ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET। ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସୂଚନା ଦିଆଯାଇଛି।
ଦୁଇଟି ସିଟିଂରେ ହେବ ସ୍ପେଶାଲ୍ OTET। ସକାଳ ୯ଟାରୁ ୧୧.୩୦ ଯାଏ ପେପର୍-୧ ପରୀକ୍ଷା ହେବ। ଦିନ ୨ଟାରୁ ସାଢେ ୪ଟା ଯାଏ ପେପର୍-୨ ପରୀକ୍ଷା ହେବ।
ଏହି ପରୀକ୍ଷା ପାଇଁ ଅଗଷ୍ଟ ୨୨ରୁ ୱେବ୍ସାଇଟ୍ରେ ଉପଲବ୍ଧ ହେବ ଆଡ୍ମିଟ୍ କାର୍ଡ। ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୂର୍ବ ପରୀକ୍ଷା ବାତିଲ୍ ହୋଇଥିଲା।
OTET ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏଯାବତ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ବୋର୍ଡ ଉପସଭାପତିଙ୍କ ଅଫିସର ଜଣେ ଡାଟା ଏଣ୍ଟ୍ରୀ ଅପରେଟର ରହିଥିବା ବେଳେ ୨ ଜଣ ଶିକ୍ଷକ ନେତା ବି ଅଛନ୍ତି।
ଆଜି ଏକ ପ୍ରେସମିଟରେ କ୍ରାଇମବ୍ରାଞ୍ଚ DIG ବି. ଗଙ୍ଗାଧର କହିଛନ୍ତି, କାହିଁକି ପ୍ରଶ୍ନପତ୍ର ଲିକ୍ ହେଲା, ତା’ର ତଦନ୍ତ ଚାଲିଛି। ବୋର୍ଡ ଅଫିସ୍ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ୭ ଜଣ ଗିରଫ ହେବା ପରେ ଆଉ କିଏ ରହିଛନ୍ତି ସେନେଇ ତଦନ୍ତ ଜାରି ରହିଛି। ଲାପଟପ୍ ପାସଓ୍ୱାର୍ଡ କେମିତି ମିଳିଲା ତଦନ୍ତ ଚାଲିଛି। କାହା କାହା ପାଖକୁ ପ୍ରଶ୍ନପତ୍ର ଯାଇଛି, ତା’ର ଲିଙ୍କ୍ ଖୋଜା ଚାଲିଛି। ସମସ୍ତଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।
ସୂଚନାଯୋଗ୍ୟ, ବୋର୍ଡ ଉପସଭାପତି କାର୍ଯ୍ୟାଳୟର ଡାଟା ଏଣ୍ଟ୍ରୀ ଅପରେଟର ଜିତନ ମହାରଣା ଉପସଭାପତିଙ୍କ ଲାପଟପ୍ରୁ ପ୍ରଶ୍ନ ଲିକ୍ କରିଥିଲେ। ସେ ଏହାକୁ ରାଜ୍ୟ ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ର ଓ କୋରାପୁଟ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର ସଭାପତି ସନାତନ ବିଶୋୟୀଙ୍କୁ ପ୍ରଦାନ କରିଥିଲେ । ଏହି ବ୍ୟକ୍ତିମାନେ ପୂର୍ବ ସ୍ପେଶାଲ୍ ଓଟିଇଟି ପରୀକ୍ଷାରେ ଅସଫଳ ହୋଇଥିବା ଶିକ୍ଷକମାନଙ୍କୁ ଆକୃଷ୍ଟ କରି ରାମଜୀ ପ୍ରସାଦ ଗୁପ୍ତା, ଅଜୟ ସାହୁ ଓ ଜୟନ୍ତ କୁମାର ରାଉତଙ୍କ ମାଧ୍ୟମରେ ଲିକ୍ ହୋଇଥିବା ପ୍ରଶ୍ନପତ୍ର ବିକ୍ରି କରିଥିଲେ । ଅଭିଯୁକ୍ତମାନେ ଏହି ପ୍ରଶ୍ନପତ୍ର ବଦଳରେ ଶିକ୍ଷକମାନଙ୍କଠାରୁ ବ୍ୟାଙ୍କ ଟ୍ରାନ୍ସଫର ଓ ନଗଦ ଟଙ୍କା ଗ୍ରହଣ କରିଥିଲେ । ଚାକିରି ନିୟମିତକରଣ ଓ ବେତନ ବୃଦ୍ଧି ପାଇଁ ଆଶାୟୀ ଶିକ୍ଷକମାନଙ୍କୁ ଶୋଷଣ କରି ପ୍ରଶ୍ନପତ୍ର ବିକ୍ରି କରିବା ଏହି ଷଡ଼ଯନ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଡାଟା ଏଂଟ୍ରି ଅପରେଟର ଜିତନ ମହାରଣା ଫୋନ-ପେ ମାଧ୍ୟମମରେ ୨.୫୦ଲକ୍ଷ ଟଙ୍କା ପାଇଥିଲେ । ଅନ୍ୟ ଅଭିଯୁକ୍ତଙ୍କ ଆକାଉଂଟ ଯାଂଚ ଚାଲିଛି, କାରଣ ଏହି ରାକେଟ ବିଭିନ୍ନ ଜିଲ୍ଲାରେ ସକ୍ରିୟ ଥିବା ସନ୍ଦେହ କରାଯାଉଛି ଏବଂ ପୀଡ଼ିତଙ୍କଠାରୁ ପ୍ରଚୁର ଅର୍ଥ ସଂଗ୍ରହ କରିଥିବା ଜଣାପଡ଼ିଛି ।
Discover more from Emerging Odisha
Subscribe to get the latest posts sent to your email.