ଏଣିକି ଅନୁସୂଚିତ ଜାତି ଓ ଜନଜାତି ମାମଲାର ତଦନ୍ତ କରିପାରିବେ ପୁଲିସ ଏସଆଇ ଓ ଇନ୍ସପେକ୍ଟର ପାହ୍ୟାର ଅଧିକାରୀ । ଏଭଳି ମାମଲାରେ ଗିରଫ, ତଦନ୍ତ ଓ ସ୍ୱତନ୍ତ୍ର କୋର୍ଟରେ କେସ୍ ରୁଜୁ ପାଇଁ ମଧ୍ୟ କ୍ଷମତା ପ୍ରଦାନ କରାଯାଇଛି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ଶନିବାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଡିଏସପି ପାହ୍ୟାର ଅଫିସରମାନଙ୍କୁ ଅନୁସୂଚିତ ଜାତି-ଜନଜାତି(ଏସସି-ଏସଟି) ମାମଲାର ତଦନ୍ତର କ୍ଷମତା ମିଳିଥିଲା । ଝାଡ଼ଖଣ୍ଡ,ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼ ଓ କେରଳ ସରକାର ପୂର୍ବରୁ ଏସସି-ଏସଟି ମାମଲାର ତଦନ୍ତ କ୍ଷମତା ପୁଲିସ ଏସଆଇ ଓ ଇନ୍ସପେକ୍ଟରଙ୍କୁ ନ୍ୟସ୍ତ କରିସାରିଛନ୍ତି ।
ପୁଲିସ ଏସଆଇ ଓ ଇନ୍ସପେକ୍ଟରଙ୍କୁ ଅଧିକ କ୍ଷମତା:
ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଆଇନ-୧୯୮୯ର ଧାରା-୯ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାର ପୁଲିସ ଏସଆଇ ଓ ଇନ୍ସପେକ୍ଟର ପାହ୍ୟାର ଅଫିସରଙ୍କୁ ଏସସି-ଏସଟି ମାମଲାର ତଦନ୍ତ, ଗିରଫ ଓ କୋର୍ଟରେ କେସ୍ ରୁଜୁ ନିମନ୍ତେ କ୍ଷମତା ପ୍ରଦାନ କରିଛନ୍ତି । ରାଜ୍ୟରେ ଡିଏସପି ପାହ୍ୟାର ଅଫିସରଙ୍କ ସମେତ ଏସଆଇ ଓ ଇନ୍ସପେକ୍ଟରମାନେ ଏଣିକି ଏହି ମାମଲାର ତଦନ୍ତ କରିପାରିବେ । ଗୃହ ବିଭାଗ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହି ନିଷ୍ପତ୍ତିି ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ସମୁଦାୟ ବିରୁଦ୍ଧରେ ବୃଦ୍ଧି ପାଉଥିବା ଅତ୍ୟାଚାରକୁ ରୋକିବା ଓ ସେମାନଙ୍କୁ ନ୍ୟାୟ ପ୍ରଦାନର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।
ବକେୟା ମାମଲା ବୃଦ୍ଧି ପରେ ସରକାର ନେଲେ ନିଷ୍ପତ୍ତି:
ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ବୃଦ୍ଧି ପାଉଥିବା ଏସସି-ଏସଟି ମାମଲାକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ସୁରକ୍ଷା ସେଲ୍ (ଓଏଚଆରପିସି) ଏଡିଜି ଯତୀନ୍ଦ୍ର ନାଥ କୋଏଲ ଚଳିତବର୍ଷ ଜୁନ୍ ୯ତାରିଖରେ ଅନୁସୂଚିତ ଜାତିଜନଜାତି ବିଭାଗ, ଗୃହ ବିଭାଗ ଓ ପୁଲିସ ଡିଜିଙ୍କୁ ପ୍ରସ୍ତାବ ପଠାଇ ପୁଲିସ ଏସଆଇ ଓ ଇନ୍ସପେକ୍ଟରମାନଙ୍କୁ ଏସସି-ଏସଟି ମାମଲାର ତଦନ୍ତ ଓ ଗିରଫ ଦାୟିତ୍ୱ ଦେବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ ପରେ ରାଜ୍ୟ ଗୃହ ବିଭାଗ ବିଧିବଦ୍ଧ ଭାବେ ଏହି ବିଜ୍ଞପ୍ତି ଜାରି କରିଛି । ରାଜ୍ୟରେ ଡିଏସପି ପାହ୍ୟାରେ ଯଥେଷ୍ଟ ସଂଖ୍ୟକ ଅଫିସରଙ୍କ ଅଭାବ ଏବଂ ଏସସି-ଏସଟି ମାମଲା ବୃଦ୍ଧି ପାଉଥିବା ଯୋଗୁ ଏହି ବର୍ଗର ପୀଡ଼ିତ ବ୍ୟକ୍ତିମାନେ ତ୍ୱରିତ୍ ନ୍ୟାୟ ପାଇବାରୁ ବଂଚିତ ହେଉଥିଲେ । ଅଫିସରଙ୍କ ଅଭାବ ଯୋଗୁ ଏସସି-ଏସଟି ମାମଲାର ପଞ୍ଜିକରଣ ଓ ତଦନ୍ତରେ ବିଳମ୍ବ, ଦୀର୍ଘଦିନ ଧରି ତଦନ୍ତ ଚାଲିବା ଯୋଗୁ ପୀଡ଼ିତଙ୍କୁ ଆର୍ଥିକ ସହାୟତା ଓ କ୍ଷତିପୂରଣ ପ୍ରଦାନ ମଧ୍ୟ ବିଳମ୍ବ ହେବାରେ ଲାଗିଛି ।
ଅନ୍ୟ ପଡ଼ୋଶୀ ରାଜ୍ୟ ଯଥା – ଝାଡ଼ଖଣ୍ଡ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼ ଓ କେରଳ ସରକାର ଅନୁରୂପ ପଦକ୍ଷେପ ନେଇ ପୁଲିସ ଏସଆଇ ଓ ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ପ୍ରଦାନ କରିସାରିଛନ୍ତି ।
Discover more from Emerging Odisha
Subscribe to get the latest posts sent to your email.