ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନର ଟିଆଇ ପରେଡ ଆଜି

ଭୁବନେଶ୍ୱର : ବିବନର ମୁହଁରେ ପରିବର୍ତ୍ତନ ହୋଇଛି । ଶରୀର ଗଢ଼ଣ ବଦଳିଛି । ୨୨ବର୍ଷ ଭିତରେ ବିବନ ହିଁ ବଦଳିଯାଇଛି । ତେବେ ଏସବୁ ମଧ୍ୟରେ ଅଞ୍ଜନା ବିବନକୁ କେମିତି ଚିହ୍ନଟ କରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତଥାପି ବିବନକୁ ଚିହ୍ନିପାରିବେ ବୋଲି ଅଞ୍ଜନା ପୂର୍ବରୁ କହିଛନ୍ତି । ତେଣୁ ତାକୁ ଚିହ୍ନିବା ପାଇଁ ଝାରପଡ଼ା ଜେଲ୍ ଯିବେ ପୀଡ଼ିତା ଅଞ୍ଜନା ମିଶ୍ର । ବୁଧବାର ଝାରପଡ଼ା ଜେଲ୍‌ରେ ଟିଆଇ(ଟେଷ୍ଟ୍ ଆଇଡେଣ୍ଟିଫିକେସନ) ପରେଡ୍ ଅନୁଷ୍ଠିତ ହେବ । ଏନେଇ ସିବିଆଇ ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛନ୍ତି । ବିବନ ଯଦି ଚିହ୍ନଟ ହୋଇଯାଏ, ତା’ହେଲେ ତଦନ୍ତରେ ବିଳମ୍ବ ହେବ ନାହିଁ ବୋଲି ଜଣେ ସିବିଆଇ ଅଧିକାରୀ କହିଛନ୍ତି । ଜେଏମ୍‌ଏଫ୍‌ସି ସୃଜାଲିନ ମହାନ୍ତି, ଝାରପଡ଼ା ଜେଲରଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ୍ କରାଯିବ । ଏହି ସମୟରେ ପ୍ରାୟ ୧୦ରୁ ୨୦ଜଣ ଅପରାଧୀ ଧାଡ଼ି ହୋଇ ଛିଡ଼ା ହେବେ । ସେମାନଙ୍କ ମଧ୍ୟରୁ ବିବନକୁ ଚିହ୍ନଟ କରିବେ ଅଞ୍ଜନା । ତେବେ ଯଦି ଅଞ୍ଜନା ବିବନକୁ ଚିହ୍ନିପାରିଲେ ନାହିଁ ତା’ହେଲେ କୌଣସି ଅସୁବିଧା ହେବନି । ବିବନକୁ ଚିହ୍ନିବା ପାଇଁ ସିବିଆଇ ପାଖରେ ଆଉ ଏକ ରାସ୍ତା ରହିଛି । ବିବନ ଓ ତା’ ପୁଅର ଡିଏନ୍‌ଏ ଟେଷ୍ଟ କରାଗଲେ, ସହଜରେ ଚିହ୍ନଟ ହୋଇପାରିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।

ସେହିପରି ବିବନକୁ ୫ ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ୱର ସ୍ଵତନ୍ତ୍ର ସିଜେଏମଙ୍କ ନିକଟରେ ଆବେଦନ କରିଥିଲା ସିବିଆଇ ଟିମ୍ । ହେଲେ ବିବନକୁ ୨ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି । ଦୁଇ ଦିନିଆ ରିମାଣ୍ଡ ସମୟରେ ବାରଙ୍ଗର ସେହି ଘଟଣାସ୍ଥଳକୁ ବିବନକୁ ନେଇପାରେ ସିବିଆଇ । କମିସନରେଟ୍ ପୋଲିସର ସ୍ଵତନ୍ତ୍ର ଟିମ୍ ଅପରେସନ ‘ସାଇଲେଣ୍ଟ ଭାଇପର’ ଜରିଆରେ ପୁନେରୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଥିଲା । ଏହାପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛି ବିବନ । ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିଲା ଏହି ଘଟଣା । ୨୨ ବର୍ଷ ଭିତରେ ମାମଲାରେ ଗିରଫ ଅନ୍ୟ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି ।

Spread the love