ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିପିଲି ବିଧାନସଭା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପିପିଲିରେ ପ୍ରଚାର କରିବେ । ଆସନ୍ତା ୧୩ ତାରିଖରେ ଧର୍ମେନ୍ଦ୍ର ପ୍ରଚାର ଆରମ୍ଭ କରିବେ । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏ ନେଇ ସୂଚନା ଦେଇଛନ୍ତିା ସେ କହିଛନ୍ତି ଯେ ତାଙ୍କର ସାଧାରଣ ସଭାରେ ଉଦବୋଧନ ଦେବା ସହ ଶୋଭାଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ବିଜେପିର ଆଉ କିଛି କେନ୍ଦ୍ରୀୟ ନେତା ପିପିଲି ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ୮ତାରିଖରୁ ପିପିଲି-ଡେଲାଙ୍ଗ ଅଂଚଳରେ ଜୋନାଲ ରାଲି କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସେହିପରି ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ । ବିଧାୟକ ଉମାକାନ୍ତ ସାମନ୍ତରାୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏଥିପାଇଁ ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ଏଲଇଡିର ବ୍ୟବସ୍ଥା ହେବ । କେଉଁ ତାରିଖରେ ପ୍ରଚାର କରିବେ ତାହା ଆଜି ସନ୍ଧ୍ୟାରେ ଚୂଡ଼ାନ୍ତ ହେବ । ଏଥିସହ ବିଜେଡି ୩୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Spread the love