ରାଜ୍ୟରେ ୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର : ରାଜ୍ୟରେ ତାତି ଉପରମୁହାଁ । ଉପକୂଳରୁ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ପ୍ରବଳ ଗରମ ଅନୁଭୂତ ହେବ ସହ ଜନଜୀବନ ଅସ୍ତବ୍ୟସ୍ତ ହେଲାଣି । ଆସନ୍ତା ଆହୁରି ୪-୫ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରକୋପ । ତାତି ପ୍ରକୋପରୁ ନିସ୍ତାରର ସମ୍ଭାବନା ମଧ୍ୟ କମ୍ । ଯେଉଁ ଅଞ୍ଚଳରେ କାଳବୈଶାଖୀ ହେବ, ସେଠାରେ ତାତି ସାମୟିକ କମିବ । ସୋମବାର ସକାଳୁ ଟାଏଁ ଟାଏଁ ଖରା ଅସ୍ତବ୍ୟସ୍ତ କରିଥିଲା । ଦିନ ୧୧ଟା ପରେ ଅସହ୍ୟ ଗରମ । ପଦାକୁ ବାହାରିଲାବେଳକୁ ନିଆଁ ବର୍ଷିଲା ଭଳି ତାତି ପ୍ରକୋପ । ୧୨ଟାରୁ ୩ଟା ଭୀଷଣ ତାତି ଅନୁଭୂତ ହୋଇଥିଲା । ଅପରାହ୍ନରେ କେତେକ ଜାଗାରେ ପାଗ ସାମାନ୍ୟ ବଦଳିଥିଲା। ବୌଦ୍ଧରେ ୯.୫ ମିଲିମିଟର ବର୍ଷା ହୋଇଥିଲା ।

ସୋମବାର ମାଲକାନଗିରି ଓ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍‌ ଲେଖାଏଁ ଥିଲା । ଭୁବନେଶ୍ୱର ତାପମାତ୍ରା ୪୦.୬, ଅନୁଗୁଳ ୪୦.୧, ସମ୍ବଲପୁର ୪୦.୧, ହୀରାକୁଦ ୪୦.୪, ଭବାନୀପାଟଣା ୪୦, ଟିଟିଲାଗଡ଼ ୪୦ ଓ ସୁନ୍ଦରଗଡ଼ ୪୦ ଡିଗ୍ରୀ ଥିଲା । ଅନ୍ୟ ସହର ଭିତରେ ସୋମବାର ତାଳଚେର ୩୯.୯ଡିଗ୍ରୀ, ଝାରସୁଗୁଡ଼ା ୩୯.୮, ସୋନପୁର ୩୯.୮, ବଲାଙ୍ଗିର ୩୯.୬, ବାରିପଦା ୩୯.୫ ଓ ନୟାଗଡ ୩୯ଡିଗ୍ରୀ ସେଲସିୟସ୍‌ ତାତିରେ ସିଝିଥିଲା । ପାଣିପାଗ ବିଭାଗର କହିବାନୁସାରେ, ମଙ୍ଗଳବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝରରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେତେକ ସ୍ଥାନରେ ବଜ୍ରପାତ ଏବଂ ପବନ ଆଶଙ୍କା ରହିଛି । ୨୩ ତାରିଖ ଯାଏଁ କାଳବୈଶାଖୀ ଜାରି ରହିବ ବିଭିନ୍ନ ସ୍ଥାନରେ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଥିବା ପାଣିପାଗ ବିଭାଗ କହିଛି ।

Spread the love