କ୍ୟାବିନେଟ୍ ନିଷ୍ପତ୍ତି: ଜିଏସଟି ଆଇନରେ ସଂଶୋଧନ, ବାଲି ଖନନ ଓ ଇଟାଭାଟି ରାଜସ୍ୱ ହାନି ରୋକିବାକୁ ‘ଟ୍ରାକ୍ ଆଣ୍ଡ ଟ୍ରେସ୍‌’ ବ୍ୟବସ୍ଥା

Spread the love

ବାଲି ଖନନ,ଇଟାଭାଟି ଓ ପାନମସଲା ଆଦି କ୍ଷେତ୍ରରେ ରାଜସ୍ୱ ହାନିକୁ ରୋକିବା ନିମନ୍ତେ ଏଣିକି ‘ଟ୍ରାକ୍ ଆଣ୍ଡ ଟ୍ରେସ୍‌’ ବ୍ୟବସ୍ଥାକୁ ଉପଯୋଗ କରି ଜୋରିମାନା ଆଦାୟ କରାଯିବ । ଏଥିପାଇଁ ଜିଏସଟି ଆଇନ-୨୦୧୭ରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୨୩ତମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୪ବିଭାଗର ମୋଟ ୫ପ୍ରସ୍ତାବ ଆଲୋଚନା ପରେ ଅନୁମୋଦିତ ହୋଇଛି । ମୁଖ୍ୟ ସଚିବ  ମନୋଜ ଆହୁଜା ଗଣମାଧ୍ୟମକୁ ଏହି ନିଷ୍ପତ୍ତିଗୁଡ଼ିକ ସଂପର୍କରେ ସୂଚନା ଦେଇଛନ୍ତି ।

ଜିଏସଟି ଆଇନ-୨୦୧୭ରେ ସଂଶୋଧନ

ଓଡ଼ିଶା ଦ୍ରବ୍ୟ ଓ  ସେବା କର ଆଇନ-୨୦୧୭ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହାଫଳରେ ଟିକସ ଦାତା ଓ ଟିକସ କର୍ତ୍ତୃପକ୍ଷଙ୍କ ପାଇଁ ପ୍ରକ୍ରିୟାକୁ ସରଳୀକରଣ ସହ ସୁବିଧା କରାଯାଇଛି । ପ୍ରସ୍ତାବିତ ସଂଶୋଧନଗୁଡ଼ିକ ମଧ୍ୟରେ ଇନପୁଟ ଟ୍ୟାକ୍ସ କ୍ରେଡିଟ ପାଇବା କ୍ଷେତ୍ରରେ  “ପ୍ଲାଂଟ ଏବଂ ମେସିନାରୀ’ ଓ “ପ୍ଲାଂଟ କିମ୍ବା ମେସିନାରୀ’ ମଧ୍ୟରେ ଅସ୍ପଷ୍ଟତାକୁ ଦୂର କରାଯାଇଛି । ଟିକସଦାତାଙ୍କୁ ରିଟର୍ଣ୍ଣ ଫାଇଲ କରିବାରେ ଅଧିକ ସୁବିଧା ପ୍ରଦାନ, ଟିକସ ଫାଙ୍କି ରୋକିବା ପାଇଁ କ୍ରେଡିଟ୍ ନୋଟ୍ ଗ୍ରହୀତାଙ୍କୁ ଆନୁପାତି ଭାବେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ରିଭର୍ସ କରିବା ଜରୁରୀ କରାଯାଇଛି ।

ସେହିପରି ପାନ ମସଲା, ଇଟାଭାଟି ଓ ବାଲି ଖନନ ଆଦି କ୍ଷେତ୍ରରେ ରାଜସ୍ୱ ହାନି ରୋକିବା ପାଇଁ “ଟ୍ରାକ ଆଣ୍ଡ ଟ୍ରେସ’ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଏହି ବ୍ୟବସ୍ଥା ଉଲ୍ଲଂଘନ ପାଇଁ ୧ ଲକ୍ଷ ଟଙ୍କା ବା ଦେୟ କରର ୧୦% ଜୋରିମାନା(ଯାହା ଅଧିକ ହେବ) ଦେବାକୁ ପଡ଼ିବ । ସେହିପରି “ସ୍ଥାନୀୟ ପାଣ୍ଠ’ ଓ “ମ୍ୟୁନିସିପାଲ ପାଣ୍ଠି’ର ଶବ୍ଦଗୁଡ଼ିକରେ ସ୍ପଷ୍ଟତା ଅଣାଯାଇଛି । ଭାଉଚର ସମ୍ବନ୍ଧୀୟ ଦେଣନେଣର ସମୟ ନିର୍ଦ୍ଧାରଣ ସମ୍ବନ୍ଧୀୟ ବ୍ୟବସ୍ଥା ହଟାଇବା ଏବଂ କେବଳ ଜୋରିମାନା ସମ୍ବନ୍ଧୀୟ ଆଦେଶ ବିରୋଧରେ ଅପିଲ କରିବାକୁ ଜୋରିମାନା ରାଶିର ୧୦% ଆଗୁଆ ଜମା କରିବା ଜରୁରୀ ହୋଇଛି ।

ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନକୁ ମଞ୍ଜୁରୀ

ଆର୍ଥିକ ପ୍ରୋତ୍ସାହନର ମଞ୍ଜୁରୀ ପ୍ରକ୍ରିୟାକୁ ସରଳ କରିବା ପାଇଁ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬ରେ କେତେକ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ୨୦୧୬ ନଭେମ୍ବର ୨୪ତାରିଖରୁ କାର୍ଯ୍ୟକାରୀ ହେଉଥିବା ଏହି ନୀତି ଅଧୀନରେ ଥିବା ବ୍ୟବସ୍ଥାକୁ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨( ନଭେମ୍ବର ୩୦,୨୦୨୨ରୁ କାର୍ଯ୍ୟକାରୀ)ର ଅନୁରୂପ ବ୍ୟବସ୍ଥା ସହିତ ସମାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । କ୍ୟାବିନେଟ୍ ଏହି ଆର୍ଥିକ ପ୍ରୋତ୍ସାହନ ଅନୁମୋଦନ ପ୍ରକ୍ରିୟାକୁ ସରଳୀକରଣ ଓ ବର୍ଦ୍ଧିତ ଆର୍ଥିକ ପରିମାଣ କ୍ଷମତାକୁ ମଞ୍ଜୁରୀ ଦେଇଛନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ବିଶିଷ୍ଟ ‘ଡିଏଲସି’ ୧କୋଟି ଟଙ୍କା ପର୍ଯ୍ୟନ୍ତ ପ୍ଲାଂଟ ଓ ମେସିନାରୀରେ ନିବେଶ, ଶିଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତା ବିଶିଷ୍ଟ ‘ଏସଡିଏଲଏସି’ରେ ୧କୋଟିରୁ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ପ୍ଲାଂଟ୍ ଓ ଯନ୍ତ୍ରପାତିରେ ନିବେଶ ଏବଂ ଏମଏସଏମଇ ସଚିବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ‘ଏସଏଲଡି’ରେ ୧୦ କୋଟିରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ଲାଂଟ ଓ ଯନ୍ତ୍ରପାତିରେ ନିବେଶ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ଦେଇପାରିବେ । ଏହା ଶିଳ୍ପ ପ୍ରୋତ୍ସାହନ ନୀତି ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପ୍ରକ୍ରିୟାକୁ ସରଳ କରିବ, ଯାହାଫଳରେ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ ବୃଦ୍ଧି ଓ ଅଧିକ ରୋଜଗାର ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି ।

ଆଉ ୫ବର୍ଷ ବଢ଼ିଲା ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା

ରାଜ୍ୟ କ୍ୟାବିନେଟ୍ “ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା ’ର ଅବଧିକୁ ଆଉ ୫ବର୍ଷ ବୃଦ୍ଧି ନିମନ୍ତେ ଅନୁମୋଦନ କରିଛନ୍ତି । ଏହି ଆଡ଼ିବନ୍ଧ ତିଆରି ଯୋଜନା-୩.୦’କୁ ୨୦୨୫-୨୬ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପାଂଚ ବର୍ଷ ବୃଦ୍ଧି କରାଯିବା ସହ ଏହି ଯୋଜନାରେ ଆଉ ୨୭୩୮କୋଟି ଟଙ୍କା ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ଦ୍ୱାରା  ୫୭,୫୨୫ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି କରିବା ସହ  ୪୧,୭୧୩ ହେକ୍ଟର ଚାଷ ଜମିକୁ ପୁନଃଜଳସେଚନ ବ୍ୟବସ୍ଥା ଯୋଗାଇ ଦିଆଯିବ । ଏହି ଯୋଜନାରେ ମୌସୁମୀ ପରବର୍ତ୍ତୀ ସମୟରେ ଗାଁଗୁଡ଼ିକୁ ପାନୀୟ ଜଳ ସୁବିଧା ଯୋଗାଇବା, ଭୂତଳ ଜଳ ପୁନଃଭରଣ ଓ ଖରିଫ ଜଳସେଚନକୁ ବୃଦ୍ଧି କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ।

ନ୍ୟାୟିକ କମର୍ଚାରୀଙ୍କ ନିଯୁକ୍ତି ଓ ସେବା ନିୟମ ସଂଶୋଧନ

ରାଜ୍ୟ ସରକାର “ଓଡ଼ିଶା ଜିଲ୍ଲା ଓ ସିଭିଲ କୋର୍ଟ ନ୍ୟାୟିକ କର୍ମଚାରୀ ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମ, ୨୦୦୮\”ରେ ସଂଶୋଧନ ଆଣିବାକୁ ନିଷ୍ପତ୍‌ତି ନେଇଛନ୍ତି । ନୂତନ ଅପରାଧୀ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ୨୦୨୩; ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩ କାର୍ଯ୍ୟକାରୀ ହେବା ପରେ ନ୍ୟାୟିକ କର୍ମଚାରୀଙ୍କ ଆଇନଗତ ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ ଏହି ସଂଶୋଧନ ଆବଶ୍ୟକ ହୋଇଛି । ଏହା ଦ୍ୱାରା କୋର୍ଟର ନୈତିକ କାର୍ଯ୍ୟ ସୁଗମ ହେବା ସହ ମାମଲାର ଶୀଘ୍ର ନିଷ୍ପତ୍ତି ସମ୍ଭବ ହେବ ।

ଓଡ଼ିଶା ଲ’ ଅଫିସର୍ସ ନିୟମାବଳୀରେ ସଂଶୋଧନ

“ଓଡ଼ିଶା ଲ’ ଅଫିସର୍ସ ନିୟମାବଳୀ- ୧୯୭୧’ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଓଡ଼ିଶା ରାଜ୍ୟ ପ୍ରସିକ୍ୟୁସନ ସର୍ଭିସ (ଓଏସପିଏସ୍‌) କ୍ୟାଡରରେ ଆଇନ ଅଧିକାରୀଙ୍କ ଅଭାବ ଦୂର କରିବା ଏବଂ ବକେୟା ମାମଲାର ଭାର ହ୍ରାସ କରି ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ଏହି ସଂଶୋଧନ ଆଣାଯାଇଛି । ଶେଷଥର ପାଇଁ ଗତବର୍ଷ ମାର୍ଚ୍ଚ ୧୩  ତାରିଖରେ ଏହିନ ିୟମର ସଂଶୋଧନ ହୋଇଥିଲା ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading