ରାଜ୍ୟକୁ ପୁଣି ଫେରିଲା ସପ୍ତାହାନ୍ତ ସଟଡାଉନ୍

  • ୨୪ରୁ ସହରାଂଚଳରେ ସବୁ ଶନିବାର ଓ ରବିବାର ସଟଡାଉନ୍‌

  • ଜାରି ରହିବ ଜରୁରୀ ସେବା

  • ବାହାଘରରେ ସର୍ବମୋଟ ୫୦ ଜଣ , ଦେବାକୁ ପଡିବ ତାଲିକା

  • ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ

 

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ପୁଣି ଫେରିଛି ସପ୍ତାହାନ୍ତ ସଟଡାଉନ୍ । ଆସନ୍ତା ଶନିବାର ଅର୍ଥାତ୍ ୨୪ ତାରିଖ ଠାରୁ ରାଜ୍ୟର ସମସ୍ତ ସହରାଂଚଳରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ଲୋକମାନେ ନିୟମ ଅନୁପାଳନ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ଅନୁରୋଧ କରିଛନ୍ତି । ଏହାପୂର୍ବରୁ କେବଳ ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହୋଇଥିଲା । ହେଲେ ଏବେ ରାଜ୍ୟର ସମସ୍ତ ସହରାଂଚଳରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଏସଆରସି । ସଟ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସେବା ଅନୁମତି ମିଳିବ । ଅନ୍ୟପଟେ ଏହି ସପ୍ତାହନ୍ତ ସଟଡାଉନ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ପାସ୍ ବ୍ୟବସ୍ଥା ରହିବ ନାହିଁ । ଅନୁମତି ଥିବା ବ୍ୟକ୍ତି ବିଶେଷମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯାଆସ କରିପାରିବେ । ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି । ଗତବର୍ଷ ସେପ୍େଟମ୍ବର ମାସରେ ସକ୍ରିୟ ସଂକ୍ରମିତ ୪୫୦୦ ଥିବାବେଳେ ଏବେ ଦ୍ୱିତୀୟ ଲହରୀରେ ଆଜି ୪୪୪୫ଜଣ ସଂକ୍ରମିତ ଅଛନ୍ତି । ତେଣୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେତେକ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ବଳବତର ଥିବାବେଳେ ଏଣିକି ରାଜ୍ୟର ବାକି ୨୦ଟି ଜିଲ୍ଲାର ସହରାଂଚଳରେ ପ୍ରତି ଶନିବାର ଓ ରବିବାର ଶଟଡାଉନ୍ ଘୋଷଣା କରାଯାଇଛି । ପୂର୍ବରୁ ସୀମାବର୍ତୀ ଯେଉଁ ୧୦ଟି ଜିଲ୍ଲା ଯଥା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ସାପ୍ତାହିକ ଶଟଡାଉନ୍ ରହିଛି । ଏବେ ପଶ୍ଚିମ ଓଡ଼ିଶାର ଏହି ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତର ରହିଥିଲାବେଳେ ବାକି ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ପୂର୍ବଭଳି ଜାରି ରହିବ । ତେବେ ଏସବୁ ଏହା କେବଳ ସହରାଂଚଳ(ପୌରାଂଚଳ ଓ ଏନଏସି) ପାଇଁ ଲାଗୁ ହେବ ।
ସଟ୍ ଡାଉନ୍ ସମୟରେ ସ୍ୱାସ୍ଥ୍ୟ ସେବା ସହ ସମ୍ପୃକ୍ତ ବ୍ୟକ୍ତି, ମେଡିସିନ୍ ଦୋକାନ,ଆମ୍ବୁଲାନ୍ସ, ପୋଲିସ୍ , ଅଗ୍ନିଶମ ସେବା, ଜରୁରୀକାଳୀନ ସେବା ସହ ଜଡିତ ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀ, ଟେଲିକମ୍ ସେବା, ପେଟ୍ରୋଲ ପମ୍ପ , ଏଲପିଜି ବଂଟନ , ହୋମ ଡେଲିଭରୀ ,ପ୍ରିଂଟ ଓ ଇଲେକ୍ଟ୍ରୋନିକ୍ ମିଡିଆ, ଜଳ ଯୋଗାଣ, ବିଦ୍ୟୁତ୍ ବଂଟନ, ମାଲ ପରିବହନ, ଶିଳ୍ପସଂସ୍ଥା, ଚାଷ କାର୍ଯ୍ୟ ଆଦି କଟକଣାରୁ ବାଦ୍ ଦିଆଯାଇଛି । ସେହିପରି ରେଳ ଓ ବିମାନ ଚଳାଚଳ, ସାଧାରଣ ପରିବହନ ବ୍ୟବସ୍ଥା, ଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ବା ଟ୍ୟାକ୍ସି, ଖାଦ୍ୟର ହୋମ୍ ଡେଲିଭରୀ, ଢାବାରୁ ଖାଦ୍ୟ ନେବା ମଧ୍ୟ କଟକଣା ସମୟରେ ଚାଲିପାରିବ । ଖବରକାଗଜ ହକର ମାନଙ୍କୁ ସକାଳ ୫ଟାରୁ ୮ ଟା ପର୍ଯ୍ୟନ୍ତ ଅନୁମତି ମିଳିବ । ଏଥିପାଇଁ କୌଣସି ପାସ୍ ର ବ୍ୟବସ୍ଥା ନାହିଁ । ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟପତ୍ର କିମ୍ବା ଆବଶ୍ୟକୀୟ ଡକ୍ୟୁମେଂଟ ଦେଖାଇ ଯାଇପାରିବେ । ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ , କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବାଦ୍ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ରହିବାକୁ ନିଷ୍ପତି ନିଆଯାଇଛି । ଅଙ୍ଗନବାଡି ପିଲାଙ୍କୁ ସେମାନଙ୍କ ଘରେ ରାସନ୍ ଯୋଗାଇ ଦିଆଯିବ ବୋଲି ଏସଆରସି କହିଛନ୍ତି ।
ଏହା ବ୍ୟତୀତ ବିବାହ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ସରକାର ଜାରି କରିଥିବାବେଳେ ବାହାଘରରେ ଯୋଗ ଦେବାକୁ ଥିବା ସର୍ବାଧିକ ୫୦ଜଣଙ୍କ ତାଲିକା ସ୍ଥାନୀୟ ପ୍ରଶାସନକୁ ଦେବାକୁ ପଡ଼ିବ । ବିବାହ ଶୋଭାଯାତ୍ରା କଲେ ଗାଡ଼ି, ମାଇକ, ବ୍ୟାଣ୍ଡପାର୍ଟି ଜବତ ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋଟେଲ, ରେଷ୍ଟୁରାଂଟରେ ବାହାର ଲୋକ ବସି ଖାଇବା ଉପରେ କଟକଣା ଜାରି କରାଯିବା ସହ କେବଳ ଘରକୁ ଖାଇବା ସାମଗ୍ରୀ ଆଣିହେବ ବୋଲି ଏସଆରସି କହିଛନ୍ତି । ଏହାସହିତ ଗାଁ ଗହଳିରେ ଭୋଜିଭାତ ଆୟୋଜନ ଉପରେ କଟକଣା ଜାରି କରାଗଲା ବୋଲି କହିଛନ୍ତି । ଯେଉଁମାନେ ଏହି ନିୟମ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀ ଜେନା କହିଛନ୍ତି । ରାଜ୍ୟରେ ବଢିଲା କୋଭିଡ୍ କଟକଣା ତେଣୁ ଯାତ୍ରା, ଅପେରାକୁ ବନ୍ଦ କଲେ ରାଜ୍ୟ ସରକାର । ୫୦ ପ୍ରତିଶତ ଦର୍ଶକରେ ଚାଲିବ ସିନେମା ହଲ । କିନ୍ତୁ ସବୁଠି ପାଳନ ହେବ କୋଭିଡ୍ କଟକଣା । ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ବି ଦେଇଛନ୍ତି ସରକାର ।

Spread the love