ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବରେ ଯୋଗ ଦେଲେ ଉପ ରାଷ୍ଟ୍ରପତି

  • ଆତ୍ମବିଶ୍ୱାସର ସହ ବିଶ୍ୱର ସମ୍ମୁଖୀନ ହୁଅ : ଉପରାଷ୍ଟ୍ରପତି

ଭୁବନେଶ୍ୱର : ପରିପୂର୍ଣ୍ଣ ଓ ସୃଜନଶୀଳ ବ୍ୟକ୍ତିବିଶେଷ ସୃଷ୍ଟି କରିବାକୁ ଆମକୁ ତକ୍ଷଶୀଳା, ନାଳନ୍ଦା, ବଲ୍ଲଭି ଓ ବିକ୍ରମଶୀଳା ଭଳି ପ୍ରାଚୀନ ଭାରତୀୟ ବିଶ୍ୱବିଦ୍ୟାଳୟରେ ମହାନ ଭାରତୀୟ ପରମ୍ପରାକୁ ପୁନଃସ୍ଥାପିତ କରିବାକୁ ପଡ଼ିବ । ଦେଶକୁ ଉଭୟ ସାମାଜିକ ଓ ଆର୍ôଥକ ଦୃଷ୍ଟିରୁ ପରିବର୍ତନ କରିବାର ବିଶେଷ ଦକ୍ଷତା ସେହିଭଳି ବ୍ୟକ୍ତି ବିଶେଷଙ୍କର ରହିବ । ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଏହା କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ଇତିହାସ ସମୃଦ୍ଧ ଓ ପ୍ରେରଣାଦାୟୀ । ଏହି ମହାନ କଳିଙ୍ଗଭୂମି ସମ୍ରାଟ ଅଶୋକଙ୍କୁ ଶାନ୍ତିର ଶିକ୍ଷା ଦେଇଥିଲା; ଯାହା ଫଳରେ ସେ ଧର୍ମବିଜୟ ନୀତି ଅନୁସରଣ କରିଥିଲେ । ଓଡ଼ିଶାର ନରପତିମାନେ ଦକ୍ଷିଣ ପୂର୍ବ ଏସିଆ ସହିତ ସାଂସ୍କୃତିକ ସମ୍ପର୍କ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ସେଠାରେ ହିନ୍ଦୁ ଧର୍ମ ଓ ବୌଦ୍ଧଧର୍ମର ପ୍ରଚାର ପ୍ରସାର କରାଇଥିଲେ । କଳିଙ୍ଗ ସାମ୍ରାଜ୍ୟ ମଧ୍ୟ ତାହାର ଗୌରବମୟ ସାମୁଦ୍ରିକ ପରମ୍ପରା ପାଇଁ ଖ୍ୟାତ । କାଳିଦାସ ତାଙ୍କର ପ୍ରସିଦ୍ଧ କୃତି ରଘୁବଂଶରେ କଳିଙ୍ଗ ନୃପତିଙ୍କୁ ସାଗରାଧିପତି ଭାବେ ବର୍ଣ୍ଣନା କରିଛନ୍ତି । ଏଥିରୁ ସାଗର ଉପରେ କଳିଙ୍ଗର ପ୍ରଭାବର ସୂଚନା ମିଳେ । କଳିଙ୍ଗର ଦୁଃସାହସୀ ସାଧବମାନେ ଶ୍ରୀଲଙ୍କା, ଜାଭା, ବୋର୍ଣ୍ଣିଓ, ବାଲି ଓ ବର୍ମା ସହିତ ବାଣିଜ୍ୟ ସମ୍ପର୍କ ସ୍ଥାପନ କରିଥିଲେ । ବିଭିନ୍ନ ସ୍ଥାନରେ ହୋଇଥିବା ଉତ୍ଖନନରୁ ମିଳିଥିବା ବହୁସଂଖ୍ୟକ ମୁଦ୍ରା, କଳାକୃତି ଓ ରୋମାନ ସାମଗ୍ରୀ ଆଦିରୁ ପ୍ରାଚୀନ ଓଡ଼ିଶାର ସମୃଦ୍ଧ ବାଣିଜ୍ୟିକ ସମାଜର ପରିଚୟ ମିଳେ ।

ସେ କହିଛନ୍ତି ଯେ ଏବେ ମଧ୍ୟ ଏଠାକାର ଲୋକେ ସେମାନଙ୍କ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସାଧବଙ୍କ ସ୍ମୃତିରେ ବାଲିଯାତ୍ରା ପାଳନ କରୁଛନ୍ତି । ସେହି ସାଧବମାନଙ୍କ ଦକ୍ଷତା, ଉଦ୍ୟମିତା ଓ ସାହସିକତା ଦ୍ୱାରା କଳିଙ୍ଗ ଏକଦା ଏକ ସମୃଦ୍ଧ ସାମ୍ରାଜ୍ୟରେ ପରିଣତ ହୋଇଥିଲା । ସାଧବ ପୁଅ ମାନଙ୍କ ଠାରୁ ପ୍ରେରଣା ନେଇ ଉଦ୍ୟମିତା ଓ ନବସୃଜନର ଆଗ୍ରହ ନିଜ ଭିତରେ ସୃଷ୍ଟି କରନ୍ତୁ ବୋଲି ଉପ ରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଆହ୍ୱାନ ଜଣାଇଛନ୍ତି । ସେ ଛାତ୍ର ଛାତ୍ରୀ ମାନଙ୍କୁ କହିଛନ୍ତି ଯେ ସେମାନେ ବିଶ୍ୱବିଦ୍ୟାଳୟରୁ ଯେଉଁ ମୂଲ୍ୟବୋଧ ଓ ତାଲିମ ପାଇଛନ୍ତି ତାହା ଦ୍ୱାରା ଆତ୍ମବିଶ୍ୱାସର ସହିତ ଦୁନିଆର ମୁକାବିଲା କରିପାରିବେ । “ଆତ୍ମବିଶ୍ୱାସର ସହ ବିଶ୍ୱର ସମ୍ମୁଖୀନ ହୁଅ” – ଏହି ବିଚାର ଓ ସାମର୍ଥ୍ୟ ଆମର ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବେଶ କରାଇବା ନୂଆ ଶିକ୍ଷାନୀତିର ମୂଳ ଉଦ୍ଦେଶ୍ୟ । ଶିକ୍ଷାର ଲକ୍ଷ୍ୟ କେବଳ ବୌଦ୍ଧିକ ବିକାଶରେ ସୀମିତ ନୁହେଁ । ଏହା ମଧ୍ୟ ଚରିତ୍ର ନିର୍ମାଣ ଏବଂ ଏକବିଂଶ ଶତାବ୍ଦୀର ଦକ୍ଷତାରେ ଭୂଷିତ ତଥା ଏକ ସାମଗ୍ରିକ ସ୍ୱୟଂ ସମ୍ପୂର୍ଣ୍ଣ ବ୍ୟକ୍ତି ଗଢ଼ିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ଭୌମକର ବଂଶର ବିଶେଷତ୍ୱ ସମ୍ପର୍କରେ ସ୍ମରଣ କରାଇଦେବାକୁ ଚାହେଁ । ଏହି ରାଜବଂଶର ଅନେକ ମହିଳା ଶାସକ କ୍ରମାଗତ ଭାବେ ନବମରୁ ଦଶମ ଶତାବ୍ଦୀ ଯାଏ ଶାସନ କରିଥିଲେ । ଭୌମକର ରାଣୀମାନେ ପୁରୁଷ ପ୍ରଧାନ ଶାସନ ବ୍ୟବସ୍ଥାକୁ ଭାଙ୍ଗି ପ୍ରାୟ ୨୦୦ବର୍ଷ ଯାଏ ରାଜ୍ୟ ଶାସନ କରିବାରେ ସଫଳ ହୋଇଥିଲେ । ଏହି ଉଜ୍ଜ୍ୱଳ ଉଦାହରଣ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଆବଶ୍ୟକ । ମୁଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଉଛି ସେମାନେ ଏହି କାହାଣୀ ସବୁ ପଢ଼ନ୍ତୁ ଏବଂ ଲିଙ୍ଗଗତ ପାତର ଅନ୍ତର ବିରୋଧରେ ଲଢ଼ିବାକୁ ଶପଥ ନିଅନ୍ତୁ । ବାସ୍ତବରେ ଜାତିବାଦ, ସାମ୍ପ୍ରଦାୟିକତା, ଦୁର୍ନୀତି ଓ ହିଂସା ବିରୋଧରେ ଲଢ଼େଇ କରିବା ପାଇଁ ଆମ ଯୁବ ସମାଜ ସର୍ବଦା ଆଗରେ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ଆଉ ଏକ ବିଶେଷତ୍ୱ ହେଉଛି ଏଠାରେ ଆଦିବାସୀମାନେ ଅଧିକ ସଂଖ୍ୟାରେ ବାସ କରନ୍ତି । ଏଠାରେ ୬୨ ପ୍ରକାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକ ଅଛନ୍ତି । ଓଡ଼ିଶାର ମୋଟ ଜନସଂଖ୍ୟାର ୨୩ ଶତାଂଶ ଆଦିବାସୀ । ଭାରତର ମୋଟ ଆଦିବାସୀ ଜନସଂଖ୍ୟାର ୯.୧୭ ଶତାଂଶ ଲୋକ ଓଡ଼ିଶାରେ ବାସ କରନ୍ତି । ତେଣୁ ଏହି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ଓ କଲ୍ୟାଣ ଆମର ପ୍ରାଥମିକତା ହେବା ଉଚିତ । ଆଦିବାସୀଙ୍କ ପ୍ରତି ଆମର ଦୃଷ୍ଟିକୋଣରେ ସମ୍ମାନବୋଧ ଏବଂ ସମ୍ବେଦନଶୀଳତା ରହିବା ଆବଶ୍ୟକ । ଏ କ୍ଷେତ୍ରରେ ପୈତୃକ ଦୃଷ୍ଟିକୋଣ ଠିକ୍ ନୁହେଁ ସତକଥା ହେଲା ଆଦିବାସୀ ସମ୍ପ୍ରଦାୟଙ୍କ ଠାରୁ ଆମର ଅନେକ କିଛି ଶିଖିବାର ଅଛି । ସେମାନେ ପ୍ରକୃତି ସହ ସଦ୍ଭାବ ଓ ସମନ୍ୱୟ ରଖି ଅତି ସରଳ ଜୀବନଯାପନ କରନ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ତଫସିଲଭୁକ୍ତ ଜାତି ଓ ଉପଜାତି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ ର ଏକ ଅଧ୍ୟୟନ ଅନୁସାରେ ଓଡ଼ିଶାର ଆଦିବାସୀ ଜନସଂଖ୍ୟା ଉପରେ କୋଭିଡ୍ ମହାମାରୀର ପ୍ରାୟ କୌଣସି ପ୍ରଭାବ ପଡ଼ିନାହିଁ । ସେମାନେ ନିଜର ଅନୁପମ ରୀତିନୀତି ଓ ପରମ୍ପରା ପାଳନ କରି ସଂକ୍ରମଣକୁ ଦୂରେଇ ରଖିବାରେ ସଫଳ ହୋଇଛନ୍ତି । ଏହି ଅଧ୍ୟୟନ ଅନୁସାରେ ଆଦିବାସୀମାନେ ଅଭ୍ୟାସତଃ ସଂଘବଦ୍ଧ ବା ଗୋଷ୍ଠୀରେ ନ ଯାଇ ଧାଡ଼ିରେ ଯାଆନ୍ତି । ଚାଲିବାବେଳେ ସେମାନେ ପରସ୍ପର ଠାରୁ ଉପଯୁକ୍ତ ଦୂରତ୍ୱ ରକ୍ଷା କରନ୍ତି । ଏଭଳି ନିରାପଦ ଦୂରତ୍ୱ ରକ୍ଷା ଓ ସ୍ୱାସ୍ଥ୍ୟଗତ ନୀତି ପାଳନ କରିବା ଆଦିବାସୀ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ଛଡ଼ା ସେମାନେ ପ୍ରାକୃତିକ ଖାଦ୍ୟ ଖାଇଥାଆନ୍ତି । ଏହା ଫଳରେ ମହାମାରୀ ସମୟରେ ସେମାନେ ନିରାପଦ ରହିଛନ୍ତି । ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆଦିବାସୀ ସମୁଦାୟଙ୍କ ଏଭଳି ସକାରାତ୍ମକ ଦିଗ ସମ୍ପର୍କରେ ଧ୍ୟାନ କେନ୍ଦ୍ରିତ କରିବାକୁ ଶ୍ରୀ ନାଇଡୁ ପ୍ରସ୍ତାବ ଦେଉଛି । ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଏକଥା ସ୍ଥାନ ପାଇବା ଆବଶ୍ୟକ । ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନ ଆଦିବାସୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାବଳୀ ଉପରେ ଗବେଷଣା କରି ଏହି ସମୁଦାୟର ବିକାଶ ପାଇଁ ନୀତି ନିର୍ଦ୍ଧାରଣରେ ସହଯୋଗ କରିବା ଉଚିତ ବୋଲି ସେ କହିଛନ୍ତି । ଓଡ଼ିଶା ଭଳି ରାଜ୍ୟପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବିପର୍ଯ୍ୟୟ ପରିଚାଳନା । ଏହି ରାଜ୍ୟ ନିୟମିତ ଭାବେ ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପତ୍ତି ଦ୍ୱାରା କ୍ଷତିଗ୍ରସ୍ତ ହେଉଛି । ତେଣୁ ଆମ ଶିକ୍ଷାର ଆରମ୍ଭ କାଳରୁ ବିପର୍ଯ୍ୟୟ ପରିଚାଳନାକୁ ଏକ ଅବିଚ୍ଛେଦ୍ୟ ଅଂଶ କରିବାର ବିଶେଷ ଆବଶ୍ୟକତା ରହିଛି । ଏହା ଦ୍ୱାରା ଭବିଷ୍ୟତରେ ବିପର୍ଯ୍ୟୟ ମୁକାବିଲା କରିବାକୁ ଆମେ ଭଲଭାବେ ପ୍ରସ୍ତୁତ ହୋଇପାରିବା । ମୋର ଆଶା ଉତ୍କଳ ବିଶ୍ୱବିଦ୍ୟାଳୟ ଏ ଦିଗରେ ନେତୃତ୍ୱ ନେବ ବୋଲି ସେ କହିଛନ୍ତି । ଆହ୍ୱାନକୁ ଗ୍ରହଣ କରି ପରିବର୍ତନର ବାହକ ହେବାକୁ ଆହ୍ୱାନ ଜଣାଉଛି ବୋଲି ସେ କହିବା ସହ ନିଜର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନିର୍ଦ୍ଧାରଣ କରି ନୂଆ ପୃଥିବୀ ନିର୍ମାଣରେ ନିଜର ଅବଦାନ ଦିଅନ୍ତୁ ଏବଂ ଭବିଷ୍ୟତର ସ୍ରଷ୍ଟା ସାଜନ୍ତୁ ବୋଲି ସେ କହିଛନ୍ତି ।

Spread the love