ଇଂଲଣ୍ଡରେ ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

Spread the love

ଇଂଲଣ୍ଡ ମାଟିରେ ନୂଆ ଇତିହାସ ସୃଷ୍ଟି କରି ଭାରତୀୟ ମହିଳା କ୍ରିକେଟ ଟିମ। ହରମନପ୍ରୀତ କୌରଙ୍କ ଟିମ ଇଣ୍ଡିଆ ଦିନିକିଆ କ୍ରିକେଟରେ ନୂଆ ଅଧ୍ୟାୟ ଯୋଡ଼ିଛି। ବୁଧବାର ଭ୍ରମଣକାରୀ ଭାରତୀୟ ଟିମ ଦମଦାର ପ୍ରଦର୍ଶନ କରି ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆକୁ ୧୩ ରନରେ ଜିତି ନେଇଛି। ଏହି ବିଜୟ ସହ ଭାରତୀୟ ଟିମ ୨-୧ରେ ଦିନିକିଆ ସିରିଜକୁ ମଧ୍ୟ କବଜା କରି ନେଇଛି।

ଅଧିନାୟକ ହରମନପ୍ରୀତ କୌରଙ୍କ ୮୪ ବଳରେ ବିସ୍ଫୋରକ ୧୦୨ ରନ ବଳରେ ଭାରତୀୟ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ୩୧୮ ରନ କରିଥିଲା। ଜେମିମା ରୋଡ୍ରିଗ୍ସଙ୍କ ବ୍ୟାଟରୁ ମଧ୍ୟ ଅର୍ଦ୍ଧଶତକ ବାହାରିଥିବା ବେଳେ ରିଚା ଘୋଷ ୧୮ ବଲରେ ଅପରାଜିତ ୩୮ ରନର ଇନିଂସ ଖେଳିଥିଲେ।

୩୧୯ ରନର ପିଛା କରୁଥିବା ଇଂଲଣ୍ଡ ବେଶ ଚମତ୍କାର ଢଙ୍ଗରେ ଲଢ଼ିଥିଲା। ଅଧିନାୟକ ନାଟ ସ୍କିଭର ବ୍ରଣ୍ଟ ୧୦୫ ବଲରେ ୯୮ ରନ କରିଥିଲେ। କିନ୍ତୁ ଇଂଲଣ୍ଡ ୪୯.୫ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୩୦୫ ରନ କରିପାରିଥିଲା। ଭାରତ ପକ୍ଷରୁ ଯୁବ ବୋଲର କ୍ରାନ୍ତି ଗୌଡ଼ ଏକାକୀ ୬ ୱିକେଟ ଦଖଲ କରିଥିଲେ। 

ଭାରତ ୧୩ ରନରେ ମ୍ୟାଚ୍‌ ସହ ସିରିଜକୁ ୨-୧ରେ ଜିତି ନୂଆ କୀର୍ତ୍ତିମାନ ହାସଲ କରିଛି। ଭାରତ ଇତିହାସରେ ଦ୍ୱିତୀୟ ଦଳ ଭାବେ ଇଂଲଣ୍ଡ ମାଟିରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଦିନିକିଆ ସିରିଜ ଜିତି ପାରିଛି। ୨୦୨୨ ଦିନିକିଆ ସିରିଜରେ ଭାରତୀୟ ଟିମ ୩-୦ରେ ଇଂଲଣ୍ଡକୁ ହରାଇଥିଲା। ଭାରତ ବ୍ୟତୀତ ଏଭଳି କୀର୍ତ୍ତିମାନ କେବଳ ଅଷ୍ଟ୍ରେଲିଆ ମହିଳା ଦଳ ପୂର୍ବରୁ କରିଥିଲା। ଏବେ ଭାରତ ଏହି ତାଲିକାରେ ଯୋଡ଼ି ହୋଇ ଯାଇଛି।

ଏହା ପୂର୍ବରୁ ଭାରତୀୟ ମହିଳା ଟିମ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ମଧ୍ୟ ଜିତିଥିଲା। ୫ ଟିକିଆ ଟି-୨୦ ସିରିଜରେ ଘରୋଇ ଇଂଲଣ୍ଡ ୨-୩ରେ ଭାରତ ଠାରୁ ହାରିଥିଲା। ଭାରତୀୟ ମହିଳା ଟିମ ପ୍ରଥମଥର ପାଇଁ ଇଂଲିଶ ମାଟିରେ କୌଣସି ଟି-୨୦ ସିରିଜ ଜିତିବାର ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା।

ମିତାଲି ରାଜଙ୍କ ସମକକ୍ଷ ହେଲେ ହରମନପ୍ରୀତ କୌର

୮୪ ବଲରେ ୧୦୨ ରନର ଇନିଂସ ଖେଳି ଉଭୟ ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ପୁରସ୍କାର ଜିତିଥିବା ହରମନପ୍ରୀତ କୌର ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଇଂଲଣ୍ଡ ମାଟିରେ ଦିନିକିଆରେ ୧୦୦୦ ରନ ପୂରଣ କରିଛନ୍ତି। କିମ୍ବଦନ୍ତୀ କ୍ରିକେଟର ମିତାଲି ରାଜଙ୍କ ପରେ ହରମନପ୍ରୀତ ଦ୍ୱିତୀୟ ଭାରତୀୟ ଭାବେ ଏପରି ସଫଳତା ହାସଲ କରିଛନ୍ତି। ୩୬ ବର୍ଷୀୟ କୌର ଇଂଲିଶ ମାଟିରେ ନିଜର ୩୦ତମ ଦିନିକିଆ ଖେଳିବା ସହ ୧୦୦୦ ରନ ପୂରଣ କରିପାରିଛନ୍ତି। ଏହା ମଧ୍ୟରେ ୩ଟି ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି।

ଭାରତ ପାଇଁ ମିତାଲି ଇଂଲିଶ ମାଟିରେ ୪୧ଟି ଦିନିକିଆ ଖେଳି ୧୫୫୫ ରନ କରିଥିଲେ। ସେ ପ୍ରଥମ ଅଣ ଇଂଲିଶ ବ୍ୟାଟର ଯିଏ ଇଂଲଣ୍ଡରେ ୧୦୦୦ କିମ୍ବା ତା’ ଠାରୁ ଅଧିକ ରନ କରିଥିଲେ।

ହରମନପ୍ରୀତ କୌର ତୃତୀୟ ଭାରତୀୟ ଭାବେ ଦିନିକିଆରେ ୪୦୦୦ ରନ ମଧ୍ୟ ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ ମିତାଲି ରାଜ(୭୮୦୫) ଓ ସ୍ମୃତି ମନ୍ଧାନା(୪୫୮୮) ରନ ଏପରି ସଫଳତା ହାସଲ କରିଥିଲେ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading