଜାରି ରଖିଛି । କେବଳ ଭାରତକୁ ଋଷୀୟ ତେଲ ଆମଦାନୀ ପାଇଁ ଟାର୍ଗେଟ କରିବା ନେଇ ୱାଶିଂଟନର ଦୋମୁହାଁ ନୀତିକୁ ମଧ୍ୟ ସମାଲୋଚନା କରିଛି ଭାରତ ।

ଏହି ଶୁଳ୍କ ବୃଦ୍ଧି ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଆଲୋଚନାରେ ଥିବା ଅଚଳାବସ୍ଥାକୁ ମଧ୍ୟ ଦର୍ଶାଉଛି । କାରଣ ନୂଆଦିଲ୍ଲୀ କୃଷି ବଜାର ପ୍ରବେଶ ଏବଂ ଡିଜିଟାଲ୍ ବାଣିଜ୍ୟ ନିୟମ ଉପରେ ନିଜର ଆଭିମୁଖ୍ୟରୁ ପଛକୁ ହଟିବାକୁ ମନା କରିଦେଇଥିଲା । ଟ୍ରମ୍ପଙ୍କ ଏହି ଶୁଳ୍କ ଆକ୍ରମଣ ଭାରତ-ଆମେରିକା ସମ୍ପର୍କକୁ ନିକଟ ଅତୀତରେ ସବୁଠାରୁ ନିମ୍ନ ସ୍ତରକୁ ନେଇଯାଇଛି । ଏହା ଉଭୟ ପଟର ରପ୍ତାନିକାରୀ ଏବଂ ଶିଳ୍ପପତିଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି । ବିଶ୍ଳେଷକମାନେ ଚେତାବନୀ ଦେଇଛନ୍ତି ଯେ ଏହି ଶୁଳ୍କ ଭାରତର ରପ୍ତାନୀରେ ପ୍ରମୁଖ ଯୋଗଦାନକାରୀ ବୟନଶିଳ୍ପ, ଫାର୍ମାସ୍ୟୁଟିକାଲ୍ସ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଭଳି ପ୍ରମୁଖ କ୍ଷେତ୍ରକୁ କ୍ଷତି ପହଞ୍ଚାଇପାରେ । ପ୍ରାରମ୍ଭିକ ୨୫ ପ୍ରତିଶତ ଶୁଳ୍କ ଆଜି(ଅଗଷ୍ଟ ୭)ରୁ ଲାଗୁ ହୋଇଥିବାବେଳେ, ଯଦି ଦୁଇ ପକ୍ଷ କୌଣସି ସମାଧାନରେ ନକରନ୍ତି ତେବେ ଦ୍ୱିତୀୟ ପର୍ଯ୍ୟାୟ ୨୧ ଦିନ ମଧ୍ୟରେ ଲାଗୁ ହେବ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading