ଟିକା ଅଭାବ : ଆଜି ୩ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ଆତଙ୍କ ଜାରି ରହିଛି । ଏହାକୁ ପ୍ରତିହତ ପାଇଁ ଟିକାକରଣ ଜାରି ରହିଛି । ମାତ୍ର ରାଜ୍ୟରେ ଟିକା ପରିଚାଳନାଗତ ତ୍ରୁଟି ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରତିଦିନ ଟିକାର ଅଭାବ ଯୋଗୁଁ ଟିକାକରଣ ବନ୍ଦ ରହୁଛି । ତେବେ କେନ୍ଦ୍ରସରକାରଙ୍କ ନିୟମାନୁସାରେ ବେଶି ଆବଶ୍ୟକୀୟ ସ୍ଥାନରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜ୍ୟରେ ଟିକା ଅଭାବ ଯୋଗୁଁ ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ।

ସୂଚନା ଯେ, ବୁଧବାର ୫୭୭ଟି କେନ୍ଦ୍ରରେ କୋଭିଡ୍ ଟିକା ଦିଆଯାଇଥିଲା । ୭୬ ହଜାର ୪୭୮ ଜଣଙ୍କୁ ଭ୍ୟାକ୍ସିନ୍ ଦିଆଯାଇଛି । ରାଜ୍ୟରେ ୬୮ ଲକ୍ଷ ୧୨ ହଜାର ୧୧୮ ଡୋଜ୍ ଏଯାବତ୍ ଦିଆଯାଇଛି । ୧୮ରୁ ୪୪ ବର୍ଷ ବୟସ୍କ ମଧ୍ୟରେ ୨ ଲକ୍ଷ ୯ ହଜାର ୩୧୧ ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ୪୫ ଲକ୍ଷ ୩୧ ହଜାର ୩୩୫ ଜଣ ୪୫ ବର୍ଷରୁ ଅଧିକ ବୟସ୍କ ପ୍ରଥମ ଡୋଜ୍ ଏବଂ ୧୦ ଲକ୍ଷ ୩୪ ହଜାର ୪୩୩ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଏବେ ରାଜ୍ୟରେ କୋଭିସିଲ୍ଡ ଟିକା ମଧ୍ୟରୁ ୮୨ ହଜାର ୩୦ ଡୋଜ୍, କୋଭାକ୍ସିନର ୩ ଲକ୍ଷ ୬୫ ହଜାର ୨୯୦ ଡୋଜ୍ ଏବଂ ରାଜ୍ୟ କିଣିଥିବା କୋଭାକ୍ସିନରୁ ୪୧ ହଜାର ୧୦ ଡୋଜ୍ ଏବଂ କୋଭିସିଲ୍ଡ ୩ ଲକ୍ଷ ୮୩ ହଜାର ୩୦ ଡୋଜ୍ ରହିଛି ।

Spread the love