ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆଜି ପବିତ୍ର ଚୈତ୍ର ଶୁକ୍ଲ ତୃତୀୟା ତିଥି । ଏହି ଅବସରରେ ଶ୍ରୀଜିଉଙ୍କ ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ । ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ବାରଣ କରାଯାଇଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପରମ୍ପରା ଅନୁଯାୟୀ, ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ।

ବନକଲାଗି ନୀତିର ବିଧି ଅନୁସାରେ, ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ପରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ବନକଲାଗି ବିଧି ଗୁପ୍ତସେବା ସମ୍ପାଦନ କରାଯିବ । ତେବେ ଶ୍ରୀଜୀଉଙ୍କର ଶ୍ରୀମୁଖ ସିଂହାର ପାଇଁ ହିଙ୍ଗୁଳ, ଶଂଖ, କେଶର, କଇଁଥ, ଅଠା, କର୍ପୂର, କଜ୍ୱଳ, କସ୍ତୁରୀ, ହରିତାଳ ଓ ତେଲର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ବନକକୁ ବ୍ୟବହାର କରାଯାଇଥାଏ । ଏହି ବିଶେଷ ନୀତି ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ସମ୍ପାଦନ କରାଯାଇଥାଏ । ଏହି ପ୍ରାକୃତିକ ପ୍ରଣାଳୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅପରାହ୍ନରେ ୪ଘଣ୍ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ । ବନକଲାଗି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ମହାସ୍ନାନ ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

Spread the love