ଆଇପିଏଲ୍-୨୦୨୧ : ଆଜି ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା

ମୁମ୍ବାଇ : ଆଇପିଏଲ୍‌ ୨୦୨୧ର ୧୪ଶ ସଂସ୍କରଣରେ ଗୁରୁବାର ସପ୍ତମ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଗତ ସଂସ୍କରଣର ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସ । ଭାରତୀୟ ଦଳର ଦୁଇ ୱିକେଟ୍‌ରକ୍ଷକ ସଞ୍ଜୁ ସାମ୍‌ସନ୍‌ ଏବଂ ଋଷଭ ପନ୍ତ୍‌ ଯଥାକ୍ରମେ ରାଜସ୍ଥାନ ଓ ଦିଲ୍ଲୀ ଦଳର ନେତୃତ୍ୱ ନେଉଛନ୍ତି । ଉଭୟେ ଆଇପିଏଲ୍‌ରେ ପ୍ରଥମ ଥର ଲାଗି ଚଳିତ ସଂସ୍କରଣରେ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ପ୍ରଥମ ମ୍ୟାଚ୍‌ରେ ଅଳ୍ପକେ ବିଜୟ ହାତଛଡ଼ା କରିବା ପରେ ରାଜସ୍ଥାନ ରୟାଲ୍ସ ଗୁରୁବାର ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ତାରକା ଖଚିତ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଜାରି ରଖିବାକୁ ପ୍ରସ୍ତୁତ ରହିଛି । ଏହି ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣିତ ।

ଦୁଇ ଦଳର ଅଧିନାୟକ ସଞ୍ଜୁ ସାମସନ ଓ ରିଶଭ ପନ୍ତଙ୍କ ଉପରେ ସମସ୍ତଙ୍କ ନଜର । ଉଭୟ ପ୍ରଥମ ଥର ପାଇଁ ନିଜ ନିଜ ଦଳର ନେତୃତ୍ୱ ନେଉଛନ୍ତି । କାନ୍ଧରେ ଅସ୍ତ୍ରୋପଚାର କରିଥିବା ଶ୍ରେୟାସ ଆୟର ଆଇପିଏଲ୍‌ ଖେଳୁନଥିବାରୁ ତାଙ୍କ ସ୍ଥାନରେ ପନ୍ତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ସାମସନ ଗତ ସିଜନର ପ୍ରଦର୍ଶନ ବଳରେ ନେତୃତ୍ୱ ଭାର ପାଇଛନ୍ତି । ଉଭୟ ୱିକେଟ୍‌ କିପର ଓ ଭାରତୀୟ ଦଳ ୱିକେଟ କିପର ସ୍ଥାନ ପାଇଁ ପ୍ରମୁଖ ଦାବିଦାର ।

ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ସାମସନ ଶତକ ଅର୍ଜନ କରି କ୍ରିକେଟ୍‌ ପ୍ରେମୀଙ୍କୁ ଚମତ୍କୃତ କରିଦେଇଥିଲେ । ଶେଷ ବଲ୍‌ ପର୍ଯ୍ୟନ୍ତ ସେ ଏକୁଟିଆ କ୍ରିଜ୍‌ରେ ଜମି ରହି ବିଜୟ ପାଇଁ ଲଢେଇ କରିଥିଲେ । ଶେଷରେ ମାତ୍ର ୪ ରନ୍‌ ପାଇଁ ରୟାଲ୍ସ ଦଳ ପରାଜିତ ହୋଇଥିଲା । ସାମସନଙ୍କ ଇନିଂସକୁ ପ୍ରଶଂସା କରାଯାଇଥିଲା । ଉଭୟ ଦଳରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି । ତେଣୁ ଗୁରୁବାର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । ଦିଲ୍ଲୀ କ୍ୟାପିଟାଲ୍ସର ଦଳର ଦୁଇ ପ୍ରମୁଖ ଫାଷ୍ଟ ବୋଲର କାଗିସୋ ରାବାଡା ଓ ଆନରିଚ ନର୍ଜ ଖେଳିବା ନେଇ ଆଶଙ୍କା ରହିଛି । ଉଭୟଙ୍କ କ୍ୱାରେଣ୍ଟାଇନ୍‌ ଅବଧି ଶେଷ ହୋଇଥିଲେ ହେଁ କରୋନା ଟେଷ୍ଟ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ରହିଥିବାରୁ ଉଭୟ ଏପର୍ଯ୍ୟନ୍ତ ଅଭ୍ୟାସ ଆରମ୍ଭ କରିପାରି ନାହାନ୍ତି । କରୋନା ସଂକ୍ରମିତ ହୋଇଥିବା ଅକ୍ଷର ପଟେଲଙ୍କୁ ମଧ୍ୟ ମ୍ୟାଚ୍‌ରେ ଦେଖିବାକୁ ମିଳିବ ନାହିଁ । ବେନ ଷ୍ଟୋକ୍ସ ଆହତ ହୋଇ ସମ୍ପୂର୍ଣ୍ଣ ଆଇପିଏଲ୍‌ରୁ ବାଦ ପଡ଼ିବା ପରେ ରାଜସ୍ଥାନ ରୟାଲ୍ସ ତାଙ୍କ ବିକଳ୍ପ ଖୋଜି ପାଇ ନାହିଁ । ତଥାପି ଲାଏମ ଲିଭିଙ୍ଗଷ୍ଟୋନ ଆସନ୍ତା କାଲି ଖେଳିବା ଆଶା କରାଯାଉଛି । ଜୋସ ବଟଲର ପାଳି ଆରମ୍ଭ କରିପାରନ୍ତି । ଦ୍ୱିତୀୟ ଓପନିଂ ସ୍ଥାନକୁ ନେଇ ମନନ ଭୋରା ଓ ଯୁବ ବ୍ୟାଟ୍ସମ୍ୟାନ୍‌ ଯଶସ୍ୱୀ ଜୈସ୍ୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ। ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ଭୋରା ବିଫଳ ହୋଇଥିଲେ ।

ରାଜସ୍ଥାନ ରୟାଲ୍ସ ଦଳ: ସଂଜୁ ସାମସନ୍‌ (ଅଧିନାୟକ ଓ ୱିକେଟରକ୍ଷକ), ଜୋସ୍ ବଟଲର୍‌, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୂଜ ରାୱତ, ରିୟାନ୍ ପରାଗ, ଡେଭିଡ୍‌ ମିଲର୍‌, ରାହୁଲ ତିୱାତିଆ, ମହିପାଲ୍‌ ଲୋମରର, ଶ୍ରେୟସ ଗୋପାଳ, ମୟଙ୍କ ମାର୍କଣ୍ଡେ, ଅଣ୍ଡ୍ରିଉ ଟାଇ, ଜୟଦେବ ଉନାଦକତ୍‌, କାର୍ତିକ ତ୍ୟାଗୀ, ଶିଭମ ଦୁବେ, କ୍ରିସ୍‌ ମୋରିସ୍‌, ମୁସ୍ତାଫିଜୁର ରହମାନ, ଚେତନ ସାକାରିଆ, କେସି କାରିଆପ୍ପା, ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌, କୁଲଦୀଦ ଯାଦବ, ଆକାଶ ସିଂହ।

ଦିଲ୍ଲୀ କ୍ୟାପିଟାଲ୍‌ସ: ଋଷବ ପନ୍ତ୍ (ଅଧିନାୟକ ଓ ୱିକେଟ୍‌ ରକ୍ଷକ), ଶିଖର ଧାୱନ, ପୃଥ୍ବୀ ସ’, ଅଜିଙ୍କ୍ୟ ରାହାଣେ, ସିମ୍ରନ୍ ହେଟମେୟର୍‌, ମାର୍କସ ଷ୍ଟୋଇନିସ୍, କ୍ରିସ୍‌ ୱକ୍ସ, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରବାଦା, ଅନରିକ୍‌ ନର୍ଖିୟା, ଈଶାନ୍ତ ଶର୍ମା, ଆଭେସ୍‌ ଖାନ୍‌, ଷ୍ଟିଭ୍‌ ସ୍ମିଥ୍‌, ଉମେଶ ଯାଦବ, ରିପଲ୍‌ ପଟେଲ୍‌, ବିଷ୍ଣୁ ବିନୋଦ, ଲୁକମାନ୍‌ ମେରିୱାଲା, ଏମ୍ ସିଦ୍ଧାର୍ଥ, ଟମ୍ କରନ୍‌, ସାମ୍‌ ବିଲିଙ୍ଗ୍ସ।

Spread the love