ଏଣିକି କ୍ଷମତାଶାଳୀ ହେବେ ବିଡିଓ ଆଉ ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତା କମିବ । ବ୍ଲକ୍ ବା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ହାତକୁ ବାନ୍ଧି ଦେବେ ସରକାର, କ୍ଷମତାକୁ କରିଦେବେ ସଙ୍କୁଚିତ । ପ୍ରକଳ୍ପର ବିଲ୍ ପାସ୍ ପାଇଁ ଆଉ ଖୋଜା ପଡ଼ିବନି ବ୍ଲକ୍ ଅଧ୍ୟକ୍ଷଙ୍କ ଦସ୍ତଖତ । ଏହି କ୍ଷମତା ଏବେ ବିଡିଓଙ୍କ ହାତକୁ ଟେକିଦିଆଯିବ । ଏ ସମ୍ପର୍କରେ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି ପଞ୍ଚାୟତିରାଜ ବିଭାଗ ।
ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଅଛି । ଆଉ ଯେହେତୁ ରାଜ୍ୟର ଅଧିକାଂଶ ବ୍ଲକରେ ଏବେ ବିଜେଡି ସମର୍ଥିତ ଅଧ୍ୟକ୍ଷ ଅଛନ୍ତି, ତେଣୁ ସେମାନଙ୍କ କ୍ଷମତା ଉପରେ ଅଙ୍କୁଶ ଲଗାଇବାକୁ ସରକାର ନିୟମରେ କରିଛନ୍ତି ବଡ଼ ପରିବର୍ତ୍ତନ । ପୂର୍ବରୁ ୨ ଲକ୍ଷ ଟଙ୍କାରୁ କମ୍ ଫାଇଲରେ ବିଡିଓ ଦସ୍ତଖତ କରୁଥିଲେ । ଆଉ ୨ ଲକ୍ଷରୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲରେ ବ୍ଲକ୍ ଅଧ୍ୟକ୍ଷଙ୍କ କାଉଣ୍ଟର ଦସ୍ତଖତ ବାଧ୍ୟତାମୂଳକ ଥିଲା । ହେଲେ ଏବେ ଆଉ ସେମିତି ହେବନି । ୨ ଲକ୍ଷରୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ବଦଳରେ ୨୦ ଲକ୍ଷରୁ ୫୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲରେ ବ୍ଲକ୍ ଅଧ୍ୟକ୍ଷ ଦସ୍ତଖତ କରିବେ । ଯେହେତୁ ବ୍ଲକର ଅଧିକାଂଶ କାମ ୨୦ ଲକ୍ଷ ଭିତରେ ରହିଥାଏ, ତେଣୁ ଏହାକୁ ବିଡିଓ ହିଁ ପାସ୍ କରିଦେବେ । ଆଉ ୨୦ ଲକ୍ଷରୁ ୫୦ ଲକ୍ଷ ଭିତରେ କମ୍ ପ୍ରକଳ୍ପ ରହୁଥିବାରୁ, ବ୍ଲକ୍ ଅଧ୍ୟକ୍ଷଙ୍କ ପାଖକୁ ହାତ ଗଣତି କିଛି ପ୍ରକଳ୍ପ ଆସିବ ।
ରାଜ୍ୟର ୯୦ଭାଗ ବ୍ଲକରେ ଯେହେତୁ ବିଜେଡି ସମର୍ଥିତ ବ୍ଲକ୍ ଅଧ୍ୟକ୍ଷ ରହିଛନ୍ତି, ତେଣୁ ଅଧିକାଂଶ ସମୟରେ ବିଜେପି ବିଧାୟକଙ୍କୁ ସେମାନେ ଖାତିର କରୁନଥିବା ନେଇ କଥା ଆସେ । ଏମିତି କି ବ୍ଲକରେ ସରକାରୀ ଦଳର ଦବଦବା ରହୁନଥିଲା । ତେଣୁ ଏହାକୁ କାଉଣ୍ଟର କରିବା ସହ ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତାକୁ ସଙ୍କୁଚିତ କରିବାକୁ ସରକାର ଏପରି କରିଥିବା ଚର୍ଚ୍ଚା ହେଉଛି । ମୋଟ ଉପରେ କହିବାକୁ ଗଲେ, ବ୍ଲକକୁ ଆସୁଥିବା ଅଧିକାଂଶ ପ୍ରକଳ୍ପର ମୂଲ୍ୟ ୧୦ରୁ ୧୫ ଲକ୍ଷ ଟଙ୍କା ଭିତରେ ହେଇଥାଏ । ତେଣୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲରେ କେବଳ ବିଡିଓଙ୍କ ଦସ୍ତଖତ ରହିଲେ, ଅଧ୍ୟକ୍ଷଙ୍କ କୌଣସି ଭୂମିକା ରହିବନି ।
Discover more from Emerging Odisha
Subscribe to get the latest posts sent to your email.