ଆଜି ୩୪ ଜଣିଆ ମନ୍ତ୍ରିମଣ୍ଡଳ ସହ ଶପଥ ନେବେ ଷ୍ଟାଲିନ୍‌

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିଏମକେ ଅଧ୍ୟକ୍ଷ ଏମ କେ ଷ୍ଟାଲିନ୍
ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ସଫଳତା ପାଇବା ପରେ ଡିଏମକେ ଅଧ୍ୟକ୍ଷ ଏମ କେ ଷ୍ଟାଲିନ୍ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ରାଜଭବନ ପରିସରରେ ୩୪ ଜଣିଆ ମନ୍ତ୍ରିମଣ୍ଡଳ ସହିତ ଶପଥ ନେବେ । ତାଙ୍କ ମନ୍ତ୍ରିମଣ୍ଡଳରେ ଦଳର ପୁରୁଖା ନେତାମାନଙ୍କୁ ସ୍ଥାନ ଦିଆଯାଉଛି। ମଙ୍ଗଳବାର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରଠାରୁ ଷ୍ଟାଲିନ୍‌ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ପ୍ରସ୍ତୁତି ଚଳାଇଥିଲେ। ଇତିମଧ୍ୟରେ ତାଙ୍କ ପରିବାରରେ ମଧ୍ୟ ସ୍ଥିତି ସୁଧୁରିଥିବା ସୂଚନା ମିଳିଛି। ଦଳର ନେତୃତ୍ବ ବିବାଦ ନେଇ ଷ୍ଟାଲିନଙ୍କଠାରୁ ଦୂରେଇ ଯାଇଥିବା ଭାଇ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌.କେ ଆଲାଗିରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ସମସ୍ତ ସହଯୋଗ କରିବେ ବୋଲି ଷ୍ଟାଲିନ୍‌ଙ୍କୁ ସମସ୍ତ ସହଯୋଗ କରିବେ ବୋଲି ସେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ ବାପା ଏମ୍‌. କରୁଣାନିଧିଙ୍କ ମନ୍ତ୍ରିମଣ୍ଡଳରେ ଷ୍ଟାଲିନ୍‌ ଉପମୁଖ୍ୟମନ୍ତ୍ରୀ ଥିଲେ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଧ୍ୟ ଷ୍ଟାଲିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୋଦି ଟ୍ୱିଟ୍ କରି ଲେଖିଥିଲେ ଯେ, ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ବିଜୟ ପାଇଁ ଏମ କେ ଷ୍ଟାଲିନ୍ ଏବଂ ଡିଏମକେକୁ ଅଭିନନ୍ଦନ । ଜାତୀୟ ପ୍ରଗତିକୁ ଆଗକୁ ନେବା, ଆଞ୍ଚଳିକ ଆକାଂକ୍ଷାକୁ ପୂରଣ କରିବା ଏବଂ କୋଭିଡ୍-୧୯ ମହାମାରୀକୁ ପରାସ୍ତ କରିବା ପାଇଁ ଆମେ ମିଳିତ ଭାବେ କାମ କରିବା । ଷ୍ଟାଲିନ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ଏହି ମେଣ୍ଟକୁ ନିର୍ବାଚନରେ ​​ଜିତାଇ ଥିବାରୁ ତାମିଲନାଡୁବାସୀଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ଆମେ ଧୀରେ ଧୀରେ ଆମ ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରିବୁ । ସେ କହିଛନ୍ତି ଯେ, ସମସ୍ତ ଜାତୀୟ ନେତାଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନେ ମୋତେ ଶୁଭେଚ୍ଛା ଜଣାଇଛନ୍ତି ।ମୁଁ ସେମାନଙ୍କ ପରାମର୍ଶକୁ ଧ୍ୟାନରେ ରଖି କାମ କରିବି ।

Spread the love