ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ପୂର୍ତ୍ତ ବିଭାଗ ଡିଭିଜନ-୩ର ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ୪ ଦିନ ଧରି ଚଢ଼ାଉ କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି।
ଅଶୋକ କୁମାର ପଣ୍ଡାଙ୍କର ୩ଟି ବହୁତଳ କୋଠା ରହିଛି। ତା’ ସହିତ ତାଙ୍କର ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ୭ଟି ଦାମୀ ଫ୍ଲାଟ୍ ଓ ୯ଟି ଦାମୀ ପ୍ଲଟ୍ ରହିଛି। ଭୁବନେଶ୍ୱରର ଗ୍ୟାଲେରିଆ, ସିମ୍ଫୋନୀ ଓ ଡିଏଲ୍ଏଫ ସାଇବର ସିଟିରେ ତାଙ୍କର ୪ଟି ଦୋକାନ ଘର ବା କମର୍ସିଆଲ ଆଉଟଲେଟ୍ ରହିଛି।
ଶ୍ରୀ ପଣ୍ଡା ପାଖାପାଖି ୨.୩୫ କୋଟି ଟଙ୍କା ଜମା ରଖିଛନ୍ତି। ତାଙ୍କଠାରୁ ୧.୩୩ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ସେହିଭଳି ୧୨୫ ଗ୍ରାମର ସୁନା ଅଳଙ୍କାର ଓ ଅନେକ ଦାମୀ ଘଣ୍ଟା ତାଙ୍କଠାରୁ ଜବତ କରାଯାଇଛି।
ଏହା ପୂର୍ବରୁ ଭୁବନେଶ୍ୱରର ପୂର୍ତ୍ତ ବିଭାଗ ଡିଭିଜନ-୩ର ଅନ୍ୟଜଣେ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କୁ ଗତ ବୁଧବାର ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କ ଘରେ ଚଢ଼ାଉ ହେବା ଦିନ ଭିଜିଲାନ୍ସ ଭୟରେ କିଶୋର କୁମାର ପଣ୍ଡା ସପରିବାରେ ଘର ଭିତରେ ରହି ବାହାରପଟୁ ତାଲା ପକାଇ ଦେଇଥିଲେ। ସେମିତି କରି ସେ ଭିଜିଲାନ୍ସ ଚଢ଼ାଉରୁ ବର୍ତ୍ତିବାକୁ ପ୍ରୟାସ କରିଥିଲେ। ସେ ଜାଣିସାରିଥିଲେ ତାଙ୍କ ଘରେ ନିଶ୍ଚିତ ଭିଜିଲାନ୍ସ ଚଢ଼ାଉ କରିବ। କାରଣ କିଛି ସଂପତ୍ତିରେ ଶ୍ରୀ ଜେନାଙ୍କ ସହିତ ତାଙ୍କର ଭାଗୀଦାରି ରହିଥିଲା।