ଚିରାଫଟା ନୋଟ୍‌ ୪୧% କମିଲା

Spread the love

ମୁମ୍ବାଇ: ଦେଶରେ ଡିଜିଟାଲ କ୍ରାନ୍ତି ଆସିବା ଫଳରେ ୟୁପିଆଇ ଜରିଆରେ ଅଧିକ କାରବାର ହେଉଛି। ରିଜର୍ଭ ବ୍ୟାଙ୍କର ଡିଜିଟାଲ କାରବାର ବୃଦ୍ଧିର ଅନ୍ୟ ଏକ ଲାଭ ମଧ୍ୟ ମିଳିଛି। ତାହା ହେଲା ଚିରାଫଟା ନୋଟ୍‌ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକବର୍ଷର ଏପ୍ରିଲ-ଜୁଲାଇ ତୁଳନାରେ ୨୦୨୫-୨୬ ଜୁଲାଇରେ ଚିରାଫଟା ନୋଟ୍‌ ସଂଖ୍ୟା ୪୧ ପ୍ରତିଶତ କମିଛି। ଲୋକମାନେ ନୋଟ୍‌ ଉପରେ ସାଧାରଣତଃ କଲମ କିମ୍ବା ପେନସିଲରେ କିଛି ଲେଖି ଦିଅନ୍ତି। ଏଥିସହିତ ନୋଟ୍‌କୁ ମୋଡ଼ାମୋଡ଼ି ‌କରି ଲୋଚାକୋଚା କରିଦିଅନ୍ତି। ଠିକ୍‌ ଢଙ୍ଗରେ ଲୋକମାନେ ନୋଟ୍‌ ବ୍ୟବହାର ନକରିବା ଦ୍ବାରା ତାହା ଶୀଘ୍ର ଖରାପ ହୋଇଯାଏ। ଏହାପରେ ସେହି ନୋଟ୍‌ଗୁଡ଼ିକୁ ପ୍ରଚଳନରୁ କାଢ଼ି ଦିଆଯାଏ। ୨୦୨୪-୨୫ ଆର୍ଥିକବର୍ଷର ଏପ୍ରିଲ-ଜୁଲାଇରେ ମୋଟ ୮୪,୩୭୪ ଲକ୍ଷ ଖଣ୍ଡ ଚିରାଫଟା ନୋଟ୍‌ ପ୍ରଚଳନରୁ କାଢ଼ି ଦିଆଯାଇଥିଲା। ୨୦୨୫-୨୬ର ଏପ୍ରିଲ-ଜୁଲାଇ ଅବଧିରେ ଏହି ସଂଖ୍ୟା ୫୦,୦୯୬ ଲକ୍ଷ ଖଣ୍ଡକୁ କମିଯାଇଛି।

ଡିଜିଟାଲ କାରବାର ସହିତ ଲୋକଙ୍କ ମଧ୍ୟରେ ନୋଟ୍‌ର ସଠିକ୍‌ ବ୍ୟବହାର ନେଇ ସଚେତନତା ବୃଦ୍ଧି ମଧ୍ୟ ଚିରାଫଟା ନୋଟ୍‌ ସଂଖ୍ୟା ହ୍ରାସର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ୪ ମାସ(ଏପ୍ରିଲ-ଜୁଲାଇ)ରେ ୧୬ ଲକ୍ଷ ସଂଖ୍ୟକ ୨୦୦୦ ଟଙ୍କିଆ ନୋଟ୍‌ ନଷ୍ଟ ହୋଇଯିବା ଫଳରେ ସେଗୁଡ଼ିକୁ ପ୍ରଚଳନରୁ କାଢ଼ି ଦିଆଯାଇଛି। କିନ୍ତୁ ୨୦୨୪-୨୫ରେ ଏହି ନୋଟ୍‌ ସଂଖ୍ୟା ୧୮୫୭ ଲକ୍ଷ ରହିଥିଲା। ସେହିଭଳି ଚଳିତ ଆର୍ଥିକବର୍ଷର ପ୍ରଥମ ୪ ମାସରେ ମୋଟ ୧୮୧୫୪ ଲକ୍ଷ ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ନଷ୍ଟ ହେବା ଫଳରେ ସେଗୁଡ଼ିକୁ କାଢ଼ି ନିଆଯାଇଛି। ଗତ ଆର୍ଥିକବର୍ଷର ଉପରୋକ୍ତ ସମୟରେ ଏହି ସଂଖ୍ୟା ୩୧୦୬୯ ଲକ୍ଷ ରହିଥିଲା। 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading