ରେକର୍ଡ ବୁକରେ ଅମିତ ଶାହଙ୍କ ନାଁ। ଅମିତ ଶାହ ହାସଲ କରିଛନ୍ତି ନୂଆ କୀର୍ତ୍ତିମାନ। ଦେଶର ଗୃହମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଧରି କାର୍ଯ୍ୟ କରିବାର ରେକର୍ଡ ଅମିତ ଶାହଙ୍କ ନାଁରେ ଯୋଡ଼ି ହୋଇଯାଇଛି। ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ୨୨୫୮ ଦିନ ହେଲା କାର୍ଯ୍ୟ କରୁଛନ୍ତି। ୨୦୧୯ ମେ’ ୩୦ରେ ସେ ପ୍ରଥମଥର ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେବେଠାରୁ ସେ ଏହି ପଦରେ ରହିଛନ୍ତି।
ତାଙ୍କ ଠାରୁ ଅଧିକ ଦିନ ଦେଶର କୌଣସି ରାଜନେତା ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ କାମ କରି ନାହାନ୍ତି। ପୂର୍ବରୁ ସର୍ବାଧିକ ଦିନ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ କାମ କରିବାର ରେକର୍ଡ ବିଜେପି ଭେଟରାନ ଲାଲ କୃଷ୍ଣ ଆଡଭାନୀଙ୍କ ନାଁରେ ଥିଲା। ଏବେ ଆଡଭାନୀଙ୍କୁ ପଛରେ ପକାଇ ଦେଇଛନ୍ତି ଅମିତ ଶାହ।
ସବୁଠାରୁ କୌତୁହଳର ବିଷୟ ହେଲା, ଏହି କୀର୍ତ୍ତିମାନ ଅଗଷ୍ଟ ୫ରେ ଅମିତ ଶାହଙ୍କ ନାଁରେ ଯୋଡ଼ି ହୋଇଛି। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ଅମିତ ଶାହ ସଂସଦରେ ଘୋଷଣା କରିଥିଲେ। ଜମ୍ମୁ-କଶ୍ମୀର ସ୍ୱତନ୍ତ୍ର ମାନ୍ୟତା ହରାଇଥିଲା। ଆଜି ଏହାକୁ ୬ ବର୍ଷ ପୂରିଥିବା ବେଳେ ଅମିତ ଶାହ ମଧ୍ୟ ଆଜିର ଦିନରେ ସର୍ବାଧିକ ସମୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡର ଅଧିକାରୀ ହୋଇଛନ୍ତି।
ଅମିତ ଶାହଙ୍କ ପୂର୍ବରୁ ଦେଶରେ ଗୃହ ମନ୍ତ୍ରୀ ଭାବେ ୨ ଜଣ ସର୍ବାଧିକ ସମୟ ଧରି କାର୍ଯ୍ୟ କରିଥିଲେ। ଜଣେ ହେଲେ କଂଗ୍ରେସ ନେତା ଗୋବିନ୍ଦ ବଲ୍ଲଭ ପନ୍ତ ଓ ଆଉ ଜଣେ ହେଲେ ବିଜେପିର ଲାଲ କୃଷ୍ଣ ଆଡଭାନୀ।
ଆଡଭାନୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ୧୯୯୮ ମସିହା ମାର୍ଚ୍ଚ ୧୯ରୁ ୨୦୦୪ ମେ’ ୨୨ ଯାଏ କାର୍ଯ୍ୟ କରିଥିଲେ। ଏହାର ଅର୍ଥ ସେ ୨୨୫୬ ଦିନ ଏହି ପଦରେ ରହିଥିଲେ। ଗୋବିନ୍ଦ ବଲ୍ଲଭ ପନ୍ତ ୬ ବର୍ଷ ୫୬ ଦିନ ଅର୍ଥାତ ୧୯୫୫ ମସିହା ଜାନୁଆରୀ ୧୦ରୁ ୧୯୬୧ ମସିହା ମାର୍ଚ୍ଚ ୭ ଯାଏ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ କାମ କରିଥିଲେ।
ଅମିତ ଶାହ ୨୦୧୯ ମସିହା ମେ’ ୩୦ରେ ପ୍ରଥମଥର ଦେଶର ଗୃହ ମନ୍ତ୍ରୀ ହୋଇଥିଲେ। ଏହି ପଦରେ ସେ ୨୦୨୪ ଜୁନ ୯ ଯାଏ କାର୍ଯ୍ୟ କରିଥିଲେ। ଏହାପରେ ୨୦୨୪ ଜୁନ ୧୦ରେ ସେ ପୁଣି ଗୃହ ମନ୍ତ୍ରୀ ହୋଇଥିଲେ। ଏବେ ବି ସେ ଗୃହ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବ୍ୟତୀତ ଶ୍ରୀ ଶାହ ଦେଶର ପ୍ରଥମ କର୍ପୋରେସନ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ସମ୍ପାଦନ କରୁଛନ୍ତି।
ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ଆଗରୁ ଅମିତ ଶାହ ଗୁଜରାଟର ଗୃହ ମନ୍ତ୍ରୀ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ରହିଥିଲେ।
Discover more from Emerging Odisha
Subscribe to get the latest posts sent to your email.