ଆଜି ବଙ୍ଗୋପସାଗରରେ ଲଘୁଚାପ; ୨ ଜିଲାକୁ ରେଡ୍ ଆଲର୍ଟ, ପ୍ରବଳରୁ ଅତି ପ୍ରବଳ ବର୍ଷା

Spread the love

ଭୁବନେଶ୍ୱର,୨୪ା୭ ଦକ୍ଷିଣ ଚାଇନା ସାଗରରେ ସୃଷ୍ଟ ବାତ୍ୟା ‘ୱିଫା’ର ଅବଶିଷ୍ଟାଂଶ ଘୂର୍ଣ୍ଣିବଳୟ ରୂପରେ ବୁଧବାର ବଙ୍ଗୋପସାଗରରେ ପ୍ରବେଶ କରିଛି। ଏହାର ପ୍ରଭାବରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଫଳରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ଆଶଙ୍କା ରହିଥିବାବେଳେ ଗୁରୁବାରଠାରୁ ବର୍ଷାର ପ୍ରଭାବ ବଢ଼ିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ଦକ୍ଷିଣ ଭାଗ ଉପରେ ରହୁଛି। ତେଣୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ବୁଧବାର କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି।

ଗୁରୁବାର ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇ ଲଘୁଚାପ କ୍ଷେତ୍ର ଆଗକୁ ବଢ଼ିବ, ଯାହାର ପ୍ରଭାବରେ ଜୁଲାଇ ୨୪ ଓ ୨୫ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି। ଗୁରୁବାର କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ଗଜପତି, କେନ୍ଦୁଝର, ମାଲକାନଗିରିରେ ଅତି ପ୍ରବଳ ବର୍ଷା ହେବ। ସେହିପରି ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ୱର, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଜିଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ୨୫ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହେବ। ସେହିପରି ଯାଜପୁର, ସୁନ୍ଦରଗଡ଼, ଢେଙ୍କାନାଳ, ଭଦ୍ରକ, ଜଗତ୍‌ସିଂହପୁର, ଅନୁଗୋଳ, ବାଲେଶ୍ୱର, କେନ୍ଦ୍ରାପଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading