ମାଟି ତଳେ ଟଙ୍କା ରଖିଥିଲେ ନକ୍ସଲ। ଗୁଇନ୍ଦା ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନକୁ ଖୋଳିଥିଲା ପୁଲିସ। ସେଠାରୁ ବାହାରିଥିଲା ନଗଦ ୩୫ ଲକ୍ଷ ଟଙ୍କା। ଘଟଣାଟି ଘଟିଛି ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଚାଇବସାର ସରଣ୍ଡା ଜଙ୍ଗଲରେ। ରାଞ୍ଚି ଆଇଜି ସୋଶାଲ ମିଡିଆରେ ଏ ସଂପର୍କରେ ସୂଚନା ଦେଇଛନ୍ତି।
ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି ଯେ ଏନେଇ ବିଶେଷ ଗୁଇନ୍ଦା ସୂଚନା ଥିଲା। ତା’ ଆଧାରରେ ଚାଇବସା ପୁଲିସ ସେଠାରେ ପହଞ୍ଚି ମାଟି ଖୋଳି ପାଖାପାଖି ୩୫ ଲକ୍ଷ ଟଙ୍କା ଜବତ କରିଥିଲା। ବିସ୍ଫୋରକ କିଣିବା ପାଇଁ ନକ୍ସଲମାନେ ଏହି ଟଙ୍କା ରଖିଥିଲେ।
ସେଠାରୁ ପାଖାପାଖି ୩୫ ଲକ୍ଷ ଟଙ୍କା ମିଳିଥିବା ବେଳେ ଥାନାରେ ଗଣତି ପରେ ପ୍ରକୃତରେ କେତେ ଟଙ୍କା ମିଳିଛି, ତାହା ଜଣାପଡ଼ିବ ବୋଲି ସେ ରାଞ୍ଚି ଆଇଜି କହିଛନ୍ତି।
ଜବତ ଟଙ୍କାଗୁଡ଼ିକୁ ନକ୍ସଲମାନେ ବିଡ଼ା ବିଡ଼ା କରି ଜରିରେ ପ୍ୟାକିଂ କରି ଷ୍ଟିଲ୍ ଟିଫିନରେ ରଖି ଗାତ ଖୋଳି ପୋତି ଦେଇଥିଲେ। ସବୁ ବିଡ଼ାରେ ୫୦୦ ଟଙ୍କିଆ ନୋଟ୍ ଥିବା ଦେଖିବାକୁ ମିଳିଛି। କିଛି ନୋଟ୍ ବିଡ଼ାକୁ ଜରିଆରେ ଘୋଡ଼ାଇବା ପୂର୍ବରୁ ସେଗୁଡ଼ିକୁ ଖବରକାଗଜରେ ଆବୃତ୍ତ କରାଯାଇଥିବା ଦେଖିବାକୁ ମିଳିଛି।