ଅଷ୍ଟ୍ରେଲିଆ ଓ ଆୟର୍ଲ୍ୟାଣ୍ଡରେ ଦୁଇ ଭାରତୀୟଙ୍କୁ ଭୟଙ୍କର ମାଡ଼

Spread the love

ଦମ୍ପତି ସେମାନଙ୍କ କାର ପାର୍କ କରିବା ସହ ସହରରେ ଲାଗିଥିବା ସୁନ୍ଦର ଲାଇଟକୁ ରାତି ୯.୨୨ରେ ଉପଭୋଗ କରିବାକୁ ଚାହୁଁଥିଲେ। ଆକ୍ରମଣକାରୀମାନେ ଆଉ ଗୋଟିଏ କାରରେ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ।

ବିଦେଶରେ ପଢ଼ୁଥିବା ଓ ରହୁଥିବା ଭାରତୀୟ ସୁରକ୍ଷିତ ନୁହନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ପୁଣି ଅଷ୍ଟ୍ରେଲିଆ ଓ ଆୟର୍ଲ୍ୟାଣ୍ଡରୁ ସାମ୍ନାକୁ ଆସିଛି। ବର୍ଣ୍ଣ ବୈଷମ୍ୟର ଶିକାର ହୋଇ ଦୁଇ ଜଣ ଭାରତୀୟ ଏବେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ସେମାନଙ୍କୁ ସଂଘବଦ୍ଧ ଭାବେ ବିଚ ରାସ୍ତାରେ ମାଡ଼ ମରାଯାଇଛି।

ଅଷ୍ଟ୍ରେଲିଆର ଆଡିଲେଡରେ ଆକ୍ରମଣ ହୋଇଥିବା ଭାରତୀୟ ଛାତ୍ର ଜଣଙ୍କ ଏବେ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସମ୍ଭାବ୍ୟ ବର୍ଣ୍ଣ ବୈଷମ୍ୟ ବିବାଦ କାରଣରୁ ତାଙ୍କୁ ଆକ୍ରମଣ କରାଯାଇଛି। ଏହି ଘଟଣା ପରେ ଅଷ୍ଟ୍ରେଲିଆରେ ରହୁଥିବା ଭାରତୀୟ ଲୋକମାନେ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ତର୍ଜାତୀୟ ଶିକ୍ଷାର୍ଥୀଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।

୨୩ ବର୍ଷୀୟ ଚରଣପ୍ରୀତ ସିଂହ ନିଜର ପତ୍ନୀଙ୍କ ସହ ଶନିବାର ସନ୍ଧ୍ୟାରେ କିଣ୍ଟୋରେ ଠାରେ ବୁଲୁଥିଲେ। ଏତିକି ବେଳେ ୫ ଜଣ ଯୁବକ ସେମାନଙ୍କ ଉପରେ ହଠାତ ଆକ୍ରମଣ କରି ଦେଇଥିଲେ। ଅଷ୍ଟ୍ରେଲିଆ ଟୁଡେର ରିପୋର୍ଟ ଅନୁସାରେ, ଦମ୍ପତି ସେମାନଙ୍କ କାର ପାର୍କ କରିବା ସହ ସହରରେ ଲାଗିଥିବା ସୁନ୍ଦର ଲାଇଟକୁ ରାତି ୯.୨୨ରେ ଉପଭୋଗ କରିବାକୁ ଚାହୁଁଥିଲେ। ଆକ୍ରମଣକାରୀମାନେ ଆଉ ଗୋଟିଏ କାରରେ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ।

ପ୍ରତ୍ୟେକ୍ଷଦର୍ଶୀ ଓ ସୋଶଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରୁ ସ୍ପଷ୍ଟ ହୋଇଛି ଯେ କିଛି ଧାରୁଆ ଅସ୍ତ୍ର ଓ ଲୁହା ରଡରେ ସେମାନେ ଚରଣପ୍ରୀତଙ୍କୁ ଆକ୍ରମଣ କରିଛନ୍ତି। ସେମାନେ ଆକ୍ରମଣ କରିବା ବେଳେ ବର୍ଣ୍ଣ ବୈଷମ୍ୟ ଶବ୍ଦର ବ୍ୟବହାର କରିଥିଲେ। ଭାରତୀୟଙ୍କୁ ସେମାନେ ଘୃଣା କରୁଥିବା ମଧ୍ୟ ମାଡ଼ ମାରିବା ବେଳେ କହିଥିଲେ। ଆକ୍ରମଣ ଯୋଗୁ ଶ୍ରୀ ସିଂହ ଗୁରୁତର ହେବା ସହ ଅଚେତ ହୋଇଯାଇଥିଲେ। ଏହାକୁ ଦେଖି ସେମାନେ ତାଙ୍କୁ ରାସ୍ତା ଉପରେ ଛାଡ଼ି ଫେରାର ହୋଇଯାଇଥିଲେ।

ଶ୍ରୀ ସିଂହ ହସ୍ପିଟାଲ ବେଡରୁ କହିଛନ୍ତି ଯେ “କାର ପାର୍କିଂରୁ ଆରମ୍ଭ ହୋଇଥିବା ବିବାଦ ପରବର୍ତ୍ତୀ ଅବସ୍ଥାରେ ବର୍ଣ୍ଣ ବୈଷମ୍ୟର ରୂପ ନେଇଥିଲା। ସେମାନେ ମୋତେ ଭାରତୀୟ ବୋଲି ଅଭଦ୍ର ଟିପ୍ପଣୀ କରି ବିଧା ଗୋଇଠା ମାରି ଚାଲିଥିଲେ। ଆପଣ ନିଜ ଶରୀରର ସବୁ କିଛି ବଦଳାଇ ପାରିବେ। କିନ୍ତୁ ନିଜ ଶରୀରର ରଙ୍ଗ ବଦଳାଇ ପାରିବେ ନାହିଁ।”

ସୋଶାଲ ମିଡିଆରେ ଆକ୍ରମଣକୁ ନିନ୍ଦା କରିବା ସହ ଶ୍ରୀ ସିଂହଙ୍କ ସହ ରହିଥିବା କହିଛନ୍ତି। ସେହିପରି ପୁଲିସ୍‌ ଏହି ଘଟଣାରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଏବେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି।

ଅନ୍ୟପକ୍ଷରେ ଆୟର୍ଲ୍ୟାଣ୍ଡରେ ମଧ୍ୟ ସମାନ ଘଟଣା ଘଟିଛି। ଏଠାରେ ଜଣେ ୪୦ ବର୍ଷୀୟ ଭାରତୀୟଙ୍କୁ ମାଡ଼ ମରାଯିବା ସହ ତାଙ୍କୁ ବିଚ ରାସ୍ତାରେ ଅର୍ଦ୍ଧନଗ୍ନ ଅବସ୍ଥାରେ ନିର୍ଯାତନା ଦିଆଯାଇଛି। ପୂରା ଘଟଣା ଡବଲିନର ତାଲ୍ଲାଘଟରେ ଘଟିଛି। ଆକ୍ରମଣରେ ଭାରତୀୟ ନାଗରିକଙ୍କ ମୁହଁ, ହାତ ଓ ଗୋଡ଼ରେ ଆଘାତ ଲାଗି ରକ୍ତ ଝରୁଥିବାର ଫଟୋ ସାମ୍ନାକୁ ଆସିଛି। ଶନିବାର ସନ୍ଧ୍ୟାରେ ଘଟଣାଟି ଘଟିଥିଲା। ଏବେ ବି ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପାର୍କ ହିଲ ରାସ୍ତାରେ ଘଟିଥିବା ଘଟଣାକୁ ପୁଲିସ୍‌ ଗୁରୁତା ସହ ନେବା ସହ ତଦନ୍ତ ଆରମ୍ଭ କରିଛି। ଆୟର୍ଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅଖିଲେଶ ମିଶ୍ରା ଏହାକୁ ନିନ୍ଦା କରିଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସ୍ଥାନୀୟ ପ୍ରଶାସନ ଓ ସାଧାରଣ ଲୋକ ଘଟଣାକୁ ନିନ୍ଦା କରି ଭାରତୀୟଙ୍କ ସମର୍ଥନ କରିଥିବାରୁ ଶ୍ରୀ ମିଶ୍ରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading