ଏହି ଯୁବକଙ୍କୁ କାହିଁକି ଫୋନ କରିଥିଲେ ବିରାଟ କୋହଲି ଓ ଏବି ଡିଭିଲିୟର୍ସ?

Spread the love

ଛତିଶଗଡ଼ର ଗରିଆବନ୍ଦ ଅନ୍ତର୍ଗତ ଗୋଟିଏ ଛୋଟ ଗାଁ ହେଉଛି ମାଡଗାଓଁ। ଏଠାରେ ରୁହନ୍ତି ମନୀଶ ବିଶି। ହେଲେ ତାଙ୍କୁ ଫୋନ କରି କିମ୍ବଦନ୍ତୀ କ୍ରିକେଟର ବିରାଟ କୋହଲି, ଏବି ଡିଭିଲିୟର୍ସ ଓ ରଜତ ପାଟିଦାରଙ୍କ ଭଳି ଖେଳାଳି କଥା ହୋଇଛନ୍ତି। ଆପଣ ଭାବୁଥିବେ କୌଣସି ବିଜ୍ଞାପନ କିମ୍ବା ବ୍ରାଣ୍ଡ ପ୍ରମୋସନ ପାଇଁ ଏପରି ହୋଇଥିବ। କେହି କେହି ଏହାକୁ ଫିଲ୍ମର କାହାଣୀ ବୋଲି ମଧ୍ୟ କହିପାରନ୍ତି। କିନ୍ତୁ ବାସ୍ତବ ଜୀବନରେ ମନୀଶଙ୍କ ସହ ଏପରି ଘଟଣା ଘଟିଛି। ବିରାଟ କୋହଲି ତାଙ୍କୁ ଫୋନ କରି କଥା ହୋଇଛନ୍ତି।

ନିକଟରେ ମନୀଶ ସ୍ଥାନୀୟ ମୋବାଇଲ ଫୋନ ଦୋକାନରୁ ଗୋଟିଏ ସିମ କାର୍ଡ କିଣିଥିଲେ। ଏହାପରେ ତାଙ୍କୁ ବିଭିନ୍ନ ସେଲେବ୍ରିଟି ଫୋନ କରିବା ଆରମ୍ଭ କରିଥିଲେ ଓ ତାଙ୍କ ଜୀବନରେ ଫିଲ୍ମର କାହାଣୀ ପରି ଗୋଟିଏ ପରେ ଗୋଟିଏ ଘଟଣା ଘଟିବା ଆରମ୍ଭ ହୋଇଥିଲା। ବାସ୍ତବରେ ମନୀଶ ବିଶି କିଣିଥିବା ସିମ କାର୍ଡକୁ ଏକଦା ରାଇଜିଂ କ୍ରିକେଟର ରଜତ ପାଟିଦାର ବ୍ୟବହାର କରୁଥିଲେ। ଉକ୍ତ ନମ୍ବରକୁ ବିଶି ବ୍ୟବହାର କରିବା ମାତ୍ରେ ତାଙ୍କ ପାଖକୁ ବିରାଟ କୋହଲି ଓ ଏବି ଡିଭିଲିୟର୍ସଙ୍କ ଭଳି କିମ୍ବଦନ୍ତୀଙ୍କ ଫୋନ ଆସିଥିଲା।

Also Read

ପ୍ରଥମେ ମନୀଶ ଓ ତାଙ୍କ ବନ୍ଧୁ ଖେମରାଜ ନେଟୱର୍କ ସମସ୍ୟା ବା କ୍ରସ କନେକସନ ବୋଲି ଭାବିଥିଲେ। ହେଲେ ଉକ୍ତ ନମ୍ବରରେ ହ୍ୱାଟସଆପ ଇନଷ୍ଟଲ କରିବା ମାତ୍ରେ ଆରସିବିର ଅଧିନାୟକ ପାଟିଦାରଙ୍କ ପ୍ରୋଫାଇଲ ପିକଚର ଦେଖିଥିଲେ। ଏଥିସହ ତାଙ୍କୁ ଫୋନ କରିଥିବା ଲୋକ ସତରେ ବିରାଟ କୋହଲି ଓ ଡିଭିଲିୟର୍ସ ବୋଲି ସେମାନେ ଅନୁଭବ କରିଥିଲେ।

ଗଜେନ୍ଦ୍ର ବିଶି ନାମକ ଚାଷୀଙ୍କ ପୁଅ ହେଉଛନ୍ତି ମନୀଶ। ଜୁନ ୨୮ରେ ସେ ତାଙ୍କ ଗାଁ ଠାରୁ ୮ କିମି ଦୂର ଦେଓଭୋଗରେ ଥିବା ମୋବାଇଲ ଦୋକାନରୁ ସିମ କିଣିଥିଲେ। ଏହାପରେ ମନୀଶ ଓ ବନ୍ଧୁ ଖେମରାଜ ଏହାକୁ ମିଳିତ ଭାବେ ବ୍ୟବହାର କରିଥିଲେ। କିନ୍ତୁ ସେମାନଙ୍କ ପାଖକୁ ବିରାଟ କୋହଲି, ଡିଭିଲିୟର୍ସ ଓ ୟାଶ ଦୟାଲଙ୍କ ଭଳି ଖେଳାଳିଙ୍କ ଫୋନ ଆସିବା ଆରମ୍ଭ ହୋଇଥିଲା। ଏତେ ବଡ଼ ବଡ଼ ସେଲେବ୍ରିଟିଙ୍କ ସହ ଉଭୟ ଫୋନରେ କଥା ହୋଇଥିଲେ ହେଁ ନିଜକୁ ବିଶ୍ୱାସ କରିପାରୁ ନଥିଲେ। ସେମାନେ ଏହାକୁ ପ୍ରାଙ୍କ କଲ ବୋଲି ଭାବୁଥିଲେ।

ତେବେ ଏହି ଘଟଣାରେ ଟ୍ୱିଷ୍ଟ ଜୁଲାଇ ୧୫ରେ ଆସିଥିଲା। ନିଜେ ପାଟିଦାର ଉକ୍ତ ନମ୍ବରକୁ ଫୋନ କରିଥିଲେ। ସେ କହିଥିଲେ, “ଭାଇ ଦୟା କରି ମୋ ସିମ ଫେରାଇ ଦିଅ।” ତଥାପି ମନୀଶ ଓ ଖେମରାଜ ଏହାକୁ ବିଶ୍ୱାସ କରି ନଥିଲେ। କିନ୍ତୁ ପାଟିଦାରଙ୍କ ତତ୍ପରତା ଓ ପୁଲିସ୍‌ ପଠାଇବା କଥା ଶୁଣି ସେମାନେ ସାମାନ୍ୟ ବିଶ୍ୱାସ କରିବାକୁ ଲାଗିଥିଲେ।

ପାଟିଦାର କଲ କାଟିବା ପରେ ପୁଲିସ୍‌ ଟିମ ଆସିଥିଲା। ଏହାକୁ ଦେଖି ମନୀଶ ଓ ଖେମରାଜ ପୂର୍ବରୁ ଆସୁଥିବା କଲ ପ୍ରାଙ୍କ ନଥିଲା ବୋଲି ଅନୁଭବ କରିଥିଲେ। ଗରିଆବନ୍ଦ ଡେପୁଟି ଏସ୍‌ପି ନେହା ସିହ୍ନା କହିଛନ୍ତି ଯେ ୯୦ ଦିନ ଧରି ବନ୍ଦ ରହିବା ଯୋଗୁ ଟେଲିକମ ନୀତି ଅନୁସାରେ ଉକ୍ତ ସିମ ଡିଆକ୍ଟିଭେଟ ହୋଇ ଯାଇଥିଲା। ଏହାପରେ ନିୟମ ଅନୁସାରେ ଏହାକୁ ନୂଆ ଗ୍ରାହକଙ୍କୁ ଦିଆଯାଇ ଥାଏ।

ସମାନ ଘଟଣା ଏବେ ମନୀଶଙ୍କ ସହ ଘଟିଛି। ସିମ କିଣିବା ପରେ ରଜତ ପାଟିଦାରଙ୍କ ଯୋଗାଯୋଗରେ ଥିବା କ୍ରିକେଟରମାନେ ମନୀଶଙ୍କୁ ଫୋନ କରିଥିଲେ। ପାଟିଦାର ମଧ୍ୟପ୍ରଦେଶ ସାଇବର ସେଲକୁ ତାଙ୍କ ସିମ ଆଉ କାହାକୁ ଦିଅଯାଇଥିବା ଜଣାଇଥିଲେ। ଏହାକୁ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ। ମଧ୍ୟପ୍ରଦେଶ ସାଇବର ସେଲ ଏନେଇ ଗରିଆବନ୍ଦ ପୁଲିସ୍‌କୁ ଯୋଗାଯୋଗ କରିଥିଲେ। ପୁଲିସ୍‌ ଏନେଇ ମନୀଶ ଓ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲା। ସେମାନଙ୍କ ସହମତିରେ ପାଟିଦାରଙ୍କୁ ସିମ ହସ୍ତାନ୍ତର କରାଯାଇଥିବା ନେହା ସିଂହ କହିଛନ୍ତି।

ଏବେ ସବୁ କିଛିର ସମାଧାନ ହୋଇ ସାରିଛି। କିନ୍ତୁ ମନୀଶ, ଖେମରାଜ ଓ ସେମାନଙ୍କ ପରିବାର ପାଇଁ ଉକ୍ତ ଅଭିଜ୍ଞତା କୌଣସି ଫିଲ୍ମ ଠାରୁ କମ ନଥିଲା। ଖେମରାଜ ହେଉଛନ୍ତି ବିରାଟ କୋହଲିଙ୍କ ଜଣେ ବଡ଼ ପ୍ରଶଂସକ। ସେ କହିଛନ୍ତି, “ବିରାଟ କୋହଲିଙ୍କ ସହ ଦିନେ କଥା ହେବି ବୋଲି ମୁଁ କେବେ ହେଲେ ଭାବି ନଥିଲି। ଯେତେବେଳେ ଏବି ଡିଭିଲିୟର୍ସ ଫୋନ କଲେ ସେ ଇଂରାଜୀରେ କଥା ହୋଇଥିଲେ।

ଆମେ କିଛି ବି ବୁଝି ପାରି ନଥିଲୁ। କିନ୍ତୁ ଆମେ ବେଶ ଉତ୍ସାହିତ ହୋଇ ଯାଇଥିଲୁ। ମନୀଶକୁ ଯେତେବେଳେ ସେ ମୋତେ ଫୋନ ଧରାଇ ଦିଏ। ବିରାଟ କୋହଲି ଓ ୟାଶ ଦୟାଲ ଫୋନ କରି କାହିଁକି ଆମେ ପାଟିଦାରଙ୍କ ନମ୍ବର ବ୍ୟବହାର କରୁଛୁ ବୋଲି ପ୍ରଶ୍ନ କରିଥିଲେ। ଆମେ ସେମାନଙ୍କୁ ନୂଆ ସିମ ଆଣିଥିବା କଥା କହିଥିଲୁ ଓ ଏହା ଆମ ନମ୍ବର ବୋଲି ବୁଝାଇ ଥିଲୁ।”


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading