ଏପ୍ରିଲ୍‌ରୁ ନୂଆ ଆୟକର ଆଇନ: ଟିକସ ହାର ଅପରିବର୍ତ୍ତିତ, ୩୯ଟି ନୂଆ ସାରଣୀ ଏବଂ ୪୦ଟି ନୂଆ ଫର୍ମୁଲା

Spread the love

ନୂଆଦିଲ୍ଲୀ: ସରକାର ଆଜି ଆୟକର ଆଇନ-୨୦୨୫ର ଗେଜେଟ୍‌ ବିଜ୍ଞପ୍ତି ଜାରି କରିଛନ୍ତି। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଲ୍‌ରେ ମୋହର ମାରିଥିଲେ ବୋଲି ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଗେଜେଟ୍‌ ବିଜ୍ଞପ୍ତିରେ ଦର୍ଶାଯାଇଛି। ଅନ୍ୟଥା କିଛି ଉଲ୍ଲେଖ ନଥିଲେ ନୂଆ ଆୟକର ଆଇନ ୨୦୨୬ ଏପ୍ରିଲ ପହିଲାରୁ ଲାଗୁ ହେବ। ନୂଆ ଆଇନ ଆସିବା ଫଳରେ ୬ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟକାରୀ ହୋଇ ଆସୁଥିବା ଆୟକର ଆଇନ-୧୯୬୧ ଅଚଳ ହୋଇଯିବ। 

ନୂଆ ଆୟକର ଆଇନରେ ଟିକସ ହାରରେ ପରିବର୍ତ୍ତନ କରଯାଇ ନାହିଁ। କେବଳ ଜଟିଳ ଆୟକର ଆଇନକୁ ସରଳ କରିବା ପାଇଁ ଏଥିରେ ଭାଷାର ପରିବର୍ତ୍ତନ କରାଯାଇଛି। ପୁରୁଣାକାଳିଆ ଶବ୍ଦ ଏବଂ ଅନାବଶ୍ୟକ ବ୍ୟବସ୍ଥାଗୁଡ଼ିକୁ ବାଦ୍‌ ଦିଆଯାଇଛି। ୨୩ଟି ଅଧ୍ୟାୟରେ ପରିବ୍ୟାପ୍ତ ନୂଆ ଆଇନରେ ୮୧୯ଟି ଧାରା ରହିଛି। ସେହିଭଳି ପୁରୁଣା ଆୟକର ଆଇନରେ ଶବ୍ଦ ସଂଖ୍ୟା ୫.୧୨ ଲକ୍ଷ ଥିବାବେଳେ ନୂଆ ଆଇନରେ ଏହାକୁ ୨.୬ ଲକ୍ଷକୁ ହ୍ରାସ କରାଯାଇଛି। ପ୍ରଥମ ଥର ପାଇଁ ଆୟକର ଆଇନରେ ୩୯ଟି ନୂଆ ସାରଣୀ ଏବଂ ୪୦ଟି ନୂଆ ଫର୍ମୁଲା ରଖାଯାଇଛି। ଟିକସଦାତାଙ୍କ ସ୍ପଷ୍ଟତା ପାଇଁ ଏହା କରାଯାଇଛି। ନୂଆ ବିଲ୍‌ରେ ‘ଟିକସ ବର୍ଷ’ ବ୍ୟବସ୍ଥା ଆରମ୍ଭ କରାଯାଇଛି ଯାହାକି ପ୍ରତିବର୍ଷ ଏପ୍ରିଲ୍‌ ୧ରୁ ଆରମ୍ଭ ହେବ।

ଏଥି ସହିତ ନୂଆ‌ ଆୟକର ବିଲ୍‌ ୨୦୨୫ ପ୍ରଥମେ ଚଳିତ ବର୍ଷ ଫେବ୍ରୁଆରିରେ ଲୋକସଭାରେ ଆଗତ ହୋଇଥିଲା। ସେହି ବିଲ୍‌କୁ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିକୁ ଅନୁଶୀଳନ ପାଇଁ ପଠାଇଦିଆଯାଇଥିଲା। କିନ୍ତୁ ମୌସୁମୀ ଅଧିବେଶନରେ ଆଗତ ହୋଇଥିବା ବିଲ୍‌କୁ ପ୍ରତ୍ୟାହାର କରିନିଆଯାଇଥିଲା। ସିଲେକ୍ଟ କମିଟି କରିଥିବା ସୁପାରିସ ଆଧାରରେ ବିଲ୍‌ରେ ଅନେକ ପରିବର୍ତ୍ତନ ଅଣାଯିବା ପରେ ଏହାକୁ କିଛି ଦିନ ପରେ ପୁନର୍ବାର ଆଗତ କରାଯାଇଥିଲା। ପ୍ରଥମେ ଲୋକସଭା ଓ ପରେ ରାଜ୍ୟସଭାରେ ବିଲ୍ ପାରିତ ହୋଇଥିଲା। 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading