ଆଜି ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦର ୨୦ତମ ଶୁଣାଣି

ନୂଆଦିଲ୍ଲୀ : ଆଜି ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦର ୨୦ତମ ଶୁଣାଣି କରାଯିବ। ଏହି ଶୁଣାଣି ପୂର୍ବରୁ ବିବାଦର ସମାଧାନ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ସକ୍ରିୟ ଥିବା ଜଣାପଡ଼ିଛି। ଉଭୟ ରାଜ୍ୟ ସମୟସୀମା ଧାର୍ଯ୍ୟ ସମ୍ପର୍କିତ ଚିଠାନାମାକୁ ଚୂଡ଼ାନ୍ତ ରୂପ ଦେଇଥିବାର ବିଶେଷସୂତ୍ରରୁ ଜଣାପଡିଛି। ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମୂଳ ମାମଲା (ରେଫ୍‌ରାନ୍ସ-୧) ଏବଂ ଛତିଶଗଡ aଦ୍ୱାରା ଦାଖଲ କରାଯାଇଥିବା ରେଫ୍‌ରାନ୍ସ-୨ ମାମଲାର ଶୁଣାଣି କେବେଠାରୁ ଆରମ୍ଭ କରାଯିବ, ସେ ନେଇ ଉଭୟ ରାଜ୍ୟ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ସମୟ ଧାର୍ଯ୍ୟ ସଂପର୍କିତ ଡ୍ରାଫ୍‌ଟ ଚିଠା ସଂପର୍କରେ ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବେ।

ସୂଚନା ଯେ, ଗତବର୍ଷ ନଭେମ୍ବର ୭ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସମୟନିର୍ଘଣ୍ଟ ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ଓ ଛତିଶଗଡ଼କୁ ନିର୍ଦ୍ଦେଶ ଦେଇଥିଲେ। ଆହୁରି ମଧ୍ୟ ସମୟନିର୍ଘଣ୍ଟ ପ୍ରସ୍ତୁତ କରିବାରେ କୌଣସି ପ୍ରକାର ଟାଳଟୁଳ ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଟ୍ରିବ୍ୟୁନାଲ ଦୁଇ ରାଜ୍ୟଙ୍କୁ ଚେତାଇ ଦେଇଥିଲେ। ତଦନୁଯାୟୀ ପାଖାପାଖି ୪ ଥର ଦୁଇ ରାଜ୍ୟର ଅଧିକାରୀମାନେ ସମୟସୀମା ଧାର୍ଯ୍ୟ ପାଇଁ ବୈଠକ କରିଥିଲେ। ସେହିଭଳି ଶୁଣାଣିରେ ଟ୍ରିବ୍ୟୁନାଲ କମନ୍‌ ଇନ୍‌ଫରମେସନ ଫର୍ମାଟ୍‌କୁ ମଧ୍ୟ ଅନୁମୋଦନ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଟ୍ରିବ୍ୟୁନାଲର ଦୁଇ ଆସୋସରମାନଙ୍କ ପକ୍ଷରୁ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞମାନଙ୍କର ମତାମତ ନିଆଯିବା ପରେ କମନ୍‌ ଅନ୍‌ଫରମେଶନ ଫର୍ମାଟ ପ୍ରସ୍ତୁତି ପ୍ରକ୍ରିୟାକୁ ଚୂଡାନ୍ତ କରାଯାଇଥିବା ଜଣାପଡିଛି। ଏଥିପାଇଁ ଟ୍ରିବ୍ୟୁନାଲ ଦୁଇ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଧାରଣା, ଧର୍ମଘଟ, ଆନ୍ଦୋଳନ, ଅନଶନ ପରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ମହାନଦୀ ଟ୍ରାଇବୁନାଲ ଗଠନ କଲେ। ଫଳରେ ଓଡ଼ିଶା ନ୍ୟାୟ ପାଇବ ବୋଲି ଆଶା ସଞ୍ଚାର ହେଲା। ହେଲେ ଟ୍ରାଇବୁନାଲ ଗଠନର ତିନିବର୍ଷରେ ପ୍ରଥମ ପଦକ୍ଷେପ ସ୍ୱରୂପ ଉଭୟ ରାଜ୍ୟ ମଧ୍ୟରେ ତଥ୍ୟର ଆଦାନ ପ୍ରଦାନ ଏ ପର୍ଯ୍ୟନ୍ତ ହେଲା ନାହିଁ। ଛତିଶଗଡ଼ ବେଆଇନ ଭାବେ ନିର୍ମାଣ କରିଥିବା ବ୍ୟାରେଜର କାର୍ଯ୍ୟରେ ରୋକ ଲଗାଗଲା ନାହିଁ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସଙ୍କ ସଭାପତିତ୍ବରେ ହୋଟେଲ କେଶରୀଠାରେ ଅନୁଷ୍ଠିତ ବିଚାରବିମର୍ଶ ସଭାରେ କୁହାଯାଇଛି। ଏପ୍ରିଲ ୨୦ ରୁ ୩୦ ପର୍ଯ୍ୟନ୍ତ ମହାନଦୀର ଉତ୍ପତ୍ତିସ୍ଥଳ ମଧ୍ୟପ୍ରଦେଶରୁ ଅନ୍ତିମସ୍ଥଳ ପର୍ଯ୍ୟନ୍ତ ଅବବାହିକାରେ ଅଧିବାସୀଙ୍କୁ ଜାଗ୍ରତ ପାଇଁ ସର୍ବଭାରତୀୟ ଜଳ ଆନ୍ଦୋଳନକର୍ମୀଙ୍କୁ ନେଇ ସଚେତନତା ଯାତ୍ରା କାର୍ଯ୍ୟକ୍ରମ ହେବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

Spread the love