କଟକ: କଟକ ସହରରେ ନିଜର ପୂର୍ବ ପତିଆରା ଫେରି ପାଇବା ପାଇଁ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଗ୍ୟାଙ୍ଗ୍ ସହିତ ହାତ ମିଳାଇଛି ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍। ସକିଲ୍ ଗ୍ୟାଙ୍ଗରୁ ଦୂରେଇ ଯାଇଥିବା ତାର ଖାସ୍ ସହଯୋଗୀ, ଦୁର୍ଦ୍ଦାନ୍ତ ଅପରାଧୀ ଅବଦୁଲ କାଦିର ମଧ୍ୟ ସକିଲ୍ ସହିତ ହାତ ମିଶାଇଛି। ବିରୋଧୀ ଗ୍ୟାଙ୍ଗ୍ ପରସ୍ପର ସହ ହାତ ମିଶାଇବା ଘଟଣା କଟକ କମିସନରେଟ୍ ପୁଲିସ ପାଇଁ ପାର୍ବଣ ସମୟରେ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି।
୨୦୧୬ ପୂର୍ବରୁ ଟିଟୋ ଗ୍ୟାଙ୍ଗ ସହିତ ମିଶି କଟକ ସହରରେ ଅପରାଧ ନେଟ୍ଵର୍କ ବଢ଼ାଇଥିଲା ସକିଲ୍। ସମୟକ୍ରମେ ଟିଟୋଠାରୁ ଅଲଗା ହୋଇ ସେ ନିଜର ଗ୍ୟାଙ୍ଗ ଗଢ଼ିଥିଲା। କିନ୍ତୁ କଟକ କମିସନରେଟ୍ ପୁଲିସ ସକିଲ୍ ଗ୍ୟାଙ୍ଗ ଉପରେ ବାରମ୍ବାର ଚଢ଼ଉ କରିବା ପରେ ଗ୍ୟାଙ୍ଗ୍ ଦୁର୍ବଳ ହୋଇଯିବାରୁ ସେ କୋରାପୁଟରେ ଲୁଚିଥିଲା। ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡ ଘଟଣାରେ ଜେଲ୍ରୁ ଜାମିନରେ ୨୦୧୭ରେ ଫେରିବା ପରେ ଯେଉଁ କେତେ ଜଣ ଅପରାଧୀଙ୍କୁ ନେଇ ସହରରେ ନୂଆ ଗ୍ୟାଙ୍ଗ ଗଢ଼ିବାକୁ ସକିଲ୍ ଯୋଜନା କରିଥିଲା, ସେଥିରେ ଥିଲା ଲାଲବାଗ ଥାନା ଅନ୍ତର୍ଗତ ମସ୍ତାନ ରୋଡ୍ର ଅବଦୁଲ କାଦିର। ସକିଲ ସହିତ କାଦିରର ପରବର୍ତ୍ତୀ ସମୟରେ ମତଭେଦ ଯୋଗୁଁ ସେମାନେ ଅଲଗା ହୋଇଯାଇଥିଲେ।
ଜେଲ୍ରୋଡ୍ରେ ସକିଲ ଗ୍ୟାଙ୍ଗ୍ର ମେଳି, ଏକାଠି ହେଲେ କାଦିର୍-ସକିଲ୍
ସେମାନଙ୍କ ମଧ୍ୟରେ ଗୋଟିଏ ସମୟରେ ଦାଦାବଟି ଆଦାୟ ଓ ଟେଣ୍ଡର ଫିକ୍ସିଂକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ନିଜ ଢଙ୍ଗରେ କାଦିର୍ ଅପରାଧ ସାମ୍ରାଜ୍ୟ ବିସ୍ତାର କରିବାକୁ ଲାଗିବାରୁ ସକିଲ୍ ଗ୍ୟାଙ୍ଗ କିଛି ବର୍ଷ ପାଇଁ ଦୁର୍ବଳ ହୋଇଯାଇଥିଲା। କିନ୍ତୁ ଏବେ ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ପୁଣି ଥରେ ଏକାଠି ହୋଇଛନ୍ତି। କାଦିର ଅପରାଧ ରେକର୍ଡ ବହୁତ ଲମ୍ବା। କାଦିର ବିରୋଧରେ ୧୫ରୁ ଅଧିକ ସଙ୍ଗିନ ମାମଲା ରହିଛି। ସକିଲ୍ ପୁଣି ଥରେ ବଳ ଗୋଟାଉଥିବା ବେଳେ ଗଲା ରବିବାର ରାତିରେ ଦରଘାବଜାର ଥାନା ଅନ୍ତର୍ଗତ ଜେଲ୍ରୋଡ୍ ନିକଟରେ ନିଜ ସହଯୋଗୀଙ୍କୁ ଏକାଠି କରିଥିଲା। ଧଳସାମନ୍ତ ଗ୍ୟାଙ୍ଗର ଖାସ୍ ସାର୍ପସୁଟର ଆରିଫ୍ ଖାଁ ବି ଏହା ପଛରେ ଥିଲା। ସେଠାରେ ପ୍ରାୟ ୧୫ରୁ ଅଧିକ ଅପରାଧୀ ଏକାଠି ହୋଇଥିଲେ। ସକିଲ୍ ଏକ କାର୍ରେ ଆସିଥିବା ବେଳେ ଅନ୍ୟମାନେ ବାଇକ୍ରେ ଆସିଥିଲେ।
କାର୍ ଭିତରେ ଥାଇ ସକିଲ୍ ନିଜ ସହଯୋଗୀଙ୍କ ସହିତ କଥାବାର୍ତ୍ତା ହେବା ପରେ ସେମାନେ ସେଠାରୁ ଚାଲିଯାଇଥିଲେ। ସକିଲ୍ର ଏହି ଗୋଷ୍ଠୀରେ ଝୋଲାସାହି, ଓଡ଼ିଆ ବଜାର, କାଫଲାବଜାର ଅଞ୍ଚଳର କିଛି ଅପରାଧୀ ଶ୍ରେଣୀୟ ଯୁବକ ବି ସାମିଲ ଥିଲେ। ଏବେ ସକିଲ୍ ଗ୍ୟାଙ୍ଗରେ ସକ୍ରିୟ ଥିବା ଆରିଫ୍ ଦୀପୁ ଓ ଓମ୍ ହତ୍ୟାକାଣ୍ଡ ସମେତ ମାଲଗୋଦାମର ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିଲା। ୨୦୧୬ ଏପ୍ରିଲ ୧୩ ତାରିଖରେ ତାମିଲନାଡୁର ମଦୁରାଇରୁ ଧଳସାମନ୍ତଙ୍କ ସାର୍ପସୁଟର୍ ଆରିଫ୍ ଖାଁକୁ ଦୀପୁ ଓ ଓମ୍ ହତ୍ୟା ମାମଲାରେ ଗିରଫ କରାଯିବା ପରେ ତାକୁ ୨୦୧୬ ମେ ୨୭ ତାରିଖରେ ଫାରୁକ୍ ମାମଲାରେ ପୁଲିସ ରିମାଣ୍ତରେ ନେଇଥିଲା। ସେବେଠାରୁ ଆରିଫ୍ ଜେଲ୍ରେ ରହିଆସିଛି। ଅନ୍ୟପଟେ ସକିଲ୍ ବିରୋଧରେ ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଆପରାଧିକ ମାମଲା ଥିବା ବେଳେ ୩ ଥର ସିଆର୍ପିସି ଧାରା ୧୧୦, ଏନ୍ଏସ୍ଏରେ ଅଟକ ସହିତ ତାକୁ ତଡ଼ିପାର୍ ବି କରାଯାଇଥିଲା।
Discover more from Emerging Odisha
Subscribe to get the latest posts sent to your email.