ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା : ୨୨ରେ ଲଘୁଚାପ, ୨୬ରେ ବାତ୍ୟା

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୨୨ ତାରିଖରେ ଉତର ଆଣ୍ଡାମାନ ସାଗର ଓ ପୂର୍ବମଧ୍ୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । କ୍ରମେ ଏହା ଘନୀଭୂତ ହୋଇ ୭୨ ଘଂଟା ପରେ ବାତ୍ୟା ରୂପ ନେବ । ୨୫ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ କ୍ଷେତ୍ର । ବାତ୍ୟାରେ ପରିଣତ ହୋଇ ଏହା ଉତର-ପଶ୍ଚିମ ଦିଗରେ ଆଗେଇବ । ତବେ କେଉଁଠି କେତେବେଳେ ଏହାର ପ୍ରଭାବ ପଡିବ ତାହା ଏବେଠୁ କହିହେବ ନାହିଁ । ବାତ୍ୟାର ତ୍ରୀବତା କେତେ ରହିବ ତାହା ଲଘୁଚାପ ସୃଷ୍ଟି ହେବା ପରେ ଜଣାପଡିବ । ତେବେ ୨୬ ତାରିଖରେ ଉପକୂଳ ଛୁଇଁପାରେ ବାତ୍ୟା ଏବଂ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଂଚିବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ନିଶ୍ଚିତ ପଡ଼ିବ ବୋଲି ସେ କହିଛନ୍ତି ।

ଆଇଏମଡିର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ୨୫ ତାରିଖ ରାତିରୁ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏ ଦୁଇଟଇ ସ୍ଥାନରେ ପ୍ରବଳ ବର୍ଷର୍ା ସମ୍ଭାବନା ରହିଛି । ପରବର୍ତୀ ସମୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୨୩ ତାରିଖ ବେଳକୁ ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ପବନ ଘଂଟା ପ୍ରତି ୪୫ରୁ ୫୫ କିମି କିମ୍ବା ୬୫ କିମି ବେଗରେ ବହିପାରେ । ପରବର୍ତୀ ସମୟରେ ପବନର ବେଗ ୫୦ରୁ ୬୦ କିମି ଏବଂ ଝଟକା ପବନ ୭୦ କିମି ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ୨୪ରୁ ୨୬ ତାରିଖ ମଧ୍ୟରେ ଓଡିଶା ପଶ୍ଚିମ ବଙ୍ଗ ଓ ବଙ୍ଗଳାଦେଶ ଉପକୂଳରେ ପବନର ବେଗ ଆହୁରି ଶକ୍ତିଶାଳୀ ରହିପାରେ । ଅପରପକ୍ଷରେ ମତ୍ସ୍ୟଜୀବୀମାନେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଂଚଳରେ ଏବଂ ଉତର ବଙ୍ଗୋପସାଗର ତଥା ଓଡିଶା ଉପକୂଳ ମଧ୍ୟକୁ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି ।

Spread the love