ବସକୁ ଧକ୍କା ଦେଲା ଟ୍ରକ୍‌ : ୨୫ରୁ ଅଧିକ ଆହତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ରାଜାବସା ନିକଟରେ ଶନିବାର ସନ୍ଧ୍ୟାରେ ‘ଦୁଲହନ’ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ହୋଇଛି । ବସ୍‌ରେ ୬୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ । ଏଥିରେ ବସ୍‌ ଡ୍ରାଇଭରଙ୍କ ସମେତ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନା ଯେ, ‘ଦୁଲହନ’ ଯାତ୍ରୀବାହୀ ବସ୍ ‌(ନଂ. ଓଡ଼ି-୧୧ଡି-୪୩୪୩)ଟି ବାରିପଦାରୁ ସୁଲେଇପାଟକୁ ଯାତ୍ରା କରୁଥିଲା । ସେହି ସମୟରେ ଏକ ଟ୍ରକ୍‌ (ନଂ. ସିଜି-୦୪-ଏମ୍‌ଇ-୩୬୧୩)ଟି ରାୟପୁରରୁ-କୋଲକତା ଆସୁଥିବା ବେଳେ ବସ ସହ ମୁହାଁମୁହିଁ ହୋଇଥିଲା । କ୍ରେନ୍‌ ଦ୍ୱାରା ବସ୍‌କୁ ରାସ୍ତାରୁ ହଟା ଯିବା ପରେ ରାସ୍ତାରେ ଗାଡ଼ି ମଟର ସ୍ୱାଭାବିକ ହୋଇଥିଲା । ତେବେ ବସ୍‌ ଭିତରେ ଦୀର୍ଘ ୧ଘଣ୍ଟା ଧରି ବସ୍‌ ଡ୍ରାଇଭର ମନୋଜ କିସ୍କୁ (୨୫) ଷ୍ଟିୟରଂରେ ଚାପି ହୋଇ ଗୁରୁତର ହୋଇଥିବା ବେଳେ ବିଶୋଇ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରିଥିଲେ । ବିଶୋଇ ପୋଲିସ ଭ୍ୟାନ ସମେତ ଅନ୍ୟ ଗାଡ଼ିରେ ଆହତମାନଙ୍କୁ ବିଶୋଇ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲା । ବସ୍‌ ଡ୍ରାଇଭର ଓ ହେଲପରଙ୍କୁ ୧୦୮ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ବସ୍‌ ଡ୍ରାଇଭର ରାଇରଙ୍ଗପୁର ଗ୍ରମାଞ୍ଚଳ ଥାନା ଆମ୍ବଡ଼ିହା ଗ୍ରାମର ମନୋଜ କୁମାର କିସ୍କୁ(୨୫)ଙ୍କ ସହ ୫ଜଣ ଆହତ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ଆହତମାନଙ୍କୁ ବିଶୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇ ଛାଡ଼ିଦିଆଇଥିଲା ।

Spread the love