ଆଇନର ସାମ୍ପ୍ରତିକ ମୂଲ୍ୟବୋଧ

Spread the love

ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ସରକାର କହୁଛନ୍ତି ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ, ପୋଲିସ କହୁଛି ନିରପେକ୍ଷ ତଦନ୍ତ ହେବ। ଏଇଭଳି ଲୋମହର୍ଷଣକାରୀ ଘଟଣା ଓଡ଼ିଶାରେ ନୂଆ ନୁହେଁ। ଅତୀତ ଛବିରାଣୀ, ଅଞ୍ଜନା, ପରୀ, ପିହୁ, ମମିତା, ଇତିଶ୍ରୀ, ବେବିନା, ସସ୍ମିତା, ରୁଚିକା, ସ୍ମିତାରାଣୀ, ମାଧବୀଲତାଙ୍କ ମୃତ୍ୟୁ ଜନ ମାନସରୁ ଉଭେଇ ଯାଇଛି। ଏହିସବୁ ଘଟଣା ସାରା ଓଡ଼ିଶା କାହିଁକି ଭାରତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏବେ ସେହିଭଳି ଏକ ମର୍ମନ୍ତୁଦ ଘଟଣା ଆମ ହୃଦୟକୁ ବିଦାରିତ କରିପକାଉଛି। ସମ୍ବେଦନଶୀଳ ଗୋଷ୍ଠୀ ଚିନ୍ତା କରିବା କଥା ଜଣକ ମୃତ୍ୟୁ ପରେ ଆଉ ଏଭଳି ଘଟଣାର ପୁନରାବୃତ୍ତି ନ ହେଉ। କିନ୍ତୁ କାହିଁକି ଏକାଧିକ ସମ୍ଭବ ହୋଇପାରିଲା? ଏହାର ନିରାକରଣ ଦିଗରେ ଯଦି ଚିନ୍ତା କରାଯାଇ ପାରିଥାଆନ୍ତା ତେବେ ଆଜି ଏଭଳି ମର୍ମନ୍ତୁଦ ଘଟଣା ଘଟି ନ ଥାଆନ୍ତା। ଆମ୍ଭେମାନେ ଗୋଟିଏ ପଟେ ଆଇନ ଓ ଆଇନର ରକ୍ଷକ, ଅନ୍ୟପଟେ ଆଜିର ସମାଜରେ ବଡ଼ପଣିଆ ଅର୍ଜନ କରିଥିବା ବହୁ ବ୍ୟକ୍ତିଙ୍କଠାରେ ମଣିଷପଣିଆର ଅଭାବ। ଭାବ ଓ ସମ୍ବେଦନାରେ ପରିପୂର୍ଣ୍ଣ ବ୍ୟକ୍ତି ହିଁ ଏହି ରୀତିନୀତିକୁ ବୁଝନ୍ତି। ଆମ ସମାଜରେ ଉଦ୍ଦୀପ୍ତ ବାସନା, ଅନିୟନ୍ତ୍ରିତ ତୃଷ୍ଣା ବହନ କରିଚାଲୁଥିବା ଗୋଟିଏ ବଡ଼ମଣିଷ ସମାଜ ରହିଛି। ସେମାନେ ସବୁ କ୍ଷେତ୍ରରେ କିଛି ଶକ୍ତି ଆହରଣ କରି ଭଦ୍ରମୁଖା ତଳେ ବଞ୍ଚିଛନ୍ତି। ଏହିଭଳି ଗୋଟିଏ ଗୋଷ୍ଠୀ ଶିକ୍ଷା, ସ୍ବାସ୍ଥ୍ୟ, ଶାସନ, ପ୍ରଶାସନ, ରାଜନୀତି ଓ ସାମାଜିକ ସ୍ତରରେ ବହୁ ଦିନରୁ ପ୍ରତିପତ୍ତି ବିସ୍ତାର କରିଆସିଛନ୍ତି। ଏମାନେ ସବୁପ୍ରକାର ବେଆଇନ କାର୍ଯ୍ୟ, ପ୍ରତିଶୋଧର ବାଟ ତିଆରି କରିଥାଆନ୍ତି। ଦୁର୍ନୀତି କିପରି କରାହୁଏ ଏମାନେ ତା’ର କୌଶଳ ତିଆରି କରି ଶୋଷକମାନଙ୍କୁ ବାଟ ବତାଇ ଦିଅନ୍ତି। ଏମାନେ ହେଉଛନ୍ତି ଅଦୃଶ୍ୟ ଇଲାକାର ଅଦୃଶ୍ୟ ରାଜା। ଅଦ୍ୟାବଧି ଏମାନଙ୍କ ପାଖକୁ ଆଇନ ଯାଇ ପାରିନାହିଁ, କି ସ୍ପର୍ଶ କରିପାରିନାହିଁ।
ଦୁଃଖର କଥା ନିର୍ଦ୍ଦୋଷ ନାରୀ ସତ୍ୟ ପ୍ରତିଷ୍ଠା କରିବାକୁ ଚାହୁଁଥିବା ବେଳେ ସମାଜରେ ନିର୍ଯାତନାର ଶିକାର ହେଉଛନ୍ତି। ଏଥିପାଇଁ ଆମ ବ୍ୟବସ୍ଥା ଦାୟୀ ନୁହେଁ ତ? ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀକୁ ଧରିଦେଇ ପାରନ୍ତି। କିନ୍ତୁ ଏପରି ଯେ ଆଉ ନ ହେବ ସେଥିପାଇଁ ଗ୍ୟାରେଣ୍ଟି ଦେଇ ପାରିବେ କି? ସବୁ କ୍ଷେତ୍ରରେ ଏକ ସତ୍ୟ ପ୍ରତିଷ୍ଠା କରିପାରିବେ କି? ଆଜି ଆମ ସମାଜରେ ସତ୍ୟର ପ୍ରତିଷ୍ଠା ପାଇଁ ବିବେକୀମାନେ ଉଦ୍ୟମ କରୁଛନ୍ତି କିନ୍ତୁ ତାହା ପ୍ରତିଷ୍ଠା ହୋଇ ପାରୁ ନାହିଁ କାହିଁକି?
ପ୍ରଥମେ ଦେଖିବା ଆମ ଆଇନଗତ ଦିଗ। ଆମ ଆଇନରେ ଅଛି ”ହଜାରେ ଦୋଷୀ ବରଂ ଖସି ଯାଆନ୍ତୁ କିନ୍ତୁ ଜଣେ ହେଲେ ନିର୍ଦ୍ଦୋଷ ଦଣ୍ଡ ନ ପାଆନ୍ତୁ“। ତେବେ ଏହି ଆଇନର ପରିବର୍ତ୍ତନର ଆବଶ୍ୟକତା ରହିଛି। ଏଭଳି ଏକ ସନ୍ଦେହାତ୍ମକ ପ୍ରଶ୍ନବାଚୀ ଏବେ ଆଇନରେ ସୃଷ୍ଟି ନ ହେବା ପାଇଁ ଆଇନ ବିଶେଷଜ୍ଞମାନେ ନିଜ ଗବେଷଣା ଦ୍ୱାରା ସାବ୍ୟସ୍ତ କରି ଆଉ ଏକ ନୂତନ ଆଇନ ବା ଜନତାଙ୍କ ପାଇଁ ଆଶା ଭରସା ଯଦି ସୃଷ୍ଟି କରନ୍ତେ ତେବେ ସମାଜରେ ଠିକ୍‌ ନ୍ୟାୟ ବ୍ୟବସ୍ଥା ପ୍ରତିଷ୍ଠା ହୋଇପାରନ୍ତା। ଆଉ ଏକ ଆଇନଗତ ଦ୍ୱନ୍ଦ୍ୱ ରହିଛି, ତା’ହେଲା ହତ୍ୟା, ବଳାତ୍କାର କ୍ଷେତ୍ରରେ ‘ଆଇ ଓ୍ବିଟ୍‌ନେସ’ ବା ସ୍ବଚକ୍ଷୁରେ ଦେଖିଥିବା ସାକ୍ଷୀ ବିହୁନେ ଦଣ୍ଡ ବ୍ୟବସ୍ଥା ଆଇନରେ ନାହିଁ। ଏହା ବିଗତ ଶତାବ୍ଦୀରେ ଆବଶ୍ୟକ ଥିଲା। କିନ୍ତୁ ଏବେ ନାଗରିକମାନଙ୍କ ଚରିତ୍ର ଯେତେବେଳେ ବଦଳି ଯାଇଛି, ଯାବତୀୟ କୁକର୍ମକୁ ଚାପିଦିଆଯିବା ପାଇଁ ଶକ୍ତିଗୁଡ଼ିଏ ସୃଷ୍ଟି ହୋଇଗଲେଣି। ଏ କ୍ଷେତ୍ରରେ ରାଜନୀତି ଯେତେବେଳେ ନିଜ ଦଳ ଓ ଦଳୀୟ କର୍ମୀଙ୍କ ସୁରକ୍ଷା ପାଇଁ କାମ କରୁଥିବା ଦେଖାଗଲାଣି, ସେତେବେଳେ ଜଣେ ବଳାତ୍କାରୀ ଯଦି ତାଙ୍କ ଦଳର ହୋଇଥିବେ ତେବେ ସେମାନେ ତା’ ପଛରେ ଏକ ଶକ୍ତିରୂପେ ଠିଆ ହେବେ ନାହିଁ କି? ଏପରି କ’ଣ ଓଡ଼ିଶା କାହିଁକି ସାରା ଭାରତବର୍ଷରେ ଉଦାହରଣର ଅଭାବ ରହିଛି? ଅତୀତରେ ଓଡ଼ିଶାରେ ମମିତା ମେହେରଙ୍କ ଭଳି ଲୋମଟାଙ୍କୁରା ଘଟଣାରେ ଅଦୃଶ୍ୟ ଶକ୍ତିମାନେ କ’ଣ କେହି ଦଣ୍ଡ ପାଇଲେ? ଏଠାରେ ଅନୁଭୂତ ହେଲା ଯେ ନ୍ୟାୟିକ ବ୍ୟବସ୍ଥାରେ ଅଭାବନୀୟ ସ୍ଥିତି ଲାଗି ରହିଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading