ଆମେରିକାରେ ଯେତେବେଳେ ବି ରିପବ୍ଲିକାନ ରାଷ୍ଟ୍ରପତି କ୍ଷମତାକୁ ଆସିଛନ୍ତି ସେମାନେ ନୂଆ ଯୁଦ୍ଧ ଆରମ୍ଭ କରିନାହାନ୍ତି କିମ୍ବା ଚାଲିଥିବା ଯୁଦ୍ଧକୁ ପ୍ରୋତ୍ସାହନ ଦେଇନାହାନ୍ତି। ସେହି ପ୍ରଥାକୁ ଏବକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବଜାୟ ରଖିଛନ୍ତି। ଏହି କ୍ରମରେ ଦେଖିଲେ ଟ୍ରମ୍ପ୍ ସାଢ଼େ ୩ ବର୍ଷ ଧରି ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଆସିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବା ଲାଗି ଚାହୁଁଛନ୍ତି। ହେଲେ ତାହା ଫଳବତୀ ହୋଇପାରୁନାହିଁ। ସଦ୍ୟ ଘଟଣାକୁ ଦେଖିଲେ ଆମେରିକାର ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଓ ତାଙ୍କ ମଧ୍ୟରେ ଅଗଷ୍ଟ ୧୫ରେ ବହୁ ପ୍ରତୀକ୍ଷିତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଯୁଦ୍ଧ ବନ୍ଦ କରିବା ସକାଶେ ଦୁହେଁ କୌଣସି ଚୁକ୍ତିନାମାରେ ପହଞ୍ଚତ୍ ନ ଥିବା ବୈଠକ ଶେଷରେ ଟ୍ରମ୍ପ୍ କହିଛନ୍ତି। କିଛି ମାସ ପୂର୍ବରୁ ପୁଟିନ୍ଙ୍କୁ ଗାଳି ଦେଉଥିବା ଟ୍ରମ୍ପ୍ ଅତର୍କିତ ରୁଷିଆ-ୟୁକ୍ରେନ୍ ମଧ୍ୟରେ ମଧ୍ୟସ୍ଥତା କରିବା ପଛରେ ବଡ଼ ଅଭିସନ୍ଧି ଥିବା ଆଲୋଚନା ହେଉଛି। ସମ୍ଭବତଃ ନୋବେଲ ଶାନ୍ତି ପାଇବା ପାଇଁ ତାଙ୍କ ମନ ହାଇଁପାଇଁ ହେଉଛି ବୋଲି କେତେକେ କହୁଛନ୍ତି। ଏଥିସହିତ ଟ୍ରମ୍ପ୍ ଚାହୁଁଛନ୍ତି ଯେ ଆମେରିକୀୟ ଡଲାରକୁ ଦୁର୍ବଳ କଲା ଭଳି କୌଣସି ଦେଶ ମଧ୍ୟରେ ବାଣିଜି୍ୟକ ତଥା ମୌଦ୍ରିକ ଏକୀକରଣ ନ ହେଉ। ଅର୍ଥାତ୍ ଆମେରିକାର ଇଚ୍ଛା ଅନୁଯାୟୀ ବିଶ୍ୱ ବାଣିଜ୍ୟ ପରିଚାଳିତ ହେଉ। ସବୁ ଦେଶର ପରସ୍ପର ମଧ୍ୟରେ ହେଉଥିବା ବାଣିଜି୍ୟକ ସମ୍ପର୍କର ଏକମାତ୍ର ବିନିମୟ ମୁଦ୍ରା ଭାବେ ଆମେରିକୀୟ ଡଲାର ରାଜ୍ କରୁ। ଟ୍ରମ୍ପ୍ଙ୍କ ଇତିହାସକୁ ଦେଖିଲେ ତାଙ୍କର ଏହି ଆଭିମୁଖ୍ୟ ଏବକାର ନୁହେଁ। ପ୍ରଥମ ରାଷ୍ଟ୍ରପତି ପାଳି ପୂର୍ବରୁ ଅନେକ ଟେଲିଭିଜିନ ଓ ରେଡିଓ ସାକ୍ଷାତ୍କାରରେ ଟ୍ରମ୍ପ୍ଙ୍କ ମନ୍ତବ୍ୟ ସବୁବେଳେ ଯୁଦ୍ଧବିରୋଧୀ ଓ ‘ଆମେରିକା ଆଗ’ ଆଭିମୁଖ୍ୟ ଲମ୍ବା ସମୟ ଧରି ରହିଆସିଛି। ଗୋଳାବାରୁଦ ବିକ୍ରି କରି ଅର୍ଥ ଅର୍ଜନ ରହିଛି ଡେମୋକ୍ରାଟିକ୍ ଦଳର ମୁଖ୍ୟ ବାଣିଜି୍ୟକ ନୀତି। କିନ୍ତୁ ଟ୍ରମ୍ପ୍ଙ୍କ ପୂର୍ବ କଥାକୁ ଶୁଣିଲେ ମନେହୁଏ ଯେପରି ତାଙ୍କ ଇଚ୍ଛା ଆମେରିକା ସବୁ ବୃହତ୍ ବ୍ୟବସାୟିକ ଚୁକ୍ତିରେ ଲାଭବାନ ହେବା ଦରକାର। ଆଜିକାର ଭାରତରେ ନୀତି ନିର୍ଦ୍ଧାରଣ କରୁଥିବା ବ୍ୟକ୍ତିମାନେ ଟ୍ରମ୍ପ୍ଙ୍କ ଇତିହାସକୁ ଭଲଭାବେ ବୁଝି ନ ଥିବାରୁ ଆମେରିକାର ନୀତି ସହିତ ତାଳ ମିଳାଇ ପାରୁନାହାନ୍ତି।
ଏଭଳି ପ୍ରଚ୍ଛଦପଟରେ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ମୁଖ୍ୟତଃ ଗଠିତ ବ୍ରିକ୍ସର କଳେବରକୁ ଦୁର୍ବଳ କରିବା ଲକ୍ଷ୍ୟ ଟ୍ରମ୍ପ୍ଙ୍କର ରହିଛି। ହେଲେ ଏଭଳି କୌଶଳକୁ ଭାରତ ବୁଝିବାରେ ଅକ୍ଷମ ହେଉଥିବାରୁ ଆମର ନେତୃତ୍ୱ ଭଡ଼ଭଡ଼ ହୋଇ ପ୍ରତିକ୍ରିୟା ଦେବାକୁ ଆଗେଇ ଆସୁଛନ୍ତି। ଏପରି ଅଗ୍ରଗତିକୁ ଦେଖିଲେ ବୈଶ୍ୱିକ କୂଟନୀତିକୁ ଉପଯୁକ୍ତ ଭାବେ ପରିଚାଳନା କରିବାରେ ନୂଆଦିଲ୍ଲୀ ବିଫଳ ହେଉଥିବାର ଦୃଷ୍ଟାନ୍ତ ମିଳୁଛି। ଉଦାହରଣ ସ୍ବରୂପ, ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ଭାରତ କରିଥିବା ‘ଅପରେଶନ ସିନ୍ଦୂର’ର ଫାଇଦା ପାକିସ୍ତାନ ନେବାରେ ସକ୍ଷମ ହୋଇଛି। କାରଣ ପାକିସ୍ତାନ ବିଶ୍ୱ ସମୁଦାୟ ବିଶେଷକରି ଆମେରିକା ନିକଟରେ ଭାରତ ବିରୋଧୀ ବ୍ୟାଖ୍ୟାନ କରିବାରେ ଚତୁରତା ଦେଖାଇପାରିଛି। ପାକିସ୍ତାନ ଫିଲ୍ଡ ମାର୍ଶାଲ ଅସିମ୍ ମୁନିର ‘ଅପରେଶନ ସିନ୍ଦୁର’ ପରେ ଦୁଇ ଥର ଆମେରିକା ଗସ୍ତ କରି ଟ୍ରମ୍ପ୍ଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ଫଳସ୍ବରୂପ ପାକିସ୍ତାନ ଉପରେ ଆମେରିକା ଲାଗୁ କରିଆସୁଥିବା ୨୯ ପ୍ରତିଶତ ଟାରିଫ୍କୁ କମାଇ ୧୯ ପ୍ରତିଶତରେ ପହଞ୍ଚାଇଦେଇଛି। ଅନ୍ୟପକ୍ଷରେ ଭାରତ ଉପରେ ଟ୍ରମ୍ପ୍ ୫୦ ପ୍ରତିଶତ ଟାରିଫ୍ ଲଗାଇ ଜଣାଇ ଦେଇଛନ୍ତି ଯେ, ତାଙ୍କୁ ରଗେଇ ଦେଇ କେହି କେବେ ଫାଇଦା ନେଇପାରିବେ ନାହିଁ। ତତ୍କ୍ଷଣାତ୍ ପ୍ରତିକ୍ରିୟା କୂଟନୈତିକ ଅଗ୍ରଗତିକୁ ଧିମା କରିଦେଇଥାଏ।
ଏଭଳି ପରିପ୍ରେକ୍ଷୀରେ ରୁଷିଆ ଓ ଚାଇନା କୂଟନୈତିକ ଶୈଳୀକୁ ଭାରତ ଅନୁଧ୍ୟାନ କରିବା ଦରକାର। ରୁଷିଆ ରାଷ୍ଟ୍ରପତି ପୁଟିନ୍ଙ୍କୁ ଟ୍ରମ୍ପ୍ ଯେଭଳି ସ୍ବାଗତ କରିଥିବାର ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଲା ସେଥିରୁ ଜଳଜଳ ଦିଶୁଥିଲା ଆମେରିକା ଯେଭଳି ରୁଷିଆକୁ ଗୁରୁତ୍ୱ ଦେଉଛି। ସମସ୍ତେ ଜାଣନ୍ତି ସବୁ ଦୃଷ୍ଟିରୁ ଆମେରିକା ବିଶ୍ୱରେ ଏକନମ୍ବର ରାଷ୍ଟ୍ର ହୋଇରହିଛି। ଅନ୍ୟପକ୍ଷରେ ଅର୍ଥନୀତି ଦିଗକୁ ପଛରେ ରଖି ଅନ୍ୟାନ୍ୟ କ୍ଷେତ୍ରରେ ରୁଷିଆକୁ ତଉଲା ଗଲେ ତା’ର ଚମକ ମଧ୍ୟ ହ୍ରାସ ପାଇଲାଣି। ବିଶେଷକରି ୟୁକ୍ରେନ୍ ଭଳି ଏକ ଛୋଟ ଦେଶ ଯେଉଁଭଳି ରୁଷିଆକୁ ଦୀର୍ଘ ସମୟ ଧରି ଅଟକାଇ ରଖିଛି, ସେଥିରୁ ପ୍ରମାଣ ମିଳୁଛି ମିଲିଟାରୀ ଶକ୍ତିରେ ମଧ୍ୟ ରୁଷିଆ ପଛରେ ପଡ଼ିଗଲାଣି। ଅନ୍ୟପଟେ ଚାଇନା ତା’ର ବ୍ୟବସାୟିକ ସ୍ବାର୍ଥକୁ ଦେଖି ସମଗ୍ର ପୃଥିବୀରେ କାୟା ବିସ୍ତାର କରିସାରିଲାଣି। ଚାଇନାର ସାମରିକ ଶକ୍ତି ମଧ୍ୟ ଆମେରିକା ତୁଳନାରେ ଗୌଣ ନୁହେଁ। କିନ୍ତୁ ରୁଷିଆ ଭଳି ଯୁଦ୍ଧ ପରିବର୍ତ୍ତେ ବାଣିଜ୍ୟ ମାଧ୍ୟମରେ ପୃଥିବୀକୁ ଜିତି ପାରୁଛି ଚାଇନା। ସେଥିପାଇଁ ଟ୍ରମ୍ପ୍ ତାଙ୍କ ପ୍ରଥମ ରାଷ୍ଟ୍ରପତି ପାଳିରେ ଚାଇନାକୁ ଲକ୍ଷ୍ୟ କରି ଅନେକ ପଦକ୍ଷେପ ନେଇଥିଲେ। ଏବେ ସେହି ଟ୍ରମ୍ପ୍ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିବା ଭଳି ମନେହେଉଛି। ରୁଷିଆକୁ ଧରି ଶାନ୍ତି ପ୍ରତିଷ୍ଠା ଉଦ୍ୟମ କରୁଥିବା ବେଳେ ଚାଇନା ସହିତ ବ୍ୟବସାୟିକ ସମ୍ପର୍କ ଗଢ଼ିବାର ଇଚ୍ଛା ଟ୍ରମ୍ପ୍ଙ୍କର ରହିଥିବା ଭଳି ଜଣାପଡ଼ୁଛି। ଡେମୋକ୍ରାଟ୍ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସମୟରେ ଦକ୍ଷିଣ ଚାଇନା ସମୁଦ୍ରରେ ଅନେକ ଦେଶକୁ ଚାଇନା ବିରୋଧରେ ଏକଜୁଟ କରାଇବାକୁ ଚେଷ୍ଟା ହେବା ସହିତ କ୍ୱାଡ୍ ଭଳି ସାମରିକ ଗୋଷ୍ଠୀ ପାଇଁ ଆମେରିକା ଚେଷ୍ଟା କରିଥିଲା। ତେବେ ଟ୍ରମ୍ପ୍ଙ୍କ ଦ୍ୱିତୀୟ ରାଷ୍ଟ୍ରପତି ପାଳିରେ ସେହିସବୁ ଚାଇନା ବିରୋଧୀ ପଦକ୍ଷେପକୁ ପଛରେ ପକାଇ ଦିଆଯାଇଛି। ସମ୍ଭବତଃ ଏହି ନୂତନ ନୀତି ବ୍ୟବସ୍ଥାରେ ଭାରତର ଗୁରୁତ୍ୱ ହ୍ରାସ ପାଉଛି। ଆମେରିକା ପାଇଁ ଚାଇନାର ବ୍ୟବସାୟିକ କ୍ଷମତାକୁ ସାଥିରେ ରଖିବା ସହିତ ରୁଷିଆ ସହିତ ସଙ୍ଗାତ ବସିବା ଅଧିକ ଗୁରୁତ୍ୱ ଲାଭ କରୁଛି। ଏଭଳି ସ୍ଥିତିରେ ୟୁକ୍ରେନ ଯୁଦ୍ଧରୁ ଓହରିବା ପାଇଁ ହୁଏତ ରୁଷିଆ ରାଜି ହୋଇପାରେ ଏବଂ ଚାଇନାର କୋପଦୃଷ୍ଟି ତାଇଓ୍ବାନ ଉପରୁ ଉଠିଯାଇପାରେ। ତାହା ଯଦି ଟ୍ରମ୍ପ୍ଙ୍କ ଦ୍ୱାରା ସମ୍ଭବ ହୁଏ, ତେବେ ପୃଥିବୀରେ ଏକ ନୂତନ ଅର୍ଥନୈତିକ ବ୍ୟବସ୍ଥା ଜନ୍ମ ନେଇପାରେ; ଯେଉଁଥିରେ ଆମେରିକାର ପ୍ରାଧାନ୍ୟ ହ୍ରାସ ପାଇବା ପରିବର୍ତ୍ତେ ବଢ଼ିଯାଇପାରେ।
Discover more from Emerging Odisha
Subscribe to get the latest posts sent to your email.