ନୂଆଦିଲ୍ଲୀ: ଆମେରିକା ଦ୍ୱାରା ଭାରତ ଉପରେ ଲଗାଯାଇଥିବା ୫୦ ପ୍ରତିଶତ ଶୁଳ୍କ କାର୍ଯ୍ୟକାରୀ ହୋଇଛି। ଏହା ଭାରତର ଲକ୍ଷ ଲକ୍ଷ ଚାକିରି ପ୍ରତି ବିପଦ ସୃଷ୍ଟି କରିଥିବା ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ସତର୍କ କରାଇଛି। ବିଶେଷ କରି ବୟନ, ଚମଡ଼ାରୁ ପ୍ରସ୍ତୁତ ସାମଗ୍ରୀ, ଗହଣା, ରତ୍ନପଥର, ଅଟୋମୋବାଇଲ୍ ଯନ୍ତ୍ରାଂଶ, ରସାୟନ, ଫାର୍ମା, ସିଫୁଡ୍, ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଲୋକ ଚାକିରି ହରାଇବା ଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଆମେରିକା ଲଗାଇଥିବା ଶୁଳ୍କ ପ୍ରଭାବରେ ସେଠାରେ ଭାରତୀୟ ଜିନିଷ ୩୫ ପ୍ରତିଶତ ମହଙ୍ଗା ହୋଇଯିବ, ଯାହା ୪୮୦୦ କୋଟି ଡଲାରର ରପ୍ତାନିକୁ ସିଧାସଳଖ ପ୍ରଭାବିତ କରିବ। ଏସବୁ ଜାଣିବା ପରେ ଏବେ ଦେଶରେ କ୍ରୋଧର ବାତାବରଣ ରହିଛି। ଏମଧ୍ୟରେ ଆମ ଆଦମୀ ପାର୍ଟି(ଆପ୍)ର ସଂଯୋଜକ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ, ଯଦି ଆମେରିକା ଗୁଣ୍ଡାଗର୍ଦି କରି ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି, ତେବେ ଆମକୁ ମଧ୍ୟ ସମାନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଥିଲା।
କେଜରିୱାଲ କହିଛନ୍ତି ଯେ, ଟ୍ରମ୍ପ ଜଣେ ଡରୁଆ ବ୍ୟକ୍ତି। ସେ ଏକପାଖିଆ ନିଷ୍ପତ୍ତି ନେଉଛନ୍ତି। ଟ୍ରମ୍ପଙ୍କ ବିରୋଧରେ ଯେଉଁ ଦେଶ ଠିଆ ହେଉଛି, କିଛି ଦିନ ପରେ ତାଙ୍କୁ ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ୁଛି। ଆଜି ଆମ ଦେଶକୁ ଦୁଇଟି ପାର୍ଶ୍ୱରୁ ଆଘାତ ଲାଗିଛି। ଗୋଟିଏ ପଟେ ଟ୍ରମ୍ପ ଆମର ରପ୍ତାନି ଉପରେ ୫୦ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏହା ଯୋଗୁଁ ଆମର ଘରୋଇ ଶିଳ୍ପ ବନ୍ଦ ହେବାକୁ ବସିଛି। ଅନ୍ୟପଟେ, ମୋଦିଜୀ ଆମେରିକାରୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ହଟାଇ ଦେଇଛନ୍ତି।
ସେ ଆହୁରି କହିଛନ୍ତି, ଟ୍ରମ୍ପ ଆମ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ତେଣୁ ଆମକୁ ତାଙ୍କ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବା ଉଚିତ ଥିଲା। ଚୀନ୍ ଏବଂ କାନାଡା ଭଳି ଦେଶ ଆମେରିକାକୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଥିଲେ। ଆମେ କାହିଁକି ଏପରି କରିପାରିବା ନାହିଁ? ସାରା ଦେଶ ଜାଣିବାକୁ ଚାହୁଁଛି ଯେ, ମୋଦିଜୀ ଆପଣ କାହିଁକି ମୁଣ୍ଡ ନୁଆଁଇଲେ? ବିଶ୍ୱର କୌଣସି ଦେଶ ଭାରତର ଅସନ୍ତୋଷକୁ ସହ୍ୟ କରିପାରିବ ନାହିଁ। ସାହସ ଦେଖାନ୍ତୁ, ଆମେ ଆପଣଙ୍କ ସହିତ ଠିଆ ହୋଇଛୁ।
Discover more from Emerging Odisha
Subscribe to get the latest posts sent to your email.