ନୂଆଦିଲ୍ଲୀ: ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ସମୟରେ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କୁ ସହାୟତା କରିବାରେ ନିଷ୍କ୍ରିୟତା ନେଇ ବିହାରର ରାଜନୈତିକ ଦଳଗୁଡ଼ିକୁ ସୁପ୍ରିମ୍କୋର୍ଟ ଶୁକ୍ରବାର କଡ଼ା ସମାଲୋଚନା କରିଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇଜଣିଆ ଖଣ୍ଡପୀଠ ନିର୍ବାଚନ ଆୟୋଗ ଦ୍ୱାରା ତାଲିକାଭୁକ୍ତ ୧୧ଟି ଦସ୍ତାବିଜ କିମ୍ବା ଆଧାର କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ସହ ଲୋକଙ୍କୁ ଅଭିଯୋଗ ଦାଖଲ କରିବାରେ ସାହାଯ୍ୟ କରିବା ପାଇଁ ଦଳୀୟ କର୍ମୀମାନଙ୍କୁ ଆଦେଶ ଜାରି କରିବାକୁ ୧୨ଟି ରାଜନୈତିକ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଏହି ପ୍ରକ୍ରିୟାର ସମୟସୀମା ପରିବର୍ତ୍ତନ କରାଯାଉନାହିଁ। ଗତ ଶୁଣାଣିରେ ସୁପ୍ରିମ୍କୋର୍ଟ କହିଥିଲେ ଯେ ଯେଉଁମାନଙ୍କ ନାମ ଡ୍ରାଫ୍ଟ ତାଲିକାରୁ ବାଦ୍ ଦିଆଯାଇଛି ସେମାନେ ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ସେମାନଙ୍କ ଆଧାର କାର୍ଡ ଦାଖଲ କରିପାରିବେ।
‘ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ସାହାଯ୍ୟ କରିବା ଦରକାର’
ବିହାରରେ ରାଜନୈତିକ ଦଳର ୧.୬୮ ଲକ୍ଷରୁ ଅଧିକ ବୁଥ୍-ସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ଅଛନ୍ତି ବୋଲି ନିର୍ବାଚନ ଆୟୋଗ କହିବା ପରେ ସର୍ବୋଚ୍ଚ ଅଦାଲତ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏସ୍ଆଇଆର୍ର ଏହି ପ୍ରୟାସ ଲକ୍ଷ ଲକ୍ଷ ଭୋଟରଙ୍କୁ ବଞ୍ଚିତ କରିବ ବୋଲି ବିରୋଧୀ ଦାବି କରୁଥିବା ବେଳେ ଅଗଷ୍ଟ ପହିଲାରେ ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ପ୍ରାୟ ୬୫ ଲକ୍ଷ ଭୋଟରଙ୍କୁ ବାଦ୍ ଦିଆଯାଇଛି। ଅନେକ ବିରୋଧୀ ଦଳ ଏହି ସଂଖ୍ୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଦାବି କରିଛନ୍ତି ଯେ ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଡ୍ରାଫ୍ଟ ତାଲିକାରେ ମୃତ ଘୋଷଣା କରାଯାଇଛି। ସୁପ୍ରିମ୍କୋର୍ଟ କହିଛନ୍ତି, ଆମେ ରାଜନୈତିକ ଦଳଗୁଡ଼ିକର ନିଷ୍କ୍ରିୟତା ଦେଖି ଆଶ୍ଚର୍ଯ୍ୟ ହୋଇଛୁ। ଏତେ ସଂଖ୍ୟାରେ ବିଏଲ୍ଏ (ବୁଥ୍-ସ୍ତରୀୟ ଏଜେଣ୍ଟ) ନିଯୁକ୍ତ ହେବା ପରେ ସେମାନେ କ’ଣ କରୁଛନ୍ତି? ରାଜନୈତିକ ଦଳମାନେ ଭୋଟରଙ୍କୁ ସାହାଯ୍ୟ କରିବା ଦରକାର ବୋଲି କୋର୍ଟ କହିଛନ୍ତି। ଡ୍ରାଫ୍ଟ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ନ ଥିବା ୬୫ ଲକ୍ଷ ଲୋକ ଜୀବିତ ଅଛନ୍ତି ନା ମୃତ୍ୟୁବରଣ କରିଛନ୍ତି କିମ୍ବା ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ବାସସ୍ଥାନ ସ୍ଥାନାନ୍ତର କରିଛନ୍ତି ତାହା ସମସ୍ତ ରାଜନୈତିକ ଦଳର ବିଏଲ୍ଏମାନେ ଯାଞ୍ଚ କରିବେ ବୋଲି କୋର୍ଟ କହିଛନ୍ତି।
‘ଆପତ୍ତି ଦାଖଲ କରିବାକୁ ଅନୁମତି ଦିଆଯାଉନାହିଁ’
ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ଅଭିଷେକ ମନୁ ସିଂଘଭି ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ଦଳଗୁଡ଼ିକ ଯୁକ୍ତି ବାଢ଼ିଥିଲେ ଯେ ସେମାନଙ୍କ ବିଏଲ୍ଏମାନଙ୍କୁ ଆପତ୍ତି ଦାଖଲ କରିବାକୁ ଦିଆଯାଉନାହିଁ। ଅଦାଲତ ଏହାକୁ ଗୁରୁତ୍ବ ଦେଇ ଏହି ମାମଲାରେ ୧୨ଟି ପଞ୍ଜୀକୃତ ରାଜନୈତିକ ଦଳକୁ ପକ୍ଷଭୁକ୍ତ କରିଛନ୍ତି। ଜଷ୍ଟିସ୍ କାନ୍ତ କହିଛନ୍ତି ଯେ ବିଏଲ୍ଏ କିମ୍ବା ଲୋକମାନେ ବ୍ୟକ୍ତିଗତ ଭାବେ ଅନ୍ଲାଇନରେ ଅଭିଯୋଗ ଦାଖଲ କରିପାରିବେ। ଯେଉଁଠି ଫିଜିକାଲ ଫର୍ମ ଦାଖଲ କରାଯାଏ ସେଠାରେ ବୁଥ୍-ସ୍ତରୀୟ ଅଧିକାରୀଙ୍କୁ ଫର୍ମ ଗ୍ରହଣ କରି ପ୍ରାପ୍ତି ସ୍ବୀକାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ଶେଷ ଆଡ଼କୁ
ବିହାରରେ ନିର୍ବାଚନ ହେବାକୁ ଥିବାବେଳେ କମିସନଙ୍କ ଏସ୍ଆଇଆର୍ ଅଭ୍ୟାସକୁ ଚ୍ୟାଲେଞ୍ଜ କରୁଥିବା ଏକାଧିକ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
Discover more from Emerging Odisha
Subscribe to get the latest posts sent to your email.