ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ଏକ ଅସମ୍ଭବ ଟ୍ରେଣ୍ଡ୍ରେ ପରିଣତ ହୋଇଛନ୍ତି। ଏହି ରିପୋର୍ଟ ଲେଖାଯିବା ବେଳକୁ ‘ଟ୍ରମ୍ପ ମରିଯାଇଛନ୍ତି’ (ଟ୍ରମ୍ପ ଇଜ୍ ଡେଡ୍) ଶୀର୍ଷକ ୫୬,୯୦୦ରୁ ଅଧିକ ପୋଷ୍ଟ ଶନିବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରସାରିତ ହେବା ସହ ୭୯ ବର୍ଷୀୟ ମାର୍କିନ୍ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବ୍ୟାପକ କଳ୍ପନାଜଳ୍ପନା ଜାରି ରହିଛି। ଗତ ଜୁଲାଇ ମାସରେ ଆମେରିକା ରାଷ୍ଟ୍ରପତିଙ୍କ ହାତରେ ବଡ଼ କଳାଦାଗ ଓ ଗୋଡ଼ ଫୁଲିଥିବା ଦେଖାଯିବା ପରେ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଚର୍ଚ୍ଚାର ବିଷୟ ପାଲଟିଥିଲା। ଯଦିଓ ହ୍ୱାଇଟ୍ ହାଉସ୍ ଏହି ଗୁଜବକୁ ଖଣ୍ଡନ କରିଥିଲା, କିନ୍ତୁ ମେକ୍ଅପ୍ରେ ଘୋଡ଼ା ଯାଇଥିବା ତାଙ୍କ କ୍ଷତର ସମାନ ଫଟୋ ଗତ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି କରିଛି। ଅଗଷ୍ଟ ୨୭ରେ ଏକ ସାକ୍ଷାତ୍କାରରେ ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ ଯଦି କୌଣସି ଭୟଙ୍କର ଦୁଃଖଦ ଘଟଣା ଘଟେ ତେବେ ସେ ବଡ଼ ଦାୟିତ୍ବ ସମ୍ଭାଳିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ଟ୍ରମ୍ପ ଫିଟ୍, ଶକ୍ତିଶାଳୀ ଓ ଅତ୍ୟନ୍ତ ଭଲ ସ୍ୱାସ୍ଥ୍ୟରେ ଅଛନ୍ତି ବୋଲି ସେ କହିଛନ୍ତି।
ଟ୍ରମ୍ପଙ୍କ କ୍ରମାଗତ ଅନୁପସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ସୋସିଆଲ୍ ମିଡିଆରେ ଏପରି ଗୁଜବ ଚାଲିଥିବା ବେଳେ ହ୍ୱାଇଟ୍ ହାଉସ୍ ନିରବ ରହିଛି। ଏହା ନୁହେଁ ଯେ ଆମେରିକୀୟ ରାଷ୍ଟ୍ରପତି ସମ୍ପୂର୍ଣ୍ଣ ଭାବରେ ଚର୍ଚ୍ଚାରୁ ଦୂରେଇ ରହିଛନ୍ତି। ଟ୍ରୁଥ୍ ସୋସିଆଲରେ ତାଙ୍କର ଶେଷ ପୋଷ୍ଟ ଆଜି ଭୋର ୩ଟା ୪୦ରେ (ୱାସିଂଟନ୍ ଡିସିରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬.୪୦ରେ) ଆସିଥିଲା। ଭାରତ ସମେତ ବିଭିନ୍ନ ଦେଶ ଉପରେ ତାଙ୍କର ଅଧିକାଂଶ ପାରସ୍ପରିକ ଶୁଳ୍କ ବେଆଇନ ବୋଲି ଆମେରିକାର ଅପିଲ୍ସ କୋର୍ଟ ଦେଇଥିବା ରାୟ ଉପରେ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚଳିତ ସପ୍ତାହ ପ୍ରାରମ୍ଭରେ ଦକ୍ଷିଣ କୋରିଆ ପ୍ରତିପକ୍ଷ ଲି ଜେ ମୟୁଙ୍ଗଙ୍କ ସହ କଥା ହେବା ବେଳେ ଟ୍ରମ୍ପଙ୍କ ଡାହାଣ ହାତରେ କଳାଦାଗ ଥିବା ଦେଖିବାକୁ ମିଳିଥିଲା। ଜୁଲାଇ ମାସରେ ତାଙ୍କ ଗୋଡ଼ ଫୁଲିଯାଇଥିବା ଫଟୋ ସାମନାକୁ ଆସିବା ପରେ ହ୍ୱାଇଟ୍ ହାଉସ୍ ସ୍ବାସ୍ଥ୍ୟଚିନ୍ତାକୁ ସ୍ୱୀକାର କରିଥିଲା। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଡାକ୍ତରୀ ପରୀକ୍ଷାରେ ତାଙ୍କର ‘କ୍ରନିକ୍ ଭେନସ୍ ଇନ୍ସଫିସିଏନ୍ସି’ ଥିବା ଜଣାପଡିଥିଲା, ଯାହା କି ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ସାଧାରଣତଃ ଦେଖାଯାଉଥିବା ଏକ ଶିରାଗତ ସମସ୍ୟା। ବାରମ୍ବାର ହାତ ହଲାଇବା ଓ ଆସ୍ପିରିନ୍ ବ୍ୟବହାର ଦ୍ୱାରା ତାଙ୍କର ନରମ ଟିସୁ କ୍ଷତିଗ୍ରସ୍ତ ହୋଇ ଏପରି କଳାଦାଗ ସୃଷ୍ଟି ହୋଇଥିବା ଡାକ୍ତର କହିଛନ୍ତି। ସରକାରୀ ସ୍ପଷ୍ଟୀକରଣ ସତ୍ତ୍ୱେ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟକୁ ନେଇ କଳ୍ପନାଜଳ୍ପନା ଜୋର ଧରିଥିବା ବେଳେ କିଛି ଗୁଜବକାରୀ ‘ଟ୍ରମ୍ପ ଇଜ୍ ଡେଡ୍’ ବାର୍ତ୍ତା ପ୍ରସାର କରିବାରୁ ତାହା ଭାଇରାଲ୍ ହୋଇଚାଲିଛି।
Discover more from Emerging Odisha
Subscribe to get the latest posts sent to your email.