ବିପର୍ଯ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘ ପକ୍ଷରୁ ପ୍ରଶଂସା

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତିସଂଘର ପ୍ରଶଂସା । ବିପର୍ଯ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘ ପକ୍ଷରୁ ପ୍ରଶଂସା କରାଯାଇଛି । ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ଓଡିଶା ରୋଲ୍ ମଡେଲ୍ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଇଛି ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଜାତିସଂଘ ମୁଖ୍ୟ ମାମି ମିଜୁଟୋରି କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପଦକୁ ବୁଝିବା ସହ ତାହାର ସାମ୍ନା କରିବାକୁ କିଭଳି ଦୃଢ ପଦକ୍ଷେପ ଗ୍ରହଣ କରାଯିବ, ପ୍ରାକ୍ ପ୍ରସ୍ତୁତି ଉପରେ କିଭଳି ଅଧିକ ଗୁରୁତ୍ବ ଦିଆଯିବ ସେ ଦିଗରେ ଓଡିଶା ଉଦାହରଣ ସୃଷ୍ଟି କରିଛି । ମିଜୁଟୋରୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକ ରାଜନୈତିକ ପ୍ରତିବଦ୍ଧତା ମଧ୍ୟ ପ୍ରଦାନ କରିଛି । ୧୯୯୯ ମହାବାତ୍ୟାରେ ଓଡିଶାରେ ପ୍ରାୟ ୧୦ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏପର୍ଯ୍ୟନ୍ତ ଏହାର କେବେ ପୁନରାବୃତ୍ତି ଘଟିନାହିଁ । ସୂଚନା ଯେ, ୨୦୧୩ ମସିହାରେ ବାତ୍ୟା ‘ଫାଇଲିନ୍’ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିଚାଳନାକୁ UNDRR ପ୍ରଶଂସା କରିଥିଲା । ଗତ ସପ୍ତାହରେ ବାତ୍ୟା ‘ୟାସ୍’ ସମୟରେ ଓଡିଶାର ପ୍ରାୟ ୭ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

Spread the love