ଆଜି ଭଉଁରୀ, ୩ ରଥର ଚକ ଡେରା ଅନୁକୂଳ

ପୁରୀ : ଶ୍ରୀମନ୍ଦିର ସମ୍ମୁଖ ରଥ ଖଳାରେ ଜୋରସୋରରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ତିନି ରଥରେ ଲାଗିବାକୁ ଥିବା ମୋଟ୍ ୪୨ ଟି ଚକ ମଧ୍ୟରୁ ୧୮ଟି ଚକର ନିର୍ମାଣ କାର୍ଯ୍ୟ ସରିଲାଣି । ଗୁରୁବାର ଭଉଁରୀରେ ତିନି ରଥର ଚକ ଡ଼େରା ନୀତି ସମ୍ପନ୍ନ ହେବ । ଭଉଁରୀ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଏସପି କନୱର ବିଶାଲ ସିଂହ ଏନେଇ ସୂଚନା ଦେଇ କହିଛନ୍ତି ଯେ, କୋଭିଡ଼୍ ମୁକାବିଲା କ୍ଷେତ୍ରରେ ପୂର୍ବରୁ ଜନସାଧାରଣ ଯେଭଳି ଭାବେ ପ୍ରଶାସନର ପ୍ରତ୍ୟେକ ନିଷ୍ପତିକୁ ମାନି ନେଇ ସହଯୋଗ କରି ଆସୁଛନ୍ତି, ଆଗକୁ ମଧ୍ୟ ସମସ୍ତଙ୍କର ସହଯୋଗ ରହିବ । ସେହିପରି ଦେବସ୍ନାନ ପୂର୍ଣ୍ଣିମା ପାଇଁ ମଧ୍ୟ ଗତକାଲି ସଂନ୍ଧ୍ୟାରେ ପ୍ରଥମ ପୋଲିସ ସ୍ତରିୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ପୋଲିସ ଅଧିକାରୀମାନେ କିଏ କେଉଁ ଦାୟୀତ୍ୱ ନେବେ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଭଉଁରୀ ପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବୁଧବାର ବାଲିଗୁଆଳି ଠାରେ ଥିବା କୋଭିଡ଼୍ କେୟାର ସେଂଟର ପରିଦର୍ଶନ କରିଛନ୍ତି । ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଏହି କୋଭିଡ଼୍ କେୟାର ସେଂଟର କରାଯାଇଛି । ଜିଲ୍ଲାପାଳ ଏହି ଗସ୍ତ ସମୟରେ ସେଠାରେ ଦାୟୀତ୍ୱରେ ଥିବା ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ ମାନେ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ଓ ଠିକ୍ ସମୟରେ ଅକ୍ସିଜେନ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ଜିଲ୍ଲାପାଳ ପୁରୀ ସହରର ପୁରୁଣା ଜେଲ୍ ରୋଡ଼ ନିକଟରେ ଥିବା ଭକ୍ତ ନିବାସ ପରିଦର୍ଶନ କରିଥିଲେ । ଏହି ନିର୍ମାଣକୁ କାର୍ତିକ ମାସ ସୁଦ୍ଧା ଶେଷ କରିବା ପାଇଁ ଠିକାଦାରଙ୍କୁ ପରାମର୍ଶ ଦେଇଥିଲେ । ଏହା ପରେ ଜିଲ୍ଲାପାଳ ରଥଖଳାକୁ ଯାଇ ରଥ ନିର୍ମାଣର ଅଗ୍ରଗତି ଓ ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀ ଉପଲକ୍ଷେ ଚକା ଡେରା ନୀତି ସମ୍ପର୍କରେ ବୁଝିଥିଲେ ।

Spread the love