ଛତିଶଗଡ଼ ଏନକାଉଣ୍ଟର ଘଟଣାରେ ୨୧ ଯବାନଙ୍କ ପତ୍ତା ମିଳୁନି

ଛତିଶଗଡ଼ : ଛତିଶଗଡ଼ ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲା ସୀମାନ୍ତରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଶନିବାର ଗୁଳିବିନିମୟ ହୋଇଥିଲା । ଏଥିରେ ୫ ଜଣ ଯବାନ ଶହୀଦ ହେବା ସହ ଅନେକ ଆହତ ହୋଇଛନ୍ତି । ତେବେ ଏଥିରେ ଆହୁରି ୨୧ରୁ ଉର୍ଦ୍ଧ୍ୱ ଯବାନ ନିଖୋଜ ରହିଛନ୍ତି । ଏଯାଏଁ ଯବାନମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନ ଥିବା ଜଣାପଡ଼ିଛି ।

ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନର ପୋଲିସ ଉପ ମହାନୀରିକ୍ଷକ ଓ.ପି ପୋଲ୍ କହିଛନ୍ତି ଜଂଗଲରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ସେହି ସମୟରେ ନକ୍ସଲମାନେ ମୋଟର ଲଂଚର ଓ ଅତ୍ୟାଧୁନିକ ଅସ୍ତ୍ର ମାଧ୍ୟମରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ ଜଣ ଯବାନ ଶହୀଦ ହୋଇଥିଲେ । ସେହିପରି ୩୦ ଆହତଙ୍କ ମଧ୍ୟରୁ ୨୩ ଯବାନଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାଳେ ଅନ୍ୟ ୭ ଜଣଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଜବତ ହୋଇଛି। ଏହା ପରେ ପାଖାପାଖି ୧୫୦୦ ଯବାନଙ୍କୁ ନକ୍ସଲ ଦମନ ବିରୋଧୀ ଅଭିଯାନରେ ସାମିଲ କରାଯାଇଛି, ଯେଉଁମାନେ କି ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅନ୍ୟପକ୍ଷରେ ୫ ଯବାନ ଶହୀଦ ହେବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଟୁଇଟ କରି ମୋଦି କହିଛନ୍ତି, ତାଙ୍କର ବଳିଦାନକୁ କେବେ ଭୁଲିହେବ ନାହିଁ । ଛତିଶଗଡ଼ରେ ମାଓବାଦୀଙ୍କ ସହ ଲଢ଼େଇ କରି ଯବାନ ହୋଇଥିବା ଯବାନଙ୍କ ପ୍ରତି ମୋର ସମବେଦନା ରହିଛି । ଗୁରୁତର ଯବାନମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ, ତାହା ହିଁ ପ୍ରାର୍ଥନା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଦୁଃଖ ପ୍ରକାଶ କରିବା ସହିତ ଶହୀଦ ଯବାନଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଶାହ କହିଛନ୍ତି, ଦେଶ ଯବାନମାନଙ୍କ ବଳିଦାକୁ କେବେ ଭୁଲିବ ନାହିଁ। ଶହୀଦ ଯବାନଙ୍କ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଶାନ୍ତି ଏବଂ ବିକାଶର ଶତ୍ରୁଙ୍କ ବିରୋଧରେ ଆମ ଲଢ଼େଇ ଜାରି ରହିବ ବୋଲି ଶାହ କହିଛନ୍ତି ।

Spread the love