ବୃତିଗତ ଶିକ୍ଷାନୁଷ୍ଠାନ ସଂଶୋଧନ ବିଲ୍‌-୨୦୨୧ ପାରିତ

ଭୁବନେଶ୍ୱର : ଆଇନ୍ ପ୍ରଣୟନ ପାଇଁ ଗୃହରେ ଆଗତ ହୋଇଥିବା ଓଡ଼ିଶା ବୃତିଗତ ଶିକ୍ଷାନୁଷ୍ଠାନ(ନାମଲେଖା ଓ ଫିସ୍ ଧାର୍ଯ୍ୟର ବିନିୟମ) ସଂଶୋଧନ ବିଲ୍‌-୨୦୨୧ ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଥିଲା । ଏହି ବିଲ୍ ଆଲୋଚନାକୁ ବିରୋଧି ଦଳର ନେତା ଏବଂ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର ବିରୋଧ କରିଥିଲେ । ଶ୍ରୀ ମିଶ୍ର କହିଥିଲେ ଯେ, ଧାନକିଣା ସମସ୍ୟାକୁ ନେଇ ଗୃହରେ ଅଚଳ ଅବସ୍ଥା ଦେଖାଦେଇଥିଲାବେଳେ ଆଇନ୍ ପ୍ରଣୟନ କାର୍ଯ୍ୟ ହୋଇପାରିବ ନାହିଁ । ବୁଲ୍‌ଡୋଜର ଭଳି ଗୃହକୁ ଚଲାନ୍ତୁ ନାହିଁ ।

ଏହି ବିଲ୍ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଆଗତ କରିଥିଲେ । ସେ କହିଥିଲେ ଯେ, ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଯେଉଁଭଳି ଭାବେ ଅଭିଭାବକମାନଙ୍କ ଠାରୁ ମନଇଚ୍ଛା ଫି ଆଦାୟ କରୁଥିଲେ ତାହା ବନ୍ଦ ହେବ । ସାଧାରଣ ଗରିବ, ପଛୁଆ ବର୍ଗର ପିଲାମାନେ ଏହାଦ୍ୱାରା ଉପକୃତ ହେବେ । ଅନ୍ୟପକ୍ଷରେ ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବା ପାଇଁ ଫିସ୍ ଷ୍ଟ୍ରକଚର କମିଟିର ଅଧ୍ୟକ୍ଷ ପଦବୀରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପରିବର୍ତେ ଅବସରପ୍ରାପ୍ତ ବିଚାରପତିଙ୍କୁ ରଖିବା ଏବଂ ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି  ନିଯୁକ୍ତି ଦେବାପାଇଁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଣିଥିବା ସଂଶୋଧନ ପ୍ରସ୍ତାବକୁ ମନ୍ତ୍ରୀ  ଗ୍ରହଣ କରିଥିଲେ । ଏହି ଆଲୋଚନାରେ ଶାସକ ଦଳ ସଭ୍ୟ ଶ୍ରୀ କିଶୋର ମହାନ୍ତି ଅଂଶଗ୍ରହଣ କରିଥିଲେ ଏବଂ ଏହି ବିଲ୍ ସ୍ୱାଗତଯୋଗ୍ୟ ବୋଲି କହିଥିଲେ ।

Spread the love