କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଆଶ୍ୱସ୍ତି ମିଳିଛି । ବୁଧବାର ଦିନ ଝାଡଖଣ୍ଡର ଚାଇବାସା ସ୍ଥିତ ଏମପି-ଏମଏଲଏ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲା ୨୦୧୮ ମସିହାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଦିଆଯାଇଥିବା ଏକ କଥିତ ଆପତ୍ତିଜନକ ଟିପ୍ପଣୀ ସହ ଜଡିତ । ରାହୁଲ ଗାନ୍ଧୀ ବୁଧବାର ସକାଳ ପ୍ରାୟ ୧୦.୫୫ ସମୟରେ କୋର୍ଟରେ ହାଜର ହୋଇଥିଲେ । ତାଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ନ୍ୟାୟିକ ମାଜିଷ୍ଟ୍ରେଟ ସୁପ୍ରିୟା ରାଣୀ ତିଗ୍ଗାଙ୍କ ଅଦାଲତ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି । ଏହି ଜାମିନ ସର୍ତ୍ତମୂଳକ ଭାବେ ଦିଆଯାଇଛି ଯେ ସେ ମାମଲାର ଶୁଣାଣି ପ୍ରକ୍ରିୟାରେ ସହଯୋଗ କରିବେ ।
କ’ଣ ଥିଲା ପୂରା ମାମଲା ?
୨୦୧୮ ମସିହାରେ ଚାଇବାସାରେ ଏକ ରାଲି ସମୟରେ ରାହୁଲ ଗାନ୍ଧୀ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ସେ କହିଥିଲେ ଯେ କଂଗ୍ରେସରେ କୌଣସି “ହତ୍ୟାକାରୀ” ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରିବ ନାହିଁ, ଏହା କେବଳ ବିଜେପିରେ ସମ୍ଭବ । ଏହି ବୟାନକୁ ନେଇ ସ୍ଥାନୀୟ ବିଜେପି ନେତା ପ୍ରତାପ କଟିୟାର ୨୦୧୮ ଜୁଲାଇ ୯ ତାରିଖରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପରାଧିକ ମାନହାନି ମାମଲା ଦାୟର କରିଥିଲେ ।
ଏହି ମାମଲାରେ କୋର୍ଟ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଅନେକ ଥର ହାଜର ହେବା ପାଇଁ ସମନ ଜାରି କରିଥିଲେ । ସେ ହାଜର ନ ହେବାରୁ ପ୍ରଥମେ ଜାମିନଯୋଗ୍ୟ ୱାରେଣ୍ଟ ଏବଂ ପରେ ଜାମିନ ବିହୀନ ୱାରେଣ୍ଟ ମଧ୍ୟ ଜାରି କରାଯାଇଥିଲା । ପରେ ରାହୁଲ ଗାନ୍ଧୀ ଝାଡଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଠାରୁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା । ଶେଷରେ, ସେ ବ୍ୟକ୍ତିଗତ ଭାବେ ହାଜର ହେବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
Discover more from Emerging Odisha
Subscribe to get the latest posts sent to your email.