କୋଭିଡ-୧୯ ସମ୍ପର୍କିତ ଆଲୋଚନା ନେଇ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଓ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭର୍ଚୁଆଲ ବୈଠକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ସହିତ ଭର୍ଚୁଆଲ ବୈଠକ କରିବେ । ମୋଦୀଙ୍କ ଏହି ବୈଠକରେ କୋଭିଡ-୧୯ ସଂପର୍କିତ ଆଲୋଚନା ହେବ । ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି ।

ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆଂଚଳିକ ଏବଂ ଗ୍ଲୋବାଲ ପ୍ରସଙ୍ଗରେ ୨ ଦେଶର ପ୍ରଧାନମନ୍ତ୍ରୀ କଥା ହେବେ । ଏଥି ସହିତ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜନସନ କୋଭିଡ-୧୯ ସଂକଟ ସମୟରେ କିଭଳି ସହଯୋଗର ହାତ ବଢ଼ାଇ ପାରିବେ, ସେ ସଂପର୍କରେ ମଧ୍ୟ ଆଲୋଚନା କରିବେ । କରୋନା ଭାଇରସ ମହାମାରୀର ସଫଳ ମୁକାବିଲା ପାଇଁ ମଧ୍ୟ ମୋଦୀ ଏବଂ ଜନସନ ଚର୍ଚ୍ଚା କରିବେ । ସେହିପରି ବହୁମୁଖୀ ଯୋଜନା ସମ୍ବନ୍ଧୀୟ ରାଜିନାମା ତଥା ଆଞ୍ଚଳିକ ଓ ବୈଷୟିକ କ୍ଷେତ୍ରରେ ପାରସ୍ପରିକ ସ୍ୱାର୍ଥର ଅଭିବୃଦ୍ଧି କରାଇବାର ସୁଯୋଗ ଥିବାରୁ ଏହି ବୈଠକକୁ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଏହି ଶିଖର ବୈଠକ ସମୟରେ ୨୦୩୦ ନିମନ୍ତେ ଏକ ସାମଗ୍ରିକ ‘ରୋଡ୍‌ମ୍ୟାପ୍‌’ର ଶୁଭାରମ୍ଭ ହେବ। ଏହାଦ୍ୱାରା ଆଗାମୀ କେତେ ଦଶନ୍ଧି ଧରି ଦୁଇ ଦେଶର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସହଯୋଗ, ବାଣିଜ୍ୟ ଓ ସମୃଦ୍ଧି, ପ୍ରତିରକ୍ଷା ଓ ନିରାପତ୍ତା, ଜଳବାୟୁ ସଂକ୍ରାନ୍ତ ପଦକ୍ଷେପ ଏବଂ ସ୍ବାସ୍ଥ୍ୟସେବା ଭଳି ୫ଟି ପ୍ରମୁଖ କ୍ଷେତ୍ରରେ ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ସହଯୋଗ ପ୍ରଶସ୍ତ ଓ ନିବିଡ଼ ହେବ। ୨୦୦୪ରୁ ଭାରତ ଓ ଇଂଲଣ୍ଡ୍‌ ଏକତ୍ର କାର୍ଯ୍ୟକରି ଅନେକ ଯୋଜନା ନିମନ୍ତେ ସହଯୋଗ ବିକଶିତ କରିଛନ୍ତି। ଅନେକ କ୍ଷେତ୍ରରେ ଉଭୟ ଦେଶ ଉଚ୍ଚସ୍ତରୀୟ ବିନିମୟରେ ଅଂଶଗ୍ରହଣ କରିବା ସହ ବର୍ଦ୍ଧିଷ୍ଣୁ ସମସ୍ୟାର ସମାଧାନ କରିଛନ୍ତି। ସୂଚନା ଯେ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗତ ଏପ୍ରିଲ ୨୬ ତାରିଖରେ ଭାରତ ଗସ୍ତରେ ଆସିବାର ଥିଲା । କିନ୍ତୁ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଶେଷରେ ଜନସନ ନିଜର ଗସ୍ତ ବାତିଲ କରିଥିଲେ ।

Spread the love