ସୋମବାର ଠାରୁ ସଂସଦରେ ଆରମ୍ଭ ହେବ ବଜେଟ୍‌ ଅଧିବେଶନର ଦ୍ୱିତୀୟ ଭାଗ : ବାଚସ୍ପତି ଓମ୍‌ ବିର୍ଲା

ନୂଆଦିଲ୍ଲୀ : କୋଭିଡ୍‌-୧୯ କଟକଣା ସହ ମାର୍ଚ ୮ତାରିଖ ଅର୍ଥାତ ସୋମବାର ଠାରୁ ସଂସଦରେ ବଜେଟ୍‌ ଅଧିବେଶନର ଦ୍ୱିତୀୟ ଭାଗ ଆରମ୍ଭ ହେବ ବୋଲି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ପ୍ରକାଶ କରିଛନ୍ତି । ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଲୋକସଭା ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ଆସନ୍ତା ଏପ୍ରିଲ୍‌ ୮ ତାରିଖରେ ଏହି ଅଧିବେଶନର ଦ୍ୱିତୀୟ ଭାଗ ଶେଷ ହେବ । ଦୁଇ ଭାଗ କରାଯାଇଥିବା ସଂସଦର ଏହି ବଜେଟ୍‌ ଅଧିବେଶନର ପ୍ରଥମ ଭାଗ ୯୯.୫% ଫଳପ୍ରଦ ହୋଇଥିଲା। ମୋଟ ୫୦ ଘଣ୍ଟା ଧାର୍ଯ୍ୟ କରାଯାଇଥିବା ୨୦୨୧ ବଜେଟ୍‌ ଅଧିବେଶନରେ ଲୋକସଭା ୪୯ଘଣ୍ଟା ୧୭ ମିନିଟ୍‌ ଚାଲିଥିଲା ବୋଲି ସେ କହିଛନ୍ତି । ଏହାଛଡ଼ା ପାର୍ଲାମେଣ୍ଟ୍‌ ପରିସରରେ ସାଂସଦମାନଙ୍କ ନିମନ୍ତେ ଏକ କୋଭିଡ୍‌-୧୯ ଟିକାକରଣ କେନ୍ଦ୍ର ମଧ୍ୟ ଖୋଲାଯାଇଛି ବୋଲି ଲୋକସଭା ବୁଲେଟିନ୍‌ରୁ ଜଣାପଡ଼ିଛି ।

ସୂଚନା ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ଜାନୁଆରି ୨୯ରେ ଆରମ୍ଭ ହୋଇଥିବା ସଂସଦର ବଜେଟ୍‌ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ ତାରିଖ ଦିନ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଏବଂ ବଜେଟ୍‌ ସମ୍ବନ୍ଧୀୟ ବିତର୍କରେ ସମୁଦାୟ ୪୯ଜଣ ମହିଳା ସାଂସଦ ଅଂଶଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି।

Spread the love