ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ ଆଜି

ଭୁବନେଶ୍ୱର : ମହାମାରୀ କରୋନା ଯୋଗୁଁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପଦକ୍ଷେପ ଫଳରେ ଦର୍ଶକମାନେ ପ୍ରତ୍ୟେକ ରବିବାର ଦିନ ଏହି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର୍ କରିପାରିବେ । ରବିବାର ଦର୍ଶକମାନେ ଥ୍ରୀ-ଡି ମାଧ୍ୟମରେ ଫେସ୍‌ବୁକ୍ ଓ ଟୁଇଟର ପେଜ୍ ଖୋଲି ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟର ମୁଖ୍ୟ ସଂଗ୍ରହାଳୟ ଭବନ ସମ୍ପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆରଟିଆଇର ନିର୍ଦ୍ଦେଶକ ପ୍ରଫେସର ଡଃ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ସଂଗ୍ରହାଳୟର ମୁଖ୍ୟ ଭବନରେ ପାଂଚଗୋଟି ଗ୍ୟାଲେରୀ ରହିଛି । ଏହି ପାଂଚଗୋଟି ଗ୍ୟାଲେରୀରେ ଓଡ଼ିଶାର ୬୨ଟି ଜନଜାତିଙ୍କର ବିଭିନ୍ନ ପ୍ରକାରର ଦୈନିନ୍ଦିନ ବ୍ୟବହୃତ ସାମଗ୍ରୀ ଏବଂ କଳା ଓ ଶିଳ୍ପକଳା ପ୍ରଦର୍ଶିତ ହୋଇଛି । ବିଭିନ୍ନ ଗ୍ୟାଲେରୀରେ ଜନଜାତି ସମ୍ପ୍ରଦାୟଙ୍କ ସମ୍ପର୍କରେ ତଥ୍ୟ ରହିଛି । ପ୍ରଥମ ଗ୍ୟାଲେରୀରେ ଜନଜାତି ଅଳଙ୍କାର ଇତ୍ୟାଦି, ଦ୍ୱିତୀୟ ଗ୍ୟାଲେରୀରେ ଜନଜାତି ବୟନ, ବ୍ୟକ୍ତିଗତ ସାମଗ୍ରୀ, କଳା ଓ ଶିଳ୍ପକଳା, ତୃତୀୟ ଗ୍ୟାଲେରୀରେ ଶୀକାର ଓ ମାଛଧରା ଉପକରଣ ଓ ନିଜର ସୁରକ୍ଷା ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର, ଚତୁର୍ଥ ଗ୍ୟାଲେରୀରେ ନିତ୍ୟବ୍ୟବହାର୍ଯ୍ୟ ଘରକରଣା ସାମଗ୍ରୀ ଓ କୃଷି ଉପକରଣ, ପଂଚମ ଗ୍ୟାଲେରୀରେ ନୃତ୍ୟ, ବାଦ୍ୟଯନ୍ତ୍ର ଓ ଢୋକ୍ରା ସାମଗ୍ରୀ ପ୍ରଦର୍ଶନ କରାଯାଉଛି । ସଂଗ୍ରହାଳୟର ମୁଖ୍ୟ ଭବନର କେନ୍ଦ୍ରରେ ରହିଥିବା ଅଗଣାରେ ଜନଜାତି ପୂଜାପୀଠ ରହିଛି । ସେଠାରେ ୧୪ଟି ଜନଜାତି ସମ୍ପ୍ରଦାୟର ପୂଜାପୀଠ, ଦେବାଦେବୀଙ୍କର ଉପାସନା ପୀଠ ନିର୍ମାଣ କରାଯାଇଛି ।

Spread the love