ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି : ପ୍ରତି ରବିବାର ଦର୍ଶନ ବନ୍ଦ

ପୁରୀ : କରୋନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ଗାଇଡ ଲାଇନ୍ ଜାରି କରିଛି । ଏଥିପାଇଁ ଛତିଶାନିଯୋଗ ଓ ପରିଚାଳନା କମିଟିରେ ଆଲୋଚନା ହୋଇଥିଲା । ଆଜି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିସନ କୁମାର ଏଥିନେଇ ଏକ ସ୍ୱତନ୍ତ୍ର ସର୍କିୁଲାର ଜାରି କରିଛନ୍ତି । ମୁଖ୍ୟପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ବିଚାର ବିମର୍ଶ ପରେ ଏହି ଏସଓପି ଜାରି ହୋଇଛି । କରୋନା କଟକଣା ପାଇଁ ଏସଓପିରେ ସାମାନ୍ୟ ପରିବର୍ତନ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲିଠାରୁ ଏହି ପ୍ରକ୍ରିୟା ଜାରି ରହିବ । ପ୍ରତି ରବିବାରଦିନ ଶ୍ରୀମନ୍ଦିର ଭିତର ଓ ବାହାର ସାନିଟାଇଜ କରାଯିବ । ଏଥିପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । କିନ୍ତୁ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିରର ନୀତିକାନ୍ତ ଯଥାରିତୀ ଚାଲିବ । ଅନ୍ୟଦିନ ମାନଙ୍କରେ ସକାଳ ୬ଟାରୁ ଯଥାରିତୀ ଦର୍ଶନ ଚାଲୁରହିବ । ସପ୍ତାହର ଦୁଇଦିନ ରାତିରେ ମନ୍ଦିର ଶୋଧ ପରେ ସାନିଟାଇଜ କରାଯିବ । କୋଭିଡ କଟକଣା ମାନି ଭକ୍ତମାନେ ଦର୍ଶନ କରିବେ । ମୁହଁରେ ମାସ୍କ ବାନ୍ଧିବା, ହାତ ସାନିଟାଇଜେସନ କରିବା, ଶାରୀରିକ ଦୂରତା ରଖି ଭକ୍ତ ଦର୍ଶନ କରିପାରିବେ । ରାଜ୍ୟ ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁଯାୟୀ ଭକ୍ତମାନେ ଦର୍ଶନ କରିପାରିବେ । ଭକ୍ତମାନେ ଶ୍ରୀମନ୍ଦିର ଭିତରେ କୌଣସି ବିଗ୍ରହ କିମ୍ବା ଅନ୍ୟସ୍ଥାନରେ ସ୍ପର୍ଶ କରିପାରିବେ ନାହିଁ । ପାଟିରେ ପାନ କିମ୍ବା ଗୁଟଖା ଖାଇ ମନ୍ଦିର ଭିତରକୁ ଯାଇପାରିବେ ନାହିଁ । ଯଦି ଧରାପଡନ୍ତି ତେବେ ୧ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ଶ୍ରୀମନ୍ଦିର ଭିତରେ ପଲିଥିନକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ପଲିଥିନ ଭକ୍ତଙ୍କ ହାତରେ ଦେଖିଲେ ୧୦୦ଟଙ୍କା ଜୋରିମାନା ଆଦାୟ କରାଯିବ । ନିର୍ଦ୍ଧିଷ୍ଟ ଦୀପ ଜଳିବା ସ୍ଥାନରେ ଭକ୍ତମାନେ ଦୀପ ଜାଳିପାରିବେ । ଆନନ୍ଦବଜାର ନିର୍ଦ୍ଧିଷ୍ଟ ସ୍ଥାନରୁ ଭକ୍ତମାନେ ମହାପ୍ରସାଦ କିଣିପାରିବେ । ସମସ୍ତ ଭକ୍ତମାନେ ସିଂହଦ୍ୱାରରେ ପ୍ରବେଶ କରି ଅନ୍ୟ ତିନିଦ୍ୱାରରେ ପ୍ରସ୍ଥାନ କରିପାରିବେ । ଏହାସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଗାଇଡ ଲାଇନକୁ ଭକ୍ତମାନେ ମାନି ଦର୍ଶନ କରିପାରିବେ ବୋଲି ପ୍ରଶାସନ ତରଫରୁ ଜଣାଇ ଦିଆଯାଇଛି ।

Spread the love