ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିବା ଘଟଣାରେ ୩ ବିଧାୟକ ସସ୍‌ପେଣ୍ଡ

  • ନିଲମ୍ବନ ପ୍ରତିବାଦରେ ରାତିସାରା ଗାନ୍ଧୀମୂର୍ତି ତଳେ ଧାରଣା

ଭୁବନେଶ୍ୱର : ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିବା ଘଟଣାରେ ବିଜେପିର ୩ ଜଣ ସଦସ୍ୟ ଚଳିତ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି । ବିଜେପି ଦଳର ବରିଷ୍ଠ ସଦସ୍ୟ ଜୟନାରାୟଣ ମିଶ୍ର, ଉପନେତା ବିଷ୍ଣୁ ସେଠୀ ଓ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କୁ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବାରୁ ନିଲମ୍ବନ କରାଯାଇଛି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏସମ୍ପର୍କରେ ଏକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ଭିତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ପରେ ବିଜେପିର ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତି ତଳେ ଧାରଣା ଦେଇଥିଲେ । ଧାରଣାରୁ ବିରତ ହେବା ପାଇଁ ବାଚସ୍ପତି ସେମାନଙ୍କୁ ବୁଝାଇଥିଲେ । ତେବେ ଗୃହରେ କହିବାକୁ ସୁଯୋଗ ନଦେବାରୁ ପ୍ରତିବାଦ ଜାରି ରଖିବେ ଏବଂ ରାତିସାରା ବିଧାନସଭା ଗାନ୍ଧୀମୂର୍ତି ତଳେ ଧାରଣା ଦେବେ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି । ଗୃହରୁ ନିଲମ୍ବିତ ହେବା ପରେ ବିଧାୟକ ଜୟନାରାୟଣ ମିଶ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି, ବାଚସ୍ପତି ଯେତେବେଳେ ସମ୍ବିଧାନ ଅନୁସାରେ କାମ କଲେ ନାହିଁ, ସେତେବେଳେ ଏପରି ପ୍ରତିକ୍ରିୟା ଆସିଥିଲା । ଯଦି ଅତ୍ୟାଚାର, ଅନାଚାର ବିରୋଧରେ ସ୍ୱର ଉତୋଳନ କଲେ ନିଲମ୍ବନ କରାଯାଏ, ମୁଁ ଏହାକୁ ସ୍ୱାଗତ କରୁଛି । ସେହିଭଳି ମୋହନ ମାଝୀ କହିଛନ୍ତି ଯେ, ମୁଁ କୌଣସି ଭାବେ ଦୁଃଖୀ ନୁହେଁ । ମୁଁ କୌଣସି ଅନୈତିକ କାମ କରିନାହିଁ, ଯେ ଅନୁତପ୍ତ ହେବି । ବାଚସ୍ପତି ଠିକ୍ ଭାବେ ଗୃହ କାର୍ଯ୍ୟ ଚଳାଇ ନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । କାର୍ଯ୍ୟର୍ର୍ାନୁଷ୍ଠାନ ଗ୍ରହଣ ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର , ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ , ସରକାରୀ ଦଳ ମୁଖ୍ୟ ସଚେତକ , କଂଗ୍ର୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର , ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଘଟଣା ସମୟର ଭିଡିଓ ଦେଖିଥିଲେ । ପରେ ବାଚସ୍ପତି ସମ୍ପୃକ୍ତ ୩ ନେତାଙ୍କୁ ଗୃହ ଛାଡି ଚାଲିଯିବାକୁ କହିଥିଲେ ।

ଶନିବାର ଅପରାହ୍ନ ବୈଠକରେ ଶାସକ ଦଳ ସଭ୍ୟ ଭୂପିନ୍ଦର ସିଂହ ବିଜେପି ବିଧାୟକ ମାନଙ୍କର ଆଚରଣ ଅତି ଅଶୋଭନୀୟ ହୋଇଥିବା ନେଇ ଉଦବେଗ ପ୍ରକାଶ କରିଥିଲେ । ସେମାନଙ୍କର ଏହି ବ୍ୟବହାର ଗୃହର ସମ୍ମାନକୁ କ୍ଷୂର୍ଣ୍ଣ କରିଛି ଓ ବାଚସ୍ପତିଙ୍କ ମର୍ଯ୍ୟାଦା ନଷ୍ଟ କରିଛି । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । ପ୍ରତାପ ଦେବ ଏହି ଘଟଣାକୁ ନିନ୍ଦା କରିବା ସହ ସେମାନଙ୍କୁ ତୁରନ୍ତ ନିଲମ୍ବନ କରାଯାଉ ବୋଲି କହିଥିଲେ । ସମ୍ପୃକ୍ତ ବିଧାୟକଙ୍କ ବ୍ୟବହାର ଦେଶର ଗଣତନ୍ତ୍ରପ୍ରେମୀଙ୍କୁ ବାଧିଛି ବୋଲି ଶଶି ଭୂଷଣ ବେହେରା କହିଥିଲେ । କିଶୋର ମହାନ୍ତି କହିଥିଲେ ଯେ ଯାହା ଘଟିଲା ତାହା କଳଙ୍କ । ଅତୀତରେ ଏଭଳି ଘଟଣା ଘଟାଇଥିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଉଦାହରଣ ରହିଛି । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ଦୁଇ ପକ୍ଷକୁ ସମାନ ଦୃଷ୍ଟିରେ ଦେଖିବା ଦରକାର ।

Spread the love