ଉତ୍ତମ ଆନନ୍ଦଙ୍କୁ ହତ୍ୟା କରାଯିବା ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ |

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଧାନବାଦ ଜିଲ୍ଲାକୋର୍ଟର ବିଚାରପତି ଉତ୍ତମ ଆନନ୍ଦଙ୍କୁ ଅଟୋ ଚଢ଼ାଇ ହତ୍ୟା କରାଯିବା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି । ଏହି ମାମଲାରେ ଏପର୍ଯ୍ୟନ୍ତ କ’ଣ ଯାଞ୍ଚ କରାଯାଇଛି ସେ ସଂପର୍କରେ ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟର ମୁଖ୍ୟ ସଚିବ ଓ ଡିଜିପିଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଝାଡ଼ଖଣ୍ଡ ହାଇକୋର୍ଟ ଏହି ଘଟଣାରେ ତଦନ୍ତକୁ ଅନୁଧ୍ୟାନ କରିବା ଜାରି କରିବେ ବୋଲି କହିଛନ୍ତି ।

ଏହି ଘଟଣାକୁ ନେଇ ଏଡିଜି କହିଛନ୍ତି ଯେ, ସବୁ ଦିଗରୁ ତଦନ୍ତ ଚାଲିଛି । ୧୧ଟି ଟିମ୍ ଗଠନ କରାଯାଇଛି । ସାକ୍ଷୀଙ୍କୁ ପଚରାଉଚରା କରାଯାଉଛି । ଏହାସହ ଅତିଶୀଘ୍ର ଟିମ୍ ନିଷ୍କର୍ସରେ ପହଁଚିବ । ଶନିବାର ସବୁ ଟିମ୍ ସହ ଏଡିଜି ବୈଠକ କରିବେ ।ସବୁ ଟିମକୁ ଭିନ୍ନ ଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି । ଅଟୋ ମାଲିକଙ୍କ ରେକର୍ଡ ଯାଞ୍ଚ୍ ହେଉଛି । ଏହାସହ ଅତିଶୀଘ୍ର ଦୋଷୀ ଦଣ୍ଡ ପାଇବ ବୋଲି ସେ କହିଛନ୍ତି ।

ସୂଚନାଥାଉକି, ବୁଧବାର ସକାଳୁ ବିଚାରପତି ଉତ୍ତମ ଆନନ୍ଦ ପ୍ରାତଃଭ୍ରମଣରେ ବାହାରିଥିଲେ । ସେ ରାସ୍ତାର ବାମପଟରେ ଜଗିଂ କରୁଥିବାବେଳେ ପଛ ପଟୁ ଦ୍ରୁତଗତିରେ ଆସୁଥିବା ଏକ ଅଟୋ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଧକ୍କା ଦେଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ବିଚାରପତିଙ୍କୁ ଅଟୋ ଚଢ଼ାଇ ହତ୍ୟା କରିଥିବାକୁ ସ୍ୱୀକାର କରିଛି । ଚୋରି ଅଟୋ ଦ୍ୱାରା ଏହି ଜଘନ୍ୟ କାଣ୍ଡ କରାଯାଇଥିଲା ।

Spread the love