ଡାକ୍ତରଙ୍କ ଦ୍ୱାରା ଅନୁମତି ମିଳିଥିବା ଔଷଧ କିଣିବାକୁ ଯାଇ ସାଂଘାତିକ ସ୍ଥିତର ସମ୍ମୁଖୀନ ହୋଇଛନ୍ତି ଜଣେ ବୟସ୍କା ମହିଳା। ସେ ନିଦ ବଟିକା କିଣିବାକୁ ଚାହୁଁଥିବା ବେଳେ ତାଙ୍କୁ ସାଇବର ଠକମାନେ ନିଜ ଜାଲରେ ଫସାଇ ୭୭ ଲକ୍ଷ ଟଙ୍କା ଲୁଟ କରି ନେଇଛନ୍ତି। ୬୨ ବର୍ଷୀୟ ମହିଳା ଜଣଙ୍କ ନିଦ ବଟିକା କିଣିବା ପାଇଁ ବିଭିନ୍ନ ମେଡିସିନ ଷ୍ଟୋରର ୱେବସାଇଟକୁ ଇଣ୍ଟରନେଟରେ ଯାଞ୍ଚ କରିଥିଲେ। ଏହି ମେଡିସିନକୁ ସେ ନିଜର ସ୍ନାଂୟୁଗତ ସମସ୍ୟା ପାଇଁ ପ୍ରତି ମାସରେ ନିଅନ୍ତି।
ଅନଲାଇନରେ ମହିଳା ଜଣଙ୍କ ମେଡିସିନ ଅର୍ଡର ଦେଇଥିଲେ ହେଁ ସେ ଏହାକୁ ଭୁଲି ଯାଇଥିଲେ। ଏସବୁ ଭିତରେ ଜଣେ ବ୍ୟକ୍ତି ନିଜକୁ ଏନିସିବିର ଅଧିକାରୀ ଭାବେ ପରିଚୟ ଦେଇ ମହିଳାଙ୍କୁ ଫୋନ କରିଥିଲା। ସେ ବେଆଇନ ଓ ନିଷିଦ୍ଧ ହୋଇଥିବା ମେଡିସିନ କିଣୁଥିବା ତଥାକଥିତ ଏନସିବି ଅଧିକାରୀ ଜଣଙ୍କ କହିଥିଲା।
ଏହାଶୁଣି ଦିଲ୍ଲୀର ବସନ୍ତ କୁଞ୍ଜରେ ରହୁଥିବା ୬୨ ବର୍ଷୀୟ ପୂର୍ବତନ ଶିକ୍ଷୟିତ୍ରୀ ଜଣଙ୍କ ଆତଙ୍କିତ ହୋଇପଡ଼ିଥିଲେ। ବ୍ୟାନ ହୋଇଥିବା ଔଷଧକୁ ମହିଳା ଜଣଙ୍କ ରାଜଧାନୀକୁ ସପ୍ଲାଏ କରୁଥିବା ଏନସିବି ଆଶଙ୍କା କରୁଥିବା ସାଇବର ଠକ ଜଣକ ସୂଚନା ଦେଇଥିଲା।
ଏହାପରେ ମହିଳାଙ୍କୁ ଲୁଟ କରିବା ପାଇଁ ସେ ଦୁଇଟି ବିକଳ୍ପ ତାଙ୍କୁ ଦେଇଥିଲା। ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବାକୁ କିଛି ଟଙ୍କା ପଠାଅ ନଚେତ ଗିରଫ ପରୱାନାର ସାମ୍ନା କର। ମହିଳା ଜଣଙ୍କ ଭୟରେ ତୁରନ୍ତ ୩ଟି ବ୍ୟାଙ୍କ ଆକାଉଣ୍ଟକୁ ୩ ଲକ୍ଷ ଟଙ୍କା ପଠାଇ ଦେଇଥିଲେ।
୧୦ ଦିନ ପରେ : ‘ଭଲ ପୁଲିସ’ ସାମିଲ ହୋଇଥିଲା
ଘଟଣାର ୧୦ ଦିନ ପରେ ମହିଳାଙ୍କୁ ଆଉ ଗୋଟିଏ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ମଧ୍ୟ ନିଜକୁ ଏନସିବି ଅଧିକାରୀ କହିଥିଲା। ହେଲେ ସେ ନିଜକୁ ‘ଭଲ ପୁଲିସ୍’ ଭାବେ ଚିତ୍ରଣ କରିଥିଲା। ମହିଳାଙ୍କୁ ସେ ବୁଝାସୁଝା କରିବା ସହ ସେ କୌଣସି ଦୋଷ କରି ନାହାନ୍ତି ଓ ତାଙ୍କ ଟଙ୍କା ଫେରି ଆସିବ ବୋଲି କହିଥିଲା।
ମହିଳା ଜଣଙ୍କ ଏଥିରେ ବିଶ୍ୱାସ କରି ଯାଇଥିଲେ। ୨ ଦିନ ଭିତରେ ମହିଳାଙ୍କ ଆକାଉଣ୍ଟକୁ ୨୦ ହଜାର ଟଙ୍କା ମଧ୍ୟ ଫେରି ଆସିଥିଲା। ‘ଭଲ ପୁଲିସ୍’ ଜଣକ ମହିଳାଙ୍କ ବିଶ୍ୱାସ ଜିତି ନେଇଥିଲା।
ହ୍ୱାଟସଆପ ଭିଡିଓ କଲ୍
ଭଲ ପୁଲିସ୍ ସହ ୪ ଜଣ ଲୋକ ମହିଳାଙ୍କୁ ଗୋଟିଏ ଭିଡିଓ କଲ କରିଥିଲେ। ସେମାନେ ତାଙ୍କୁ ସ୍କ୍ରିନ ଶେୟାର କରିବା ସହ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ କହିଥିଲେ। ଏହାପରେ ମହିଳାଙ୍କୁ ସମସ୍ତ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଭଲ ପୁଲିସକୁ ବିଶ୍ୱାସ କରି ମହିଳା ଜଣଙ୍କ ସେ ଦେଉଥିବା ନିର୍ଦ୍ଦେଶକୁ ପାଳନ କରି ଚାଲିଥିଲେ। ଶେଷରେ ମହିଳାଙ୍କ ବିନା ଜାଣତରେ ତାଙ୍କ ନେଟ ବ୍ୟାଙ୍କିଙ୍ଗ ଆସେସ୍କୁ ସେମାନେ ନେଇ ଯାଇଥିଲେ।
ମହିଳା ଜଣଙ୍କ ଠକାମୀରେ ପଡ଼ିଥିବା ବୁଝିବା ଆଗରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫ରୁ ୧୦ ଲକ୍ଷ ଟଙ୍କା ଲେଖାଏ କଟୁଥିବାର ମେସେଜ ପାଇଥିଲେ। ସେ ତୁରନ୍ତ ଭଲ ପୁଲିସ୍କୁ ଫୋନ କରିଥିଲେ ହେଁ, ତା’ର ମୋବାଇଲ ବନ୍ଦ ହୋଇଯାଇଥିଲା। ଏସବୁ ଭିତରେ ମହିଳାଙ୍କ ଆକାଉଣ୍ଟରୁ ୭୭ ଲକ୍ଷ ଟଙ୍କା ଲୁଟ ହୋଇ ସାରିଥିଲା।