ଠିକ୍ ସମୟରେ ଆସିବ ମୌସୁମୀ!

ନୂଆଦିଲ୍ଲୀ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ-ତାମିଲନାଡୁର ଅତି ନିକଟରେ ପହଞ୍ଚି ଗଲାଣି । ମୌସୁମୀର ଉତ୍ତର ଭାଗ ବର୍ତ୍ତମାନ ସମୟରେ କୋମୋରିନ ସାଗର ତଟଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ରହିଥିବା ଜଣାପଡ଼ିଛି । ତେଣୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା କେରଳ ଛୁଇଁପାରେ ବୋଲି ଆଶା କରାଯାଉଛି ।

ମୌସୁମୀ କେରଳ ଛୁଇଁବାର ଅବ୍ୟବହିତ ପୂର୍ବରୁ କିଛି ମାପକ ବା ଆଭାସ ଦେଖିବାକୁ ମିଳିଥାଏ । ବର୍ଷା, ପବନ ଓ ବିକିରଣ ଆଦି ଅନେକ ମାପକ ପୂରା କରିବା ପରେ ମୌସୁମୀ କେରଳ ପହଞ୍ଚିଲା ବୋଲି ସ୍ପଷ୍ଟ କରାଯାଏ । ମୌସୁମୀ ପ୍ରଥମେ କେରଳର ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଥାଏ, ସେଠାରେ ଇତିମଧ୍ୟରେ ବର୍ଷା ହୋଇଯାଇଛି । ଏହାର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି । ତେଣୁ ମୌସୁମୀ ଆଉ ବେଶି ଦୂରରେ ନାହିଁ ବୋଲି ଅନୁମାନ କରାଯାଉଛି । ପାଣିପାଗ ବିଭାଗର ସୂଚନା ମୁତାବକ ଲାକ୍ଷାଦ୍ୱୀପ ଓ କର୍ଣ୍ଣାଟକର ୧୪ ପାଣିପାଗ କେନ୍ଦ୍ର ମଧ୍ୟରୁ ୬୦% କେନ୍ଦ୍ରରେ ମେ ୧୦ ତାରିଖ ପରେ ଯଦି ଲଗାତର ଦୁଇଦିନ ପର୍ଯ୍ୟନ୍ତ ୨.୫ ମିମି କିମ୍ବା ଅଧିକ ବର୍ଷା ରେକର୍ଡ କରାଯାଏ, ତେବେ ମୌସୁମୀରଆଗମନ ଶୀଘ୍ର ବୋଲି ଧରିନିଆଯାଏ । ଏହି ଆଧାରରେ କେରଳ ଓ କର୍ଣ୍ଣାଟକର ତଟୀୟ ଅଞ୍ଚଳ ଓ ଲାକ୍ଷାଦ୍ୱୀପରେ ବର୍ଷା ହୋଇସାରିଛି । ଏବେ ପବନ ଓ ବିକିରଣ ମାପକ ଉପରେ ପାଣିପାଗ ବିଭାଗ ନଜର ରଖିଛି ।

Spread the love