ଅପରେସନ ସିନ୍ଦୂର ସମ୍ପର୍କରେ ଚାଲିଥିବା ବତର୍କ ସମୟରେ କଂଗ୍ରେସକୁ ମନଇଚ୍ଛା ଧୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାକିସ୍ତାନ ଓ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ନିକିତିରେ ତଉଲିଛନ୍ତି। କଂଗ୍ରେସ ପାକିସ୍ତାନ ସ୍ୱର ସାଜିଥିବା ମୋଦି ଅଭିଯୋଗ କରିଛନ୍ତି।
ଅପରେସନ ସିନ୍ଦୂର ଠାରୁ ଆରମ୍ଭ କରି ୧୯୬୨-୬୩ରେ କେମିତି ପଣ୍ଡିତ ନେହରୁ ଅକସାଇ ଚିନକୁ ମରୁଭୂମି କହି ଛାଡ଼ି ଦେଇଥିଲେ, ସେକଥା ବି ମୋଦି କହିଛନ୍ତି। ଇନ୍ଦିରା ଗାନ୍ଧିଙ୍କ ଠାରୁ ରାଜୀବ ଗାନ୍ଧିଙ୍କ ଯାଏ ଦେଶର ସବୁ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ମୋଦି ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ସେମାନେ ଦେଶର ଜମିକୁ ଅନ୍ୟଙ୍କୁ ଦେଇଥିବା ମୋଦି କହିଛନ୍ତି।
ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି ମୋଦି। ଭାରତ-ପାକିସ୍ତାନ ଯୁଦ୍ଧ ବିରତି ଲାଗୁ ହେବାର ଶ୍ରେୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେବାକୁ ୨୯ ଥର ଚେଷ୍ଟା କରିଛନ୍ତି। ସେ ଭାରତ ଓ ପାକିସ୍ତାନକୁ ବାଣିଜ୍ୟ ଡିଲ କଥା କହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଲାଗୁ କରିଥିବା କହି ଚାଲିଛନ୍ତି।
ଟ୍ରମ୍ପଙ୍କ ଏହି ଦାବିରେ ସତ୍ୟତା ନଥିବା ବିଜେପି ନେତା ଓ ସାଂସଦ କହି ଚାଲିଥିଲେ ହେଁ ମୋଦି ଏ ସମ୍ପର୍କରେ ପଦୁଟିଏ ବି କହି ନାହାନ୍ତି। ସେହିପରି ଅପରେସନ ସିନ୍ଦୂର ବେଳେ କ’ଣ ଭାରତୀୟ ସେନା କିଛି ଜେଟ ହରାଇଥିଲା କି ଉଠୁଥିବା ପ୍ରଶ୍ନରେ ମଧ୍ୟ ମୋଦି କେବଳ ନୀରବତା ଅବଲମ୍ବନ କରିଛନ୍ତି।
ଟ୍ରମ୍ପଙ୍କ ନାଁ ଉଚ୍ଚାରଣ କରି ନଥିଲେ ହେଁ ମୋଦି କହିଛନ୍ତି ଯେ ବିଶ୍ୱର କୌଣସି ନେତା ଆମକୁ ଅପରେସନ ସିନ୍ଦୂର ବନ୍ଦ କରିବାକୁ କହି ନଥିଲେ। ସେ କହିଛନ୍ତି, “ଆମେ ପ୍ରଥମ ଦିନରୁ କହିଥିଲୁ ଯେ ଆମ କାର୍ଯ୍ୟାନୁଷ୍ଠାନ ଉତ୍ତେଜନା ସୃଷ୍ଟି କରିବା ପାଇଁ ନୁହର୍ଷ। ଆମକୁ ବିଶ୍ୱର କୌଣସି ନେତା ଅପରେସନ ସିନ୍ଦୂର ବନ୍ଦ କରିବାକୁ କହି ନଥିଲେ।”
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମେ ୯ ତାରିଖ ରାତିରେ ଆମେରିକା ଉପରାଷ୍ଟ୍ରପତି ଫୋନ୍ କରିଥିଲେ। ବାରମ୍ୱାର ଫୋନ୍ କରିଥିଲେ। କିନ୍ତୁ ମୁଁ ମିଟିଂରେ ବ୍ୟସ୍ତ ଥିବାରୁ ଫୋନ୍ ଉଠାଇ ପାରି ନଥିଲି। ଏହାପରେ ମୁଁ ତାଙ୍କୁ ଫୋନ କରିଥିଲି। ଏହି ସମୟରେ ସେ ମୋତେ କହିଥିଲେ ଯେ ପାକିସ୍ତାନ ବଡ଼ ଆକ୍ରମଣ କରିବାକୁ ଯାଉଛି। ମୁଁ ଏହାର ଜବାବରେ କହିଥିଲି ଯେ ପାକିସ୍ତାନ ଏପରି ଦୁଃସାହସ କଲେ ବହୁମୂଲ୍ୟ ଦେବାକୁ ପଡ଼ିବ। ଗୁଳିର ଜବାବ ଆମେ ଗୋଳାରେ ଦେବୁ କହି ତାଙ୍କୁ ଚେତାଇ ଦେଇଥିଲି।”
ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ନିଜର ଅଭିଭାଷଣ ରଖିଥିଲେ। ଏହି ସମୟରେ ସେ ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ଲୋକସଭାରେ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜଣେ ମିଛୁଆ କହି ପାରିବେ କି ବୋଲି ରାହୁଲ ପ୍ରଶ୍ନ କରିଥିଲେ। ହେଲେ ମୋଦି ଏ ବିଷୟରେ କିଛି କହିବା ବଦଳରେ କଂଗ୍ରେସର ଜାତୀୟ ସୁରକ୍ଷାର ଭିଜନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଦେଶର ପ୍ରଧାନମନ୍ତ୍ରୀ ନେହରୁ ପାକିସ୍ତାନକୁ ସୁହାଇଲା ଭଳି କେଉଁ ସବୁ ଚୁକ୍ତି କରିଥିଲେ, ସେକଥା ଦେଶକୁ ଜଣାଇଛନ୍ତି।
Discover more from Emerging Odisha
Subscribe to get the latest posts sent to your email.