୨୦ ଜଣ ପିଲାଙ୍କ ପରୀକ୍ଷା ତଦାରଖ କରିବେ ଜଣେ ଅଧ୍ୟାପକ | ରେଭେନ୍ସାରେ ୟୁଜି ଓ ପିଜି ଅନ୍‌ଲାଇନ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ଫାଇନାଲ ସେମିଷ୍ଟର ପରୀକ୍ଷା ଆସନ୍ତା ଜୁଲାଇ ଶେଷ ସପ୍ତାହରୁ ଆରମ୍ଭ ହେବ । ଏହି ପରୀକ୍ଷା ଅଗଷ୍ଟ ମାସ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ମାଧ୍ୟମରେ ହେବ । ଛାତ୍ରଛାତ୍ରୀମାନେ ଘରେ ରହି ପରୀକ୍ଷା ଦେବେ । ୨୦ ଜଣ ପିଲାରେ ଜଣେ ଅଧ୍ୟାପକ ପରୀକ୍ଷକ ଭାବେ ନିୟୋଜିତ ରହି ପରୀକ୍ଷା ତଦାରଖ କରିବେ । ଛାତ୍ରଛାତ୍ରୀମାନେ ଭିଡ଼ିଓ କଲ୍‌ କରି ପରୀକ୍ଷା ଦେବେ । ୟୁଜି ଓ ପିଜି ଶେଷ ବର୍ଷର ପରୀକ୍ଷାକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପରି ପ୍ରସ୍ତୁତି ହେଉଥିବା ସୂଚନା ମିଳିଛି ।

କରୋନା ପରିସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟ ସରକାର ଅନ୍‌ଲାଇନ୍‌ ମାଧ୍ୟମରେ ୟୁଜି ପିଜି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍‌ଲାଇନ୍‌ ପରୀକ୍ଷା କେମିତି କରିବ ତାର ନିଜସ୍ୱ ଦାୟିତ୍ୱ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ହାତରେ ଛାଡି଼ଦେଇଥିଲେ । ଏହାକୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାରମ୍ବାର ବୈଠକ ଓ ଆଲୋଚନା କରାଯାଉଛି । ଗତକାଲି ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ଅନ୍‌ଲାଇନ୍‌ ମାଧ୍ୟମରେ ଏକ ବୈଠକ କରିଥିଲେ । ଅନ୍‌ଲାଇନ୍‌ରେ କେମିତି ପରୀକ୍ଷା ହେବ, ବିଶ୍ୱବିଦ୍ୟାଳୟ ନିକଟରେ କ’ଣ ସୁବିଧା ରହିଛି ଏବଂ ପରୀକ୍ଷା ପାଇଁ ଆଉ କ’ଣ ବ୍ୟବସ୍ଥା କରାଯିବ ସେନେଇ ବିଭାଗୀୟ ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ ।

ରାଜ୍ୟ ବାହାରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କ’ଣ ବ୍ୟବସ୍ଥା କରାଯିବ, ସେମାନେ କେମିତି ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ପାଠପଢ଼ା କେତେ ପ୍ରତିଶତ ହୋଇଛି । ଆଉ କେତେ ପ୍ରତିଶତ ପାଠପଢ଼ା ବାକି ଅଛି । ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ । ପରୀକ୍ଷା ପୂର୍ବରୁ କୋର୍ସ ଶେଷ କରିବା ସହ ପାଠକୁ ଆଉ ଥରେ ରିଭିଜନ କରିବାକୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସୂଚନା ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ରେ ଦିଆଯିବ । ପରୀକ୍ଷାର ୫ ମିନିଟ୍‌ ପୂର୍ବରୁ ଇ-ମେଲରେ ପ୍ରଶ୍ନପତ୍ର ପଠାଯିବ । ଛାତ୍ରଛାତ୍ରୀ ଇ-ମେଲରୁ ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ କରି ପରୀକ୍ଷା ଦେବେ । ପରୀକ୍ଷାରେ ଯେମିତି କେହି କପି ନକରିବେ, ସେଥିପାଇଁ ୨୦ ଜଣ ପରୀକ୍ଷାର୍ଥୀରେ ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକାଙ୍କୁ ନିୟୋଜିତ କରାଯିବ । ପରୀକ୍ଷା ବେଳେ ଛାତ୍ରଛାତ୍ରୀମାନେ ଭିଡ଼ିଓ କଲ୍‌ ଜାରି ରଖିବେ ବୋଲି ଆଜି କୁଳସଚିବ ଭକ୍ତ ଚରଣ ପ୍ରଧାନଙ୍କ ସହିତ କରିଥିବା ବୈଠକରେ କୁଳପତି ପ୍ରଫେସର ନାୟକ ଆଲୋଚନା କରିଥିଲେ ।

Spread the love