ଟ୍ରମ୍ପଙ୍କ ଶୁଳ୍କ ମାଡ଼: କପଡ଼ା ଉତ୍ପାଦନ କମିଲା, ବିପଦରେ ୬୦୦୦ କୋଟିର ରପ୍ତାନି

Spread the love

ଚେନ୍ନାଇ: ତାମିଲନାଡ଼ୁର ତିରୁପୁର ‌ଦେଶର ଏକ ପ୍ରମୁଖ କପଡ଼ା ଉତ୍ପାଦନ କେନ୍ଦ୍ର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଶୁଳ୍କ ଲଗାଇବା ପରେ ଏଠାରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଆମେରିକାକୁ କପଡ଼ା ରପ୍ତାନି କରୁଥିବା ଅଧିକାଂଶ ନିର୍ମାତା ସେମାନଙ୍କ ଉତ୍ପାଦନ ବନ୍ଦ କରିଦେଇଛନ୍ତି। ଶିଳ୍ପ ପ୍ରତିନିଧିଙ୍କ କହିବାନୁଯାୟୀ, ଆମେରିକାର କ୍ରେତାମାନେ ମଧ୍ୟ ବର୍ତ୍ତମାନର ଅର୍ଡରକୁ ବନ୍ଦ କରିଛନ୍ତି। ଏଥିଯୋଗୁ ଭାରତୀୟ ରପ୍ତାନିକାରୀମାନେ ଅନିଶ୍ଚିତତା ଭିତରକୁ ଚାଲିଯାଇଛନ୍ତି। 

ଅଗଷ୍ଟ ୭ରୁ ଭାରତର ରପ୍ତାନି ଉପରେ ଆମେରିକା ୨୫ ପ୍ରତିଶତ ଶୁଳ୍କ ଲଗାଇ ସାରିଛି। ଅଗଷ୍ଟ ୨୭ରୁ ଆଉ ୨୫ ପ୍ରତିଶତ ଶୁଳ୍କ ଲଗାଇବ। ଫଳରେ ମୋଟ ଶୁଳ୍କ ୫୦ ପ୍ରତିଶତରେ ପହଞ୍ଚିବ। ଭାରତ ରୁଷ୍‌ରୁ ଅଶୋଧିତ ତେଲ କିଣୁଥିବାରୁ ଟ୍ରମ୍ପ ଏଭଳି ପଦକ୍ଷେପ ନେଇଛନ୍ତି। ତିରୁପୁର ରପ୍ତାନିକାରୀ ସଂଘ ସଭାପତି କେଏମ୍‌ ସୁବ୍ରମଣନ୍ କହିଛନ୍ତି, ଏହି ଅଞ୍ଚଳରୁ ବର୍ଷକୁ ପ୍ରାୟ ୪୫ ହଜାର କୋଟି ଟଙ୍କାର ପୋଷାକ ରପ୍ତାନି ହୋଇଥାଏ। ଏଥିରୁ ପ୍ରାୟ ୩୦ ପ୍ରତିଶତ ଅର୍ଥାତ ୧୨ ହଜାର କୋଟି ଟଙ୍କାର ରପ୍ତାନି ଆମେରିକାକୁ ହୋଇଥାଏ। ତେଣୁ ଆମେରିକାକୁ ହେଉଥିବା ମୋଟ ୧୨ ହଜାର କୋଟି ଟଙ୍କାର ରପ୍ତାନିରୁ ଅଧା ବା ୬ ହଜାର କୋଟି ଟଙ୍କାର ରପ୍ତାନି ପ୍ରଭାବିତ ହେବ ବୋଲି ସେମାନେ ଆକଳନ କରିଛନ୍ତି। ଶିଳ୍ପ ପ୍ରତିନିଧିଙ୍କ କହିବାନୁଯାୟୀ, କିଛି ରପ୍ତାନିକାରୀ ଉତ୍ପାଦନ ବନ୍ଦ କରିସାରିଥିବାବେଳେ ଅନ୍ୟମାନେ ବିକଳ୍ପ ଅନୁସନ୍ଧାନରେ ରହିଛନ୍ତି। କେବଳ ଆମେରିକାକୁ ରପ୍ତାନି କରୁଥିବା କମ୍ପାନିଗୁଡ଼ିକ ବଡ଼ଧରଣର କ୍ଷତି ସହିବେ। ସମ୍ଭାବ୍ୟ କ୍ଷତି ସଂପର୍କରେ ଆକଳନ କରାଯିବା ପରେ ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ସୁବ୍ରମଣ୍ୟନ କହିଛନ୍ତି।

ବିଦେଶମୁହାଁ ଭାରତୀୟ କମ୍ପାନି

ନୂଆଦିଲ୍ଲୀ: ଭାରତ ବର୍ଷକୁ ୮୭ ହଜାର କୋଟି ଟଙ୍କାର ବୟନ ସାମଗ୍ରୀ ଆମେରିକାକୁ ରପ୍ତାନି କରିଥାଏ। ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଏହି ରପ୍ତାନି ବାଧାପ୍ରାପ୍ତ ହେବ। ଏଭଳି ସ୍ଥିତିରେ ଭାରତୀୟ କମ୍ପାନିଗୁଡ଼ିକ ବିଦେଶରେ ଥିବା ସେମାନଙ୍କ କାରଖାନାକୁ ଉତ୍ପାଦନ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ପର୍ଲ ଗ୍ଲୋବାଲ ଇଣ୍ଡଷ୍ଟ୍ରିଜ୍‌ ନାମକ କମ୍ପାନିର ଏମ୍‌ଡି ପଲ୍ଲବ ବାନାର୍ଜୀ କହିଛନ୍ତି, ଆମେରିକା ବଜାରକୁ ଭାରତ ଅପେକ୍ଷା ଅପେକ୍ଷାକୃତ ଅନୁକୂଳ ସ୍ଥାନରୁ ଉତ୍ପାଦନ ଯୋଜନା କରାଯାଉଛି। ଭିଏତନାମ, ଇଣ୍ଡୋନେସିଆ, ବାଂଲାଦେଶ ଏବଂ ଗୁଏତମାଳା ଭଳି ଦେଶରେ ଥିବା କମ୍ପାନିର କାରଖାନାରୁ ଉତ୍ପାଦନ ନେଇ ଉଦ୍ୟମ ଚାଲିଛି। ବାଂଲାଦେଶ, ଭିଏତନାମ, ଇଣ୍ଡୋନେସିଆ ଭଳି ଦେଶ ଉପରେ ଟ୍ରମ୍ପ ୧୯ରୁ ୨୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ତେଣୁ ଆମେରିକାର ରିଟେଲରମାନେ  ଏସବୁ ବଜାରରୁ ଅଧିକ ସାମଗ୍ରୀ କିଣିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଅନ୍ୟ ଏକ ପୋଷାକ ରପ୍ତାନିକାରୀ କମ୍ପାନି ଆମେରିକା ବଜାରକୁ ପଠାଯିବା ପାଇଁ ଥିବା ଅର୍ଡରକୁ ଆଫ୍ରିକାକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି। ଆଫ୍ରିକାରେ ଆମର ଏକ କେନ୍ଦ୍ର ରହିଛି। ସେଠାରୁ ଉତ୍ପାଦନ କରିବାକୁ ଯୋଜନା କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ରପ୍ତାନିକାରୀଙ୍କ ପାଇଁ ଆସିବ ୨୨୫୦ କୋଟିର ଯୋଜନା

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ଦେଶର ଉଦ୍ୟୋଗଜଗତକୁ ସୁରକ୍ଷା ଦେବା ନିମନ୍ତେ ସରକାର ଶୀଘ୍ର ୨୨୫୦ କୋଟି ଟଙ୍କାର ରପ୍ତାନି ପ୍ରୋତ୍ସାହନ ମିସନ୍‌ ଘୋଷଣା କରିବେ ବୋଲି ଆଶା କରାଯାଉଛି। ରପ୍ତାନିକାରୀଙ୍କ ସହ ଏ ନେଇ ସରକାରୀ ଅଧିକାରୀମାନେ ଆଲୋଚନା ଚଳାଇଛନ୍ତି। ବ୍ୟବସାୟକୁ କିଭଳି ସହଜ କରାଯାଇ ପାରିବ, ଦେଶ ଭିତରେ ଖର୍ଚ୍ଚକୁ କିଭଳି ବଢ଼ାଯାଇ ପାରିବ, ନୂଆ ଯୋଗାଣ ଶୃଙ୍ଖଳ ସୃଷ୍ଟି କରାଯାଇ ପାରିବ ତାହା ଉପରେ ଧ୍ୟାନ ଦିଆଯାଉଛି। ଏହି ମିସନରେ ଏମ୍‌ଏସ୍‌ଏମ୍‌ଇ ଏବଂ ଇ-କମର୍ସ ରପ୍ତାନିକାରୀଙ୍କ ପାଇଁ ସହଜ ଋଣ ଯୋଜନା, ବିଦେଶରେ ଗୋଦାମ ପ୍ରତିଷ୍ଠା ଏବଂ ବିଶ୍ବସ୍ତରରେ ବ୍ରାଣ୍ଡିଂ ଭିଳ ପଦକ୍ଷେପ ନିଆଯାଇ ପାରେ। ଉଲ୍ଲେଖଯୋଗ୍ୟ, ସରକାର ଚଳିତବର୍ଷ ଫେବ୍ରୁଆରି ୧ରେ ଏହି ମିସନ ସ୍ଥାପନ ନେଇ ଘୋଷଣା କରିଥିଲେ। ବହିର୍ବାଣିଜ୍ୟ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ରପ୍ତାନି ପ୍ରୋତ୍ସାହନ ପରିଷଦକୁ ଏ ସଂପର୍କରେ ଗତ ଏପ୍ରିଲ ୩୦ ତାରିଖରେ ବିଭିନ୍ନ ସୂଚନା ଦିଆଯାଇ ସାରିଛି। ମିସନକୁ ମୁଖ୍ୟତଃ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି। 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading