ଆପୋସ ସମାଧାନ ମୁହାଁ ମହାନଦୀ ଜଳ ବିବାଦ

Spread the love

ନୂଆଦିଲ୍ଲୀ,୩ା୮: ମହାନଦୀ ଜଳ ବିବାଦର ସମାଧାନ ନେଇ ଓଡ଼ିଶା ଓ ଛତିଶଗଡ଼ ଆପୋସ ଆଲୋଚନା ମାଧ୍ୟମରେ ନେଉଥିବା ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ଶନିବାର ଦୁଇ ରାଜ୍ୟର ପ୍ରତିନିଧି ଟ୍ରିବ୍ୟୁନାଲକୁ ଜଣାଇଛନ୍ତି। ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ଜଷ୍ଟିସ ବେଲା ଏମ୍‌. ତ୍ରିବେଦୀ, ବିଚାରପତି ରବି ରଞ୍ଜନ ଏବଂ ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କୁ ନେଇ ଗଠିତ ପୀଠରେ ଶୁଣାଣି ସମୟରେ ଓଡ଼ିଶା ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ(ଏଜି) ପୀତାମ୍ବର ଆଚାର୍ଯ୍ୟ ଏବଂ ଅନ୍ୟ ୧୩ ଜଣ ଓକିଲଙ୍କୁ ନେଇ ଏକ ଟିମ୍‌ ଉପସ୍ଥିତ ରହିଥିଲେ। ଟ୍ରିବ୍ୟୁନାଲରେ ଏଜି ଆଚାର୍ଯ୍ୟ କହିଥିଲେ ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ମାସ ୨୫ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ କରି ମହାନଦୀ ଜଳ ବିବାଦର ଆପୋସ ସମାଧାନ ନିମନ୍ତେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲେ। ଓଡ଼ିଶାର ଏହି ପ୍ରସ୍ତାବକୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ଗୁରୁତ୍ୱ ଦେଇଛନ୍ତି। ଏଥିସହ ଜଳ ବିବାଦର ଆପୋସ ସମାଧାନ ଉପରେ ଚିନ୍ତା କରାଯାଉଛି ବୋଲି ଅଗଷ୍ଟ ୧ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖି ସାଇ ଜଣାଇଛନ୍ତି। ଏଥିସହିତ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ରାଜନୈତିକସ୍ତରରେ ଆଲୋଚନା କରି ଆପୋସ ବୁଝାମଣା ଦିଗରେ କଥା ଆଗକୁ ବଢ଼ିଥିବାରୁ ସମାଧାନ ପାଇଁ ଉଭୟ ପକ୍ଷ ରାଜିଥିବା ଶୁଣାଣି ସମୟରେ ଏଜି ଆଚାର୍ଯ୍ୟ କହିଥିଲେ। ଓଡ଼ିଶା ଏଜିଙ୍କ ଏହି ତଥ୍ୟକୁ ଛତିଶଗଡ଼ ପକ୍ଷରୁ ମାମଲା ପରିଚାଳନା କରୁଥିବା ସିନିୟର ଆଡଭୋକେଟ ଏ.କେ. ଗାଙ୍ଗୁଲି ମଧ୍ୟ ସହମତ ହୋଇଥିଲେ। ଟ୍ରିବ୍ୟୁନାଲ କହିଥିଲେ ଯେ, ଯେହେତୁ ଉଭୟ ପକ୍ଷ ଆପୋସ ସମାଧାନ କରିବାକୁ ଅଗ୍ରସର ହେଉଛନ୍ତି, ତେଣୁ ସେପ୍ଟେମ୍ବର ୬ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ। ସେହି ଦିନ ଉଭୟ ରାଜ୍ୟର ମୁଖ୍ୟଶାସନ ସଚିବ ଉପସ୍ଥିତ ରହିବାକୁ ଟ୍ରିବ୍ୟୁନାଲ୍‌ କହିଛନ୍ତି। ଟ୍ରିବ୍ୟୁନାଲ ବାହାରେ ଆଡଭୋକେଟ ଜେନେରାଲ ଆଚାର୍ଯ୍ୟ ଖବରଦାତାଙ୍କୁ କହିଥିଲେ, ପୂର୍ବ ବିଜେଡି ସରକାର ମହାନଦୀ ପ୍ରସଙ୍ଗକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବାକୁ ଯାଇ ପ୍ରାୟ ୩୦ କୋଟି ଟଙ୍କା ରାଜ୍ୟ ରାଜସ୍ବରୁ ଅଯଥା ବ୍ୟୟ କରିସାରିଛନ୍ତି। ଏପର୍ଯ୍ୟନ୍ତ କୋର୍ଟ ମାଧ୍ୟମରେ କୌଣସି ଜଳ ବିବାଦର ତ୍ୱରିତ ସମାଧାନ ହେବା ଦେଖାଯାଇ ନାହିଁ। ଅଦାଲତ ବାହାନାରେ ରାଜ୍ୟର ଅର୍ଥକୁ ଅଯଥା ଅପବ୍ୟୟ କରିବାକୁ ଆମେ ଚାହୁଁ ନାହୁଁ। ଏହି ବିବାଦ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଦ୍ୱାରା ସମାଧାନ ହୋଇଯିବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading