ଆସନ୍ତାକାଲି ଠାରୁ ରାଜ୍ୟରେ ପୁଣି ତାତି ବଢ଼ିବ

ଭୁବନେଶ୍ୱର : ଆସନ୍ତାକାଲି (ବୁଧବାର) ଠାରୁ ରାଜ୍ୟରେ ପୁଣି ତାତି ବଢ଼ିବ । ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ । ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର , ଦେବଗଡ, ଅନୁଗୁଳ, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ, ବଲାଙ୍ଗୀର, ନୂଆପଡା ଓ ନରବଙ୍ଗପୁର ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବ । ତେବେ ୮ ତାରିଖରୁ ୧୧ ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବଜ୍ରପାତ, କାଳବୈଶାଖୀ ବର୍ଷା ସହ ଘୂର୍ଣ୍ଣିଝଡ ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାର ଓ ଗୁରୁବାର ଦୁଇ ଦିନ ରାଜ୍ୟରେ ପାଗ ମୁୁଖ୍ୟତଃ ଶୁଖିଲା ରହିବ । ୮ ତାରିଖରୁ ୯ ତାରିଖ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଗଞ୍ଜାମ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୦ ତାରିଖ ଅପରାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଯାଜପୁର, କଟକ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଏବଂ କୁଆପଥର ବର୍ଷା ହୋଇପାରେ । ଏହି ସମୟରେ ଘଂଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବୋହିପାରେ । ସେହିପରି ୧୧ ତାରିଖ ଅପରାହ୍ନ ସୁଦ୍ଧା ରାଜ୍ୟର ଗଜପତି, କନ୍ଧମାଳ , ମାଲକାନଗିରି, କୋରାପୁଟ ଓ ମୟୁରଭଂଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଏବଂ କୁଆପଥର ବର୍ଷା ସହିତ ପବନର ବେଗ ୩୦-୪୦ କିଲୋମିଟର ରହି କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Spread the love